ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ପହଞ୍ଚିଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ। ୨ ଶହ ବର୍ଷ ତଳ ଇତିହାସର ହେଲା ପୁନରାବୃତ୍ତି। ରାଜାଙ୍କୁ ରାଜକୀୟ ସମ୍ମାନର ସହ ସ୍ବାଗତ କରାଯାଇଥିଲା। ଦୀର୍ଘ ବର୍ଷ ତଳର ରୀତିନୀତି ଅନୁଯାୟୀ ରାଜା ଯାତ୍ରାରେ ସାମିଲ ହେବା ସହ ପୁରୁଣା ସ୍ମୃତିକୁ ଉଜାଗର କରାଯାଇଥିଲା। ବଣ୍ଡା ଜନଜାତିଙ୍କୁ ନିଜର ସୁରକ୍ଷା ପାଇଁ ଜୟପୁର ରାଜା ଧନୁତୀର ଯୋଗାଇ ଦେଇଥିବା ବେଳେ ବଣ୍ଡା ଜନଜାତି ପାଟଖଣ୍ଡା ଯାତ୍ରାରେ ମଧ୍ୟ ରାଜାଙ୍କୁ ଉପହାର ଆକାରରେ ଧନୁତୀର ଦେଇଥିଲେ। ୫ ଶହ ବର୍ଷ ତଳୁ ଆରମ୍ଭ ହୋଇଥିବା ବଣ୍ଡା ଜନଜାତିଙ୍କ ଏହି ପର୍ବରେ ଜୟପୁର ମହାରାଜା ପ୍ରତିବର୍ଷ ଯୋଗ ଦେଇ ରୀତିନୀତି ଅନୁଯାୟୀ ପୂଜା କରୁଥିଲେ। ବଣ୍ଡାଙ୍କ ଠାରୁ ଏଭଳି ଭବ୍ୟ ସମ୍ବର୍ଦ୍ଧନା ପାଇ ବେଶ ଖୁସୀ ବ୍ୟକ୍ତ କରିଥିଲେ ଜୟପୁର ମହାରାଜା।

Advertisment

ବାଜା, ମହୁରୀ ଓ ବଣ୍ଡାଙ୍କ ନଚଗୀତର ତାଳେ ତାଳେ କମ୍ପିଲା ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବସବାସ କରୁଥିବା ବଣ୍ଡାଘାଟିରେ। ପୁଣି ଫେରିଲା ପ୍ରାଚୀନ ସଭ୍ୟତାର ଛିଟା। ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ଯୋଗ ଦେଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ। ୫ ଶହ ବର୍ଷ ତଳର ଇତିହାସ କଥା ଦେଖିବା ପ୍ରତିବର୍ଷ ବଣ୍ଡା ଜନଜାତି ପାଟଖଣ୍ଡା ଯାତ୍ରା ପାଳନ ସମୟରେ ଜୟପୁର ମହାରାଜା ଯୋଗ ଦେବା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ୨ ଶହ ବର୍ଷ ତଳେ ରାଜାଙ୍କ ଆଗମନ ବନ୍ଦ ହୋଇଯାଇଥିଲା।

ମହାରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଚଳିତ ଥର ବଣ୍ଡା ଜନଜାତିଙ୍କ ପାଟଖଣ୍ଡା ଯାତ୍ରାକୁ ପୁରୁଣା ଇତିହାସକୁ ମନେପକାଇ ଜୟପୁର ମହାରାଜାଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇବା ପରେ ମହାରାଜା ନିୟମ ଅନୁଯାୟୀ ପ୍ରଥମେ ଖଇରପୁଟରେ ପହଞ୍ଚିଥିଲେ। ମହାରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଭଉଣୀ ଦାମଲଦେଇ ଠାକୁରଙ୍କୁ ଦର୍ଶନ କରିବା ପରେ ବଣ୍ଡାଘାଟି ଯାଇଥିଲେ। ବଣ୍ଡାଘାଟିରେ ରାଜାଙ୍କୁ ନାଚଗୀତର ତାଳେ ତାଳେ ସ୍ବାଗତ କରିବା ସହ ରୀତିନୀତି ଅନୁଯାୟୀ ପାଟଖଣ୍ଡା ଯାତ୍ରାରେ ସାମିଲ କରାଯାଇଥିଲା। ବଣ୍ଡା ଜନଜାତି ରାଜା ରାଜୁଡା ସମୟରେ ଜୟପୁର ରାଜାଙ୍କ ଅଧୀନରେ ରହୁଥିଲେ। ରାଜା ବଣ୍ଡାଙ୍କ ସୁରକ୍ଷା ପାଇଁ ଧନୁ ଓ ତୀର ପ୍ରଦାନ କରିଥିଲେ। ସେହି ଇତିହାସକୁ ମନେ ପକାଇ ବଣ୍ଡା ଜନଜାତି ମହାରାଜାଙ୍କୁ ଏକ ଧନୁ ଓ ତୀର ଉପହାର ଆକାରରେ ପ୍ରଦାନ କରିଥିଲେ। ବଣ୍ଡାଙ୍କ ଦ୍ବାରା ଭବ୍ୟ ସମ୍ବର୍ଦ୍ଧନା ପାଇ ମହାରାଜା ବେଶ ଖୁସି ବ୍ୟକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: Alankar Agnihotri: ମଧ୍ୟରାତ୍ରିରେ ସରକାରୀ ବାସଭବନ ଖାଲି କରି ପଳାଇଲେ ପିସିଏସ୍ ଅଳଙ୍କାର ଅଗ୍ନିହୋତ୍ରୀ

୧୨ ଖଣ୍ଡ ଗାଁର ଲୋକେ ସାମିଲ

ବଣ୍ଡା ଘାଟିରେ ପ୍ରତିବର୍ଷ ପାଳିତ ହୁଏ ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରା। ଘାଟିର ୧୨ ଖଣ୍ଡ ଗାଁର ଲୋକେ ଏହି ଯାତ୍ରାରେ ହୋଇଥାନ୍ତି ସାମିଲ। ଆସନ୍ତା ବର୍ଷ ଭଲ ଫସଲ ହେବା ପାଇଁ ପାରଂପାରିକ ରୀତିରେ ଖଣ୍ଡାକୁ ପୂଜାର୍ଚ୍ଚନା କରିଥାନ୍ତି ବଣ୍ଡା ଜନଜାତି। ଏଠି କୌଣସି ପଥର ମୂର୍ତ୍ତି କିମ୍ବା ମନ୍ଦିର ନାହିଁ। ଏକ ଖଣ୍ଡାକୁ ଗଛ କରୋଡରେ ବର୍ଷ ବର୍ଷ ରଖିଛନ୍ତି ବଣ୍ଡା ଜନଜାତି। ପ୍ରତିବର୍ଷ ଗଛ କରୋଡରୁ ଏହି ଖଣ୍ଡାକୁ କାଢି ପୂଜାର୍ଚ୍ଚନା ପରେ ପୁଣି ରଖିଦିଆଯାଏ ଗଛ କରୋଡରେ। ପାରଂପାରିକ ରୀତି ଅନୁଯାୟୀ ଛେଳି ଓ କୁକୁଡା ବଳି ପକାଇବା ସହ ନିଜ ଜମିରେ ଭଲ ଫସଲ ହେବା ପାଇଁ ନିଜ ନିଜ ଘରୁ ଆଣିଥିବା ଧାନ, ମାଣ୍ଡିଆ, ସୁଆଁ ବିହନକୁ ପାଟଖଣ୍ଡା ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରାରେ ପାରଂପାରିକ ନାଚଗୀତ ସହ କାଳସି ନାଚ ମଧ୍ୟ ହୋଇଥାଏ। ପୁଣି ଚଳିତ ବର୍ଷର ଯାତ୍ରା ଶେଷ ହେବା ପରେ ଆସନ୍ତା ବର୍ଷକୁ ଅପେକ୍ଷା କରାଯାଇଥାଏ। ଚଳିତ ବର୍ଷ ଜୟପୁର ମହାରାଜା ଏହି ଯାତ୍ରାରେ ଯୋଗ ଦେବା ପରେ ଚଳିତ ବର୍ଷର ଯାତ୍ରା ପୁଣି ଇତିହାସର ପୁନରାବୃତ୍ତି କରିଛି।

ଆହୁରି ପଢ଼ନ୍ତୁ: Job: ୮୦% ସ୍ଥାନୀୟ ନିଯୁକ୍ତି ଦେଲେ ଆମେ କାରଖାନାର ସମ୍ପ୍ରସାରଣରେ ସମର୍ଥନ କରିବୁ: ମୁଖ୍ୟମନ୍ତ୍ରୀ