ମାଲକାନଗିରି: ନକ୍ସଲ ସଂଗଠନର ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ବିକଳ୍ପ ପ୍ରେସ ବିଜ୍ଞପ୍ତି ଜାରି କରି ଗତ ୨୨ ତାରିଖରେ ହୋଇଥିବା ଏନକାଉଣ୍ଟରକୁ ମିଥ୍ୟା ବୋଲି ଅଭିଯୋଗ କରିଛି। ସେ ପୁଲିସର ଏହି କାହାଣୀକୁ ପର୍ଦାଫାସ କରିଥିବା ପତ୍ରରେ କହିଛି। ପୁଲିସ ଗତ ୧୦ରୁ ୨୦ ତାରିଖ ଭିତରେ ଏହି ଦୁଇ ଜଣ ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ଗିରଫ କରିଛି ବୋଲି ଆଶଂକା କରିଛି।
ସେଣ୍ଟ୍ରାଲ କମିଟି ମେମ୍ବର କୋଟ୍ଟା ରାମଚନ୍ଦ୍ର ରେଡ୍ଡୀ ଓ କଡାରି ସତ୍ୟ ନାରାୟଣ ରେଡ୍ଡୀଙ୍କୁ ଗିରଫ କରିବା ପରେ ପୁଲିସ ଜଂଗଲକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛି। ଏହି ଦୁଇ ସେଣ୍ଟ୍ରାଲ କମିଟି ମେମ୍ବର ଜଂଗଲରେ ରାଜୁ ଦାଦା ଓ କୋସା ଦାଦା ଭାବେ ବେଶ ପରିଚିତ। ଏମାନଙ୍କର କାମ ସହରରେ ରହି ନକ୍ସଲ ଗତିବିଧିକୁ ଆହୁରି ତୀବ୍ର କରିବା।
ତେବେ ପୁଲିସ ଏମାନଙ୍କର ସୂଚନା ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ଠାରୁ ପାଇବା ପରେ ଗିରଫ କରିଛି। ପରେ ଏମାନଙ୍କୁ ଆବୁଝମାଡ ଜଂଗଲରେ ନେଇ ହତ୍ୟା କରିଥିଲା। ଆମେ ସ୍ବୀକାର କରୁଛୁ ଏବଂ ରାଜୁ ଦାଦା ମଧ୍ୟ ଗତ ୯ ସେପ୍ଟେମ୍ବରରେ ଏକ ଚିଠିରେ ଆତ୍ମସମର୍ପଣ କରିଥିବା ଗଦ୍ଦାର ନକ୍ସଲମାନଙ୍କ ଭିତିରିକ କଥା ଲେଖିଥିଲେ। ଏମାନେ ସଂଗଠନକୁ ଦୁର୍ବଳ କରିବା ପାଇଁ ସମସ୍ତ ସୂଚନା ପୁଲିସକୁ ଦେଉଛନ୍ତି। ତେଣୁ ଆମର ବହୁ ସାଥୀକୁ ପୁଲିସ ମାରିବାରେ ସଫଳ ହୋଇଛି। ତେଣୁ ସଂଗଠନ ଭିତରେ ରହିଥିବା ଗଦ୍ଦାରଙ୍କୁ ମଧ୍ୟ ଚିହ୍ନଟ କରାଯାଉ।
ତେବେ ନକ୍ସଲ ଏମାନଙ୍କର ବଳିଦାନକୁ ବ୍ୟର୍ଥ ଯିବାକୁ ଦେବନ ନାହିଁ ବୋଲି ଚେତାବନୀ ଦେଇଛି। ଏହାର ଉଚିତ ଜବାବ ଦିଆଯିବ ବୋଲି ଧମକ ଦେଇଛନ୍ତି। ପୁଲିସ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନକ୍ସଲ ବିଭିନ୍ନ ସଂଗଠନକୁ ଆନ୍ଦୋଳନ କରିବା ପାଇଁ ଦାବି କରିଛନ୍ତି। ସଂଗଠନରେ ବହୁ ସମସ୍ୟା ରହିଛି, ଯାହାକୁ ତୁରନ୍ତ ସମାଧାନ କରିବା ପାଇଁ ରାଜୁ ଦାଦା ଏକ ଚିଠିରେ ଅନ୍ୟ ସେଣ୍ଟ୍ରାଲ କମିଟି ମେମ୍ବରମାନଙ୍କୁ ସୂଚାଇ ଥିଲେ। ତେବେ ଆଗାମୀ ଦିନରେ ପୁଲିସଲ ଏହି ମିଥ୍ୟା ଏନକାଉଣ୍ଟରକୁ କି ଜବାବ ଦେଉଛି ଦେଖିବାକୁ ବାକି ରହିଲା।
Malkangiri
Follow Us