ଆଇଟିଡିଏରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ଆଇଟିଡିଏରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତରଫରୁ ଆଇଟିଡିଏ ବିଭାଗରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବି କରାଯାଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମୀଳନିରେ ଆଦିବାସୀ ନେତା ଘନଶ୍ୟାମ ମାଡକାମୀ, ସନୁ ଅନୁଗୁ ସମେତ ଅନ୍ୟ ନେତାମାନେ ଦବାି କରିଥିଲେ। ଭୁବନେଶ୍ବରରୁ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସହକାରୀ ଅଡିଟର ଆର୍ତ୍ତବନ୍ଧୁ ରାଉତ ମାଲକାନଗିରି ସରକାରୀ କାର୍ଯ୍ୟରେ ଆସି ଆଇଟିଡିଏ କାର୍ଯ୍ୟାଳୟରେ ହେଉଥିବା ସମସ୍ତ ଖର୍ଚ୍ଚର ତଦନ୍ତ କରିଥିଲେ। ତେବେ ସେ ଗତକାଲି ଭବନେଶ୍ବର ଯାଉଥିବା ବେଳେ ଜୟପୁର ନିକଟରେ ତାଙ୍କୁ ନଗଦ ୭ ଲକ୍ଷ ୨୯ ହଜାର ଟଂକା ସହ ଭିଜିଲାନସ ଧରିଥିଲା। ସେ ଏତେ ଟଂକା କେଉଁଠାରୁ ଆଣିଲେ ତାହା ତଦନ୍ତ ସାପେକ୍ଷ। ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବିଭାଗରୁ ଆଦିବାସୀଙ୍କ ବିକାଶ ନାମରେ କୋଟି କୋଟି ଟଙ୍କାର ଅନୁଦାନ ହ଼ଡପ କରାଯାଉଥିବା ମହାସଂଘ ଅଭିଯୋଗ କରିଛି। ମାଲକାନଗିରି ଜିଲ୍ଲା ଆଦିବାସୀଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଏତେ ଟଂକା ଶ୍ରୀ ରାଉତଙ୍କୁ କାହିଁକି ଏବଂ କିଏ ଦେଲା। ଯଦି ବା ଦେଲା କେତେ ଟଂକାର ଘୋଟାଲାକୁ ଚପାଇବାକୁ ଏହି ଟଂକା ଦିଆଯାଇଥିଲା। ଏହାକୁ ମାଲକାନଗିରି ଆଦିବାସୀ ସମାଜ ମହାସଂଘ ତୀବ୍ର ବିରୋଧ କରୁଛି। ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ବିକାଶ ନାମରେ ସରକାରୀ ଅନୁଦାନର ସଠିକ ବିବରଣୀର ପୁଙ୍ଖାନୁପୁଙ୍ଖ ଭବେ ତଦନ୍ତ କରାଯିବା ସହ ବର୍ତ୍ତମାନ ଧରାପଡିଥିବା ଘୋଟାଲାର ସିବିଆଇ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ବୋଲି ଦାବି କରାଯାଇଛି।

ପ୍ରକାଶ ଥାଉକି ୨୦୧୫ ମସିହାରେ ମାଲକାନଗିରି ଆଇଟିଡିଏ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଆର.କେ.ବେହେରା ସ୍ଥାନୀୟ ସର୍କିଟ ହାଉସ ଠାରେ ୧୦ ଲକ୍ଷ ଟଂକା ଗଚ୍ଛିତ ରଖିଥିବା କଥା ଭିଜିଲାନସ ଜାଣିବା ପରେ ଚଢାଉ କରି ଟଂକା ଜବତ କରିଥିଲା। ଏଥିସହ ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେହିପରି ମାଲକାନଗିରିରେ କାର୍ଯ୍ୟ କରୁଥିବା ଗୋପବନ୍ଧୁ ଉନ୍ନୟନ ସଂସ୍ଥା ମଧ୍ୟ ଗତ ୨୦୧୭ ମସିହାରେ ଆଦିବାସୀ ଚାଷୀଙ୍କୁ ସାର ଓ ବିହନ ଯୋଗାଇ ଦେବା ନାମରେ ୬ ଲକ୍ଷ ଟଂକା ଆତ୍ମସାତ କରିଥିବା ଜଣାପଡିଥିଲା। ଏହି ଅର୍ଥ ଆଦିବାସୀ ଜୀବିକା ମିଶନର ଥିଲା। ଆଦିବାସୀମାନେ ଏହାର ତଦନ୍ତ ପାଇଁ ଦାବି କରିବାରୁ ଏହି ସଂସ୍ଥାର ମୁଖ୍ୟ ଦେବେନ୍ଦ୍ର ବେହେରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଏହିଭଳି ଜିଲ୍ଲାରେ ବହୁ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ନଜିର ରହିଛି। ଜିଲ୍ଲାର ବିଭିନ୍ନ ବିଭାଗରେ ହେଉଥିବା ଘୋଟାଲାର ପର୍ଦାଫାସ କରିବା ସହ ସିବିଆଇ ଯାଞ୍ଚ ପାଇଁ ମହାସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe