ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିରେ ଜମି, ନ୍ୟାୟ ଓ ଶାନ୍ତି ନିଶ୍ଚିତ କରିବା ପାଇଁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓଡ଼ିଶା ରାଜ୍ୟ କମିଟିର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରିଛନ୍ତି। ଡିସେମ୍ବର ମାସରେ ରାଖେଲଗୁଡ଼ା ଓ ଏମ୍‌ଭି:୨୬ ଗାଁରେ ଘଟିଥିବା ଦୁଃଖଦ ଘଟଣାଗୁଡ଼ିକର ତଥ୍ୟ ଯାଞ୍ଚ କରିବାକୁ ମାଲକାନଗିରି ଜିଲ୍ଲାକୁ ସିପିଆଇ (ଏମ୍) ପ୍ରତିନିଧି ଦଳ ମାଲକାନଗିରି ଆସିଛନ୍ତି।

Advertisment

ଏହି ପ୍ରତିନିଧି ଦଳ ରାଖେଲଗୁଡ଼ା ଗାଁକୁ ଯାଇ ନିର୍ମମ ଭାବରେ ହତ୍ୟା ହୋଇଥିବା ଆଦିବାସୀ ମହିଳା ଲାଖେ ପାଡ଼ିଆଙ୍କ ଦୁଃଖୀ ପରିବାରକୁ ଭେଟିଛନ୍ତି ଏବଂ ସ୍ଥାନୀୟ ଆଦିବାସୀ ଲୋକମାନଙ୍କ ସହ ବିସ୍ତୃତ ଭାବରେ କଥାବାର୍ତ୍ତା କରିଛନ୍ତି। ସେମାନଙ୍କର ଜମି ହରାଇବା, ଜୀବିକାର ଅନିଶ୍ଚତତା, ନିରାପତ୍ତା ଓ ମର୍ଯ୍ୟାଦା ସମ୍ବନ୍ଧୀୟ ଅଭିଯୋଗ ଓ ଦାବିଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିଛନ୍ତି। ପ୍ରତିନିଧି ଦଳରେ  ବରିଷ୍ଠ ସିପିଆଇ(ଏମ୍) ନେତା ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଆଦିବାସୀ ନେତା ସାଲ ମାର୍ଣ୍ତୀ, ଯୁବ ନେତା ସରୋଜ ନାୟକ ଏବଂ ଜିଲ୍ଲା ନେତା ବ୍ରଜ ମୋହନ ମାଝୀ, ରଘୁନାଥ ହନ୍ତାଳ, କୃଷ୍ଣ ପାଣ୍ଡି, ବଳରାମ ଗୋଲାରି ଓ ଭୂପେଶ କର୍ମକାର ପ୍ରମୁଖ ବହୁ ନେତୃବୃନ୍ଦ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।

କେବଳ ରିଲିଫ୍ ଦେଲେ ନ୍ୟାୟ ମିଳିବନି!

