ମାଲକାନଗିରି: ମାଲକାନଗିରି ଶିଳ୍ପ ବିହୀନ ଜିଲ୍ଲା। ଏହି ଜିଲ୍ଲାରେ ଗୋଟିଏ ବି ଶିଳ୍ପ ନଥିବାରୁ ସ୍ଥାନୀୟ ଅଂଚଳର ଯୁବକଯୁବତୀ କାମଧନ୍ଦା ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ଅଧିକା ରହିଥିବା ବେଳେ ପ୍ରାୟତଃ ଚାକିରି କିମ୍ବା କାମଧନ୍ଦା ନପାଇ ଗଂଜେଇ ଚାଲାଣ କିମ୍ବା ନକ୍ସଲଙ୍କ ସହ ହାତ ମିଳାଉଛନ୍ତି। ବହୁ ଯୁବକ ଯୁବତୀ ଗଂଜେଇ ଚାଲାଣରେ ବେଶ ଦିପଇସା ରୋଜଗାର କରୁଛନ୍ତି। ମାଫିଆମାନେ ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ କରି ସେମାନଙ୍କ ପିଠିରେ ଗଂଜେଇ ଲଦା ବ୍ୟାଗ ଦେଇ ଦିଲ୍ଲା,ମହାରାଷ୍ଟ ଏବଂ ରାଜସ୍ଥାନ ଅଂଚଳରେ ପଠାଉଛନ୍ତି। ଯଦି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇଥାନ୍ତା ତେବେ ବହୁ ବେକାର ଯୁବକଯୁବତୀ କାମଧନ୍ଦା ପାଇବା ସହ ଆତ୍ମନିର୍ଭରଶୀଳ ହୋଇପାରନ୍ତେ।
ଏହି ଖବର ପଢ଼ନ୍ତୁ: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ଏବେ କିନ୍ତୁ ଦୁଇଟି ସିମେଣ୍ଟ କାରଖାନାକୁ ନେଇ ତତ୍କାଳୀନ ସରକାର ଏବଂ ବର୍ତ୍ତମାନର ସରକାର ଜିଲ୍ଲାବାସୀଙ୍କୁ ଏକ ପ୍ରକାର ଆଶା ଦେଖାଇଛନ୍ତି। ତତ୍କାଳୀନ ବିଜେଡି ସରକାର ମାଲକାନଗିରି ଏବଂ ପଡିଆ ବ୍ଲକର ସୀମାନ୍ତରେ ଥିବା ମାଟାପାକା ପଞ୍ଚାୟତ କୋତାମାଟେରୁ ଠାରୁ ୨ ହଜାର କୋଟି ଟଂକା ବିନିମୟରେ ଏକ ସିମେଣ୍ଟ କାରଖାନା ଡାଲମିଆ କରିବା ନେଇ ଘୋଷଣା କରିବା ସହ ଏଥିପାଇଁ ଜନଶୁଣାଣି ମଧ୍ୟ ଏକ ପ୍ରକାର ସରିଯାଇଛି। ଆହୁରି ଅନେକ କାମ ବାକି ଥିବାରୁ ଧୀରେଧୀରେ ସେହି କାମଗୁଡ଼ିକ କରାଯାଉଥିବା ଜଣାପଡିଛି। ତେବେ ଇତି ମଧ୍ୟରେ ୫ ବର୍ଷ ବିତିଗଲାଣି।
ଏହି ଖବର ପଢ଼ନ୍ତୁ: ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ବର୍ତ୍ତମାନର ସରକାର ପଡିଆ ବ୍ଲକର ନୀଲିଗୁଡା ଠାରେ ୪ ହଜାର କୋଟି ଟଂକାର ସିମେଣ୍ଟ କାରଖାନା ଆଦାନୀ ଗ୍ରୁପ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାଲ୍ୟବନ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘୋଷଣା କରିଥିଲେ। ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୨ ହଜାର ଯୁବକଯୁବତୀ ଚାକିରି ପାଇବେ ବୋଲି ସେ କହିଥିଲେ। ଅନ୍ୟଦିଗରେ କୋତାମାଟେରୁ ଠାରେ ହେବାକୁ ଥିବା ସିମେଣ୍ଟ କାରଖାନାରେ ମଧ୍ୟ ୧ ହଜାରରୁ ଊର୍ଦ୍ଧ୍ବ ପିଲା ଚାକିରି ପାଇବାର ସୁଯୋଗ ପାଇବେ ବୋଲି କୁହାଯାଇଛି।
ତେବେ ଏହି ଦୁଇ ସିମେଣ୍ଟ କାରଖାନା ପାଇଁ ସ୍ଥାନୀୟ ୧୪ ଗୋଟି ଆଦିବାସୀ ସଂପ୍ରଦାୟର ଲୋକଙ୍କ ସହ ସଂପୃକ୍ତ କମ୍ପାନୀ ଆଲୋଚନା କଲେ କି ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝି ପ୍ରଶ୍ନ କରିଛନ୍ତି। ପୁଣି ସେ ଦୋହରାଇଛନ୍ତି ଯେ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହେବା ସହ ଏଠି ଶିଳ୍ପ ପ୍ରତିଷ୍ଠା ହେଲେ କେତେ ବିସ୍ଥାପିତ ହେବେ ଏବଂ ସେମାନଙ୍କ ପାଇଁ ସରକାର କଣ ସବୁ କ୍ଷତିପୂରଣ ଦେବେ ତାକୁ ହିସାବ କରାଯାଇଛି କି। ଜିଲ୍ଲା ପାଇଁ ଦୁଇ କମ୍ପାନି କଣ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିବେ ସେନେଇ ସ୍ପଷ୍ଟ ନା ସରକାର କରିଛନ୍ତି ନା କମ୍ପାନି କରିଛି ବୋଲି ଶ୍ରୀ ମାଝୀ ପୁଣି ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ୯୦ ପ୍ରତିଶତ ସ୍ଥାନୀୟ ପିଲା ଚାକିରି ପାଇବା ଦରକାର ବୋଲି ସେ ଦାବି କରିଛନ୍ତି। ନଚେତ କୋରାପୁଟର ଲକ୍ଷ୍ମୀପୁର ଏବଂ ରାୟଗଡା ଭଳି କେବଳ ଶିଳ୍ପ ପ୍ରତିଷ୍ଠା ହେବ ସିନା ଜିଲ୍ଲାର ଏବଂ ସ୍ଥାନୀୟ ଲୋକଙ୍କର କୌଣସି ଫାଇଦା ହେବ ନାହିଁ। କେବଳ ଲୋକେ ଧୁଳି ଓ ଧୁଆଁରେ ଘାଣ୍ଟି ହେବେ ବୋଲି ସେ ଦୋହରାଇଛନ୍ତି।
ଏହି ଖବର ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନରେ ପ୍ରଥମ ଥର ଭୋଟ ଦେବେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