ଗରା ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ ଅଫିସ ଘେରିଲେ ଶତାଧିକ ମହିଳା

Advertisment
ଗରା ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ ଅଫିସ ଘେରିଲେ ଶତାଧିକ ମହିଳା

ଚିତ୍ରକୋଣ୍ଡା: ଆଜି ସକାଳ ୭ଟା ସମୟରେ ଚିତ୍ରକୋଣ୍ଡା ସଦର ମହକୁମା ର ୮.୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ଗରା, ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ ଅଫିସ ଗେଟରେ ତାଲା ପକାଇବା ସହ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ବ୍ଲକ ଗେଟ ସମ୍ମୁଖରେ ବସିରହିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗରା ମାଠିଆ ଧରି ବ୍ଲକ ଗେଟରେ ବସିବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ କହିଛନ୍ତି।

ଚିତ୍ରକୋଣ୍ଡାର ବିଭିନ୍ନ ୱାର୍ଡରେ ଦୀର୍ଘ ବର୍ଷ ଧରି ପାନୀୟ ଜଳର ସମସ୍ୟା  ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ। ଚିତ୍ରକୋଣ୍ଡା ସଦର ମହକୁମାର ଦୁର୍ଗା ମନ୍ଦିର ଠାରେ ୬ ବର୍ଷ ହେବ ନିର୍ମାଣ ଚାଲିଛି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ। ଏହି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଆଜି ଯାଏଁ ଟୋପାଏ ପାଣି ଲୋକଙ୍କ ଘରେ ପହଞ୍ଚି ପାରିନାହିଁ। ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟକାରୀ ହେବା ପର ଠାରୁ ପ୍ରତି ଅଭିଯୋଗ ଶୁଣାଣି ଶବିରରେ ଚିତ୍ରକୋଣ୍ଡା ସଦର ମହକୁମାର ବିଭିନ୍ନ ୱାର୍ଡର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରିପାରିନାହିଁ ପ୍ରଶାସନ।

ବହୁବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର, ବିଡ଼ିଓ, ବିଧାୟକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିବା ଅଭିଯୋଗ କରିଛନ୍ତି ୱାର୍ଡ ବାସିନ୍ଦା। ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା ପାତ୍ର ଓ ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ମହିଳା ମାନଙ୍କ ସହ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏବେ ସୁଦ୍ଧା ବ୍ଲକ ଅଫିସ ଗେଟ ସମ୍ମୁଖରେ ଗରା ମାଠିଆ ଧରି ବସି ରହିଛନ୍ତି ଶତାଧିକ ମହିଳା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe