ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲାରେ ମଙ୍ଗଳବାର ଦିନ ଗ୍ରେହାଉଣ୍ଡ ଯବାନ ଦୁର୍ଦ୍ଦାନ୍ତ ମାଓ ନେତା ହିଡ଼ମା ଏବଂ ତାର ପତ୍ନୀ ରାଜେକୁ ଏନକାଉଣ୍ଟରରେ ମାରିଥିବା ବେଳେ ଆଜି ପୁଣି ସେହି ସ୍ଥାନରେ ହିଁ ୭ ଜଣ ନକ୍ସଲକୁ ଏନକାଉଣ୍ଟର କରିଥିଲେ। ତେବେ ଏହି ଘଟଣା ପରେ ମାଓ ସଂଗଠନ ଦୋହଲିଯାଇଥିବା ବେଳେ ସଂଗଠନରେ ରହିଯାଇଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ ନେଇ ପୂର୍ବତନ ମାଓ ନେତା ଭୁପତି ଓରଫ ବେଣୁଗୋପାଲ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

Advertisment

ସମ୍ବିଧାନକୁ ସାହାଯ୍ୟ କରିବା

ଆଜି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସମୟ ବଦଳି ଯାଇଛି। ପୂର୍ବରୁ ଯେଉଁ ସମୟ ଜଂଗଲରେ ବନ୍ଧୁକ ଧରି ଲୋକଙ୍କ ପାଇଁ କାମ କରିବାର ଯେଉଁ ଉଦେଶ୍ୟ ଥିଲା ତାହା ଆଜି ନାହିଁ। ସରକାର ଏବଂ ପୁଲିସ ଲଗାତାର ଅପରେସନ କରି ମାଓ ସଂଗଠନକୁ ପଛକୁ ଠେଲି ଦେଇଛନ୍ତି। ବନ୍ଧୁକ ମୁନରେ ଆଉ ଲକ୍ଷ୍ୟ ହାସଲ କରି ହେବ ନାହିଁ ବୋଲି ମୁଁ ହୃଦୟଙ୍ଗମ କରି ମହାରାଷ୍ଟ୍ରର ଗଡ଼ଚିରୋଲିରେ ୬୧ ନକ୍ସଲ ସହ ଆତ୍ମସମର୍ପଣ କଲି। ଗତ ଦେଢବର୍ଷ ଆଗରୁ ହିଁ ମୁଁ ହତିଆର ପରିତ୍ୟାଗ କରିସାରିଥିଲି। କେବଳ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଔପଚାରିକତା ବାକି ଥିଲା। ଏବେ ବି ସମୟ ଅଛି ସମସ୍ତେ ବୁଝନ୍ତୁ। ବନ୍ଧୁକ ଛାଡି ଜନସାଧାରଣଙ୍କ ମଧ୍ୟରେ ରହି ସେମାନଙ୍କୁ ସମ୍ବିଧାନ ଅନୁଯାୟୀ ସାହାଯ୍ୟ କରିବା। ଲୋକଙ୍କ ପାଇଁ ଜଂଗଲରେ ରହି ଲଢୁଥିଲୁ। ଏବେ ସେମାନଙ୍କ ମଧ୍ୟରେ ରହି ସେମାନଙ୍କୁ ସହଯୋଗ କରିବା।

ଆହୁରି ପଢ଼ନ୍ତୁ: Khurda Balangir Rail: ଖୋର୍ଦ୍ଧା-ବଲାଙ୍ଗୀର ଟ୍ରେନ୍‌ ଯାତ୍ରା ବେଳେ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ

ହିଡ଼ମାଙ୍କ ମୃତ୍ୟୁ ଶକ୍ତ ଧକ୍କା ଦେଇଛି

ମୁଁ ଯାହା କହୁଛି ମୋର ଦୀର୍ଘ ଦିନର ଅନୁଭୁତିରେ କହୁଛି ବୋଲି ଭୁପତି କହିଥିଲେ। ହିଡ଼ମା ଏବଂ ୬ ଜଣଙ୍କର ମୃତ୍ୟୁ ମୋତେ ଶକ୍ତ ଧକ୍କା ଦେଇଛି। ମୁଁ ଏଭଲି ମୃତ୍ୟୁରେ ବିଚଳିତ ହେଉଛି। ଆଉ ଯେପରି ମୋର ସାଥି ଭାଇମାନେ ପୁଲିସ ଗୁଳିରେ ନିହତ ନହୁଅନ୍ତୁ ବୋଲି ମୁଁ ଚାହୁଁଛି। ତେଣୁ ତୁମେ ଯେତେ ଶୀଘ୍ର ପାରୁଛ ବନ୍ଧୁକ ପରିତ୍ୟାଗ କରି ଆତ୍ମସମର୍ପଣ କର। ନିଜ ପରିବାର ସହ ମିଳିମିଶି ରହି ଆଗକୁ ବଢ। ଭୁପତି ଶେଷରେ ନିଜର ଫୋନ ନମ୍ବର ସେମାନଙ୍କ ଦେଇଥିଲେ। ଆପଣମାନେ ଯେ କୌଣସି ସମୟରେ ମୋତେ ଫୋନ କରି ବନ୍ଧୁକ ଛାଡିବା ନେଇ କହିଲେ ମୁଁ ସହଯୋଗ କରିବି ବୋଲି ସେ ବୁଝାଇଛନ୍ତି।

ଆହୁରି ପଢ଼ନ୍ତୁ: Pakistan: ଆମେ ମାଟି ଫିଙ୍ଗିଲେ ମିସାଇଲ ହୋଇଯିବ : ମୁନିରଙ୍କ ବାହାସ୍ଫୋଟ