ଏନକାଉଣ୍ଟରରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲା ପୁଲିସ: ମାଓବାଦୀ

ବିଜାପୁର ଜିଲ୍ଲା ଉସୁର ବ୍ଲକର ରେଖପାଲ୍ଲୀ, ତୁମିରଗୁଡା, ଗୁଣ୍ଡିରଗୁଡ଼ା, ସିଙ୍ଗାନପାରା ଗ୍ରାମ ନିକଟସ୍ଥ କ୍ଷେତରେ ଧାନ ଅମଳ କରୁଥିବା ସାଧାରଣ ଗ୍ରାମବାସୀଙ୍କ ଉପରେ ଡିଆରଜି, ଏସଟିଏଫ, ସିଆରପିଏଫ, ବସ୍ତର ଫାଇଟର୍ସ ଯବାନ ସକାଳ ୬ଟାରୁ ସଂଧ୍ୟା ୩ଟା ପର୍ଯ୍ୟନ୍ତ ଅହରହ ଗୁଳି ଚଳାଇଥିଲେ।

naxal encounter

ମାଲକାନଗିରି: ଗତ ୮ ତାରିଖରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ବ୍ଲକର ରେଖପାଲ୍ଲୀ, ତୁମିରଗୁଡା, ଗୁଣ୍ଡିରଗୁଡ଼ା, ସିଙ୍ଗାନପାରା ଗ୍ରାମ ନିକଟସ୍ଥ କ୍ଷେତରେ ଧାନ ଅମଳ କରୁଥିବା ସାଧାରଣ ଗ୍ରାମବାସୀଙ୍କ ଉପରେ ଡିଆରଜି, ଏସଟିଏଫ, ସିଆରପିଏଫ, ବସ୍ତର ଫାଇଟର୍ସ ଯବାନ ସକାଳ ୬ଟାରୁ ସଂଧ୍ୟା ୩ଟା ପର୍ଯ୍ୟନ୍ତ ଅହରହ ଗୁଳି ଚଳାଇଥିଲେ। ଏହି ଗୁଳିବିନମୟରେ ରେଖାପାଲ୍ଲୀ ନିବାସୀ କୁଞ୍ଜାମ ଯୋଗୀ ଏବଂ ତୁମିରଗୁଡାର ବାସିନ୍ଦା ପଡିଆମ ହିଡମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଦୁଇ ଗ୍ରାମବାସୀ ବିବାହିତ ଏବଂ ସେମାନଙ୍କର ସନ୍ତାନ ମଧ୍ୟ ରହିଛନ୍ତି।

ଗୁଳିବିନିମୟରେ ଆଉ କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଥିଲେ। ଧରାପଡ଼ିଥିବା ଦଶ ଜଣ ପୁରୁଷ ଓ ମହିଳାଙ୍କୁ ଗୁରୁତର ଭାବେ ପିଟି ବିଜାପୁରକୁ ନିଆଯାଇଛି ବୋଲି ନକ୍ସଲ ଆଜି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏହି ଆକ୍ରମଣର ଜବାବରେ ନକ୍ସଲ ସଂଗଠନର ପିଏଲଜିଏ ବାହିନୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଆମର ପିଏଲଜିଏର ସାହସୀ ଯୋଦ୍ଧା ତଥା ଦଶମ ପ୍ଲାଟୁନର କମାଣ୍ଡର ସାଥୀ ମାଧବୀ ଜଗା ମଧ୍ୟ ସହିଦ ହୋଇଥିଲେ। ସେ ସୁକମା ଜିଲ୍ଲାର କୋଟା ତହସିଲ, କୋଲାଇଗୁଡା କୋସାନପାରା ଗାଁର ବାସିନ୍ଦା। ଆମେ ଜଣେ ଗରିଲା ଯୋଦ୍ଧାଙ୍କୁ ହରାଇଲୁ ବୋଲି ସଂଗଠନ କହିଛି।

ଏହି ଆକ୍ରମଣରେ ପୁଲିସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ସେମାନଙ୍କର କ୍ଷତି ବିଷୟରେ ପ୍ରକାଶ କରାଯାଉ ନାହିଁ। ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ବଳିଦାନ ଦେଇଥିବା କମ୍ରେଡମାନଙ୍କ ସ୍ବପ୍ନକୁ ପୂରଣ କରିବୁ ବୋଲି କୁହାଯାଇଛି। ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସହିଦଙ୍କ ପରିବାରକୁ ଆମେ ସମବେଦନା ଜଣାଉଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅପରେସନ କଗାର ନାମରେ ଲୋକଙ୍କୁ ଧରି ମାରିବା, ଏନକାଉଣ୍ଟର କରିବା, ମହିଳାଙ୍କୁ ନିର୍ଯାତନା ଦେବା, ଲୋକଙ୍କର ସୁନା, ରୂପା ଲୁଟ କରିବା ଭଳି କାର୍ଯ୍ୟ ପୁଲିସର ଯବାନମାନେ କରୁଥିବା ଅଭିଯୋଗ କରାଯାଇଛି।

ନକ୍ସଲ ସଂଗଠନକୁ ଦମନ କରିବା ପାଇଁ ଏହି ଅଂଚଳରେ ରାସ୍ତା, ମୋବାଇଲ ଟାୱାର, ସ୍କୁଲ, ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରି ଏହି ଅଂଚଳର ଜଂଗଲକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି। ସମସ୍ତ ଜଂଗଲ ଜମିକୁ ପୁଞ୍ଜିପତିମାନଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ଦକ୍ଷିଣ ବସ୍ତର ଡିଭିଜନ ଏହି ହତ୍ୟାକାଣ୍ଡକୁ ନିନ୍ଦା କରୁଥିବା କୁହାଯାଇଛି। ପୁଲିସର ଏହି ହତ୍ୟାକାଣ୍ଡକୁ ସମସ୍ତ ବର୍ଗର ଲୋକେ ବିରୋଧ କରିବା ସହ ଆନ୍ଦୋଳନ କରନ୍ତୁ ବୋଲି ଦକ୍ଷିଣ ବସ୍ତର ଡିଭିଜନର ସଚିବ ଗଙ୍ଗା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe