ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣିରେ ମିଲର କିମ୍ବା ପ୍ରଶାସନର କୌଣସି ଅଧିକାରୀ ମଣ୍ଡିରେ ପହଞ୍ଚି ନଥିବାରୁ ଗତ ଦୁଇ ଦିନ ଧରି ଧାନ ଉଠିନଥିଲା। ଅନ୍ୟପଟେ ଧାନ ବିକ୍ରି ପାଇଁ ଚାଷୀ ଦୁଇ ଦିନ ଖରା ଶୀତରେ ଧାନକୁ ଜଗି ରହିଥିଲେ। ତେବେ ଆଜି ବାଧ୍ୟ ହୋଇ ଚାଷୀ ଆନ୍ଦୋଳନ କରିବା ସହ ରାସ୍ତାରୋକ କରିଥିଲେ। ଗତ ବୁଧବାର ଦିନ ପାଣ୍ଡ୍ରିପାଣିରେ ଧାନ କିଣିବାକୁ ଧାର୍ଯ୍ୟ ହୋଇଥିଲା। ଚାଷୀ ଧାନ ଆଣି ମଣ୍ଡିରେ ପହଞ୍ଚିଥିଲେ। କିନ୍ତୁ ହଠାତ୍ ଗୁରୁବାର ଦିନ ଧାନ କିଣାଯିବ ବୋଲି କୁହାଗଲା। କିନ୍ତୁ ଗୁରୁବାର ଦିନ ମଣ୍ଡିରେ କୌଣସି ମିଲର, ଯୋଗାଣ ବିଭାଗ କିମ୍ବା ଲ୍ୟାମ୍ପସ କର୍ମଚାରୀଙ୍କ ଦେଖା ମିଳି ନଥିଲା। ଏହାପରେ ଚାଷୀ ଆଜି ତାତି ଯାଇଥିଲେ। ଅପରାହ୍ନରେ ଜାତୀୟ ରାଜପଥ ୩୨୬କୁ ଅବରୋଧ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ମାଲକାନଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଚାଷୀଙ୍କୁ ବୁଝାସୁଝା କରିଥିଲେ।ହେଲେ ମଧ୍ୟ ଚାଷୀ ଆଜି ଧାନ ଉଠିବା ପାଇଁ ଜିଦ ଧରିଥିଲେ। ପରେ ଯୋଗାଣ ଅଧିକାରୀ ଏବଂ ମିଲର ଘଟଣା ସ୍ଥଳରେ ପହଞ୍ଚି ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତେ ରାସ୍ତାରୁ ହଟିଥିଲେ। ଚାଷୀଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଏଭଳି ମନଭାବକୁ ସାଧାରଣରେ ନିନ୍ଦା କରାଯାଇଥିଲା। ଚାଷୀଙ୍କୁ ବାରମ୍ବାର ହତାଶ କରାଯାଉଥିବା ଜିଲ୍ଲାରେ ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ ତରଫରୁ ସମସ୍ତ ମଣ୍ଡିରେ ଠିକ ରୂପେ ଧାନ ଉଠାଇବା ପାଇଁ ଦାବି ହୋଇଛି।
ମଣ୍ଡିରେ ପହଞ୍ଚିଲେନି ମିଲର, ପ୍ରଶାସନ : ପାଣ୍ଡ୍ରିପାଣିରେ ଚାଷୀଙ୍କ ରାସ୍ତାରୋକ
Advertisment
Follow Us