ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଥିବା ଇସଲାମ ନଗର ଉପରେ ଜିଲ୍ଲା ପ୍ରଶାସନର ବୁଲଡୋଜର ବୁଲିଲା। ମୋଟୁର ଖାନ୍ ପରିବାର ଶତାଧିକ ଏକର ସରକାରୀ ଓ ଜଙ୍ଗଲ ବିଭାଗର ଜମିକୁ ଜବର ଦଖଲ କରିଥିଲେ। ଏପରିକି ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ହଡପ ମଧ୍ୟ କରାଯାଇ ସେଠାରେ ପୋଖରୀ ଓ ରାସ୍ତା ନିର୍ମାଣ କରାଯାଇଥିଲା।

Advertisment

ଏହି ଇସଲାମ ନଗରକୁ ମୌସୁମ ଖାନ, ଇସମାଇଲ ଖାନ, ହସନ ଖାନ ଭଳି ଭାଇମାନେ ବଳପୂର୍ବକ ନିର୍ମାଣ କରିଥିଲେ। ଏ ନେଇ ବର୍ଷକ ତଳେ ‘ସମ୍ବାଦ’ରେ ଖବର ପ୍ରସାରଣ ହୋଇଥିଲା। ରାଜସ୍ୱ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତେବେ ମୋଟୁ ତହସିଲ ଅନ୍ତର୍ଗତ ବାରିବାଞ୍ଚା ମୌଜାର ଅକ୍ତିଆରରେ ଥିବା ଜମିକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ ଖାନ୍ ପରିବାର। କିନ୍ତୁ ସେଇ ଜମି ଗ୍ରାମ୍ୟ ଜଙ୍ଗଲ ହୋଇଥିବାରୁ ଓ ଜମିକୁ ନେଇ କୌଣସି ଠୋସ ପ୍ରମାଣ ମିଳିନଥିବା ଯୋଗୁଁ ଉଚ୍ଚ ନ୍ୟାୟାଳୟ ଜଣକିଆ ଖଣ୍ଡପୀଠ ଜଷ୍ଟିସ ଡ଼. ସଞ୍ଜୀବ କୁମାର ପାଣିଗ୍ରାହୀ ଖାନ୍ ପରିବାରର ଆବେଦନକୁ ଖାରଜ କରିଥିଲେ।

ଆହୁରି ପଢ଼ନ୍ତୁ: hockey worldcup: ଗୋଲ୍ ପିଛା ୧୦୦ ଗଛ: ହକି ବିଶ୍ବକପ୍‌ରେ ବନୀକରଣ ବାର୍ତ୍ତା

ତେବେ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସ୍ପଷ୍ଟ ପ୍ରମାଣିତ ହେବା ପରେ ମୋଟୁରେ ଗଢି ଉଠିଥିବା ବେଆଇନ ଇସଲାମ ନଗର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଲଡୋଜର ଲଗାଇ ସମସ୍ତ ଘରକୁ ଭାଙ୍ଗିବା ସହ ସେହି ଅଂଚଳକୁ ନିଷିଦ୍ଧ କରାଯାଇଛି। ମୋଟୁ ତହସିଲଦାରଙ୍କ ନେତୃତ୍ୱରେ  ଇସଲାମ ନଗର ରେ ବେଆଇନ ଭାବେ ଗଢି ଉଠିଥିବା କିଛି କୋଠାକୁ ଭଙ୍ଗା ଯାଇଥିବା ବେଳେ ଆଉ ଦିନେ ଦୁଇ ଦିନ ମଧ୍ୟରେ ସରକାରୀ ପ୍ରକ୍ରିୟା ପରେ ସମସ୍ତ କୋଠାକୁ ଭଙ୍ଗାଯିବା ବୋଲି କୁହାଯାଇଛି। ସେହିପରି ସେଠାରେ ଦୁଇଟି ବିରାଟକାୟ ପୋଖରୀ ମଧ୍ୟ ଖୋଳାଯାଇଛି। ଯାହାକୁ ପ୍ରଶାସନ ତରଫରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଖାନ ପରିବାର ପ୍ରଶାସନର ଜବରଦଖଲ ଉଚ୍ଛେଦ ପରେ ସେମାନେ ସେଠାରୁ ଚାଲିଯାଇଥିବା ଜଣାପଡିଛି।