କେବଳ ରିଲିଫ୍ ଦେଲେ ନ୍ୟାୟ ଓ ଜମି ଅଧିକାର ମିଳିବ ନାହିଁ। ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ମାଲକାନଗିରିରେ ଆଦିବାସୀ ଓ ଶରଣାର୍ଥୀ ମଧ୍ୟରେ ଜାତିଗତ ମୁକାବିଲା ଘଟଣାକୁ ନେଇ ବହୁତ ଚିନ୍ତା ପ୍ରକାଶ କରିଛି। ସରକାର ଓ ଜିଲ୍ଲା ପ୍ରଶାସନ ପରିସ୍ଥିତି ଖରାପ ହେବା ପରେ ରିଲିଫ୍ ଓ କ୍ଷତିପୂରଣ ଘୋଷଣା କରିଛନ୍ତି। କିନ୍ତୁ  ଏଗୁଡ଼ିକ ଯଥେଷ୍ଟ ନୁହେଁ। କାରଣ ସଂଘର୍ଷର ମୂଳ କାରଣ ହେଉଛି ଆଦିବାସୀମାନେ ଜମି ହରାଇବା ଓ ଜୀବିକାର ଅନିଶ୍ଚିତତା ଏବେ ବି ସମାଧାନ ହୋଇନାହିଁ। ପ୍ରତିନିଧି ଦଳ ଗାଁରେ ଯାଇ ଲୋକଙ୍କ ସହ କଥା ହେବା ପରେ ଦେଖାଦେଇଛି ଯେ ଆଦିବାସୀମାନଙ୍କ ମଧ୍ୟରେ ଜମି, ଜୀବିକା ପ୍ରସଙ୍ଗ ସହିତ ଭବିଷ୍ୟତ ପାଇଁ ବହୁତ ଭୟ ଓ ଅନିଶ୍ଚିତତା ରହିଛି। ଅନେକ ଜାଗାରେ ଆଦିବାସୀ ଓ ଜଙ୍ଗଲ ଜମିର ଅବୈଧ ଦଖଲ ଚାଲିଛି।

ଆହୁରି ପଢ଼ନ୍ତୁ: Saudi Arabia: ସାଉଦି ଆରବରେ ଓଟ ଦୌଡ଼, ବିଜେତାଙ୍କୁ ମିଳିଲା ଘରୋଇ ଦ୍ୱୀପ

ଅବିଶ୍ୱାସ ଓ ଝଗଡ଼ା ବଢ଼ୁଛି

ପଞ୍ଚମ ଅନୁସୂଚିତ ଅଞ୍ଚଳ, ପେସା, ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ ଜମି ହସ୍ତାନ୍ତର ନିୟମ (ଏଲ୍‌ଟିଆର୍) ଠିକ୍ ଭାବରେ ଲାଗୁ ହେଉନାହିଁ। ସେଥିପାଇଁ ଅବିଶ୍ୱାସ ଓ ଝଗଡ଼ା ବଢ଼ୁଛି। ସରକାରୀ ରିଲିଫ୍‌ଗୁଡ଼ିକ ଅସ୍ଥାୟୀ ଏବଂ ଦୀର୍ଘକାଳୀନ ନ୍ୟାୟ ପାଇଁ କାର୍ଯ୍ୟକ୍ରମ ନିଆଯାଉ ନାହିଁ। ପୂରା ଜମି ସର୍ଭେ ନହେବାରୁ ବାରମ୍ବାର ଝଗଡ଼ା ଓ ହିଂସା ହେଉଛି। ସିପିଆଇ. (ଏମ୍) କହିଛି ଯେ ଜମି ପ୍ରସଙ୍ଗ ସମାଧାନ  ନହେଲେ ମାଲକାନଗିରିରେ ସ୍ଥାୟୀ ଶାନ୍ତି ଆସିବ ନାହିଁ।  ଆଦିବାସୀଙ୍କୁ ଜମି ଦେଲେ ହିଁ ଶାନ୍ତି ଓ ବିକାଶ ହେବ। ସି.ପି.ଆଇ(ଏମ୍) ସ୍ପଷ୍ଟ କହୁଛି ଯେ ଆଦିବାସୀଙ୍କ ଜମି, ଜୀବିକା ଓ ସମ୍ବିଧାନିକ ଅଧିକାର ହିଁ ମାଲକାନଗିରିର ଶାନ୍ତି ଓ ବିକାଶର ମୂଳ କଥା। ଜମି ନିରାପତ୍ତା କୁ ଗ୍ୟାରେଣ୍ଟି ନକରି ରିଲିଫ୍ ଦେଲେ ସମସ୍ୟା ସମାଧାନ ହେବ ନାହିଁ।

ଆହୁରି ପଢ଼ନ୍ତୁ: Saudi Arabia: ସାଉଦି ଆରବରେ ଓଟ ଦୌଡ଼, ବିଜେତାଙ୍କୁ ମିଳିଲା ଘରୋଇ ଦ୍ୱୀପ