ମାଲକାନଗିରି: ଅବିଭକ୍ତ କୋରାପୁଟ ଜିଲ୍ଲାର ଘଂଚ ଜଂଗଲ ସେଠାରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ବରଦାନ ସ୍ବରୂପ। ଏହି ଜଂଗଲ ସେମାନଙ୍କ ପାଇଁ ଏକାଧାରରେ ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଯୋଗାଇ ଥାଏ। ହଜାର ହଜାର ବର୍ଷ ତଳୁ ସେମାନେ ଜଂଗଲରେ ମିଳୁଥିବା ବିଭିନ୍ନ ଜାତିର କୋଳି ଏବଂ ଫଳକୁ ପ୍ରିୟ ଖାଦ୍ୟ ରୂପେ ଗ୍ରହଣ କରିଆସୁଛନ୍ତି। ଜଂଗଲ ଭିତରେ ମିଳୁଥିବା କୋଳି ମଧ୍ୟରୁ ଜାମୁକୋଳି, କୁସୁମକୋଳି, କେନ୍ଦୁ, ଚାରୁକୋଳି, ଚୁନକୋଳି, ଅଁଳା ଇତ୍ୟାଦି ସେମାନେ ସଂଗ୍ରହକରି ଖାଇବା ସହ ବଜାରରେ ବିକ୍ରି ମଧ୍ୟ କରିଥାନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ବଣ୍ଡାଘାଟିରେ ‘ପଟ୍ଟା ପରବ‘ ପାଳିତ

ବିଭିନ୍ନ କାରଣରୁ ଜଂଗଲ ଉଜୁଡି ଯିବା ଫଳରେ ଧୀରେଧୀରେ ଏହି କୋଳି ସବୁ ଦୁଷ୍ପ୍ରାପ୍ୟ ହେବାକୁ ବସିଲାଣି। ଋତୁ ଅନୁଯାୟୀ ମିଳୁଥିବା କୋଳିଗୁଡିକ ମଧ୍ୟରୁ କେନ୍ଦୁ ଏକ ସହଜଲବ୍ଧ କୋଳି ବା ଫଳ। ଏହି ଜାତିର ଗଛ ଗାଁ ମୁଣ୍ଡରେ, ରାସ୍ତାକଡ଼ରେ ତଥା ଜଂଗଲ ଭିତରେ ବହୁ ସଂଖ୍ୟାରେ ଦେଖିବାକୁ ମିଳେ। ଗ୍ରୀଷ୍ମଋତୁରେ ପ୍ରାୟ କେନ୍ଦୁ ଫଳିବା ଆରମ୍ଭ ହୁଏ ଏବଂ ଏହି ଋତୁର ମଧ୍ୟଭାଗରେ ପାଚେ। ପାଚିଲା କେନ୍ଦୁ ଜଂଗଲ ଭିତରେ ବାସ କରୁଥିବା ବନବାସୀଙ୍କ ଠାରୁ ଆରମ୍ଭକରି ସହରରେ ବାସ କରୁଥିବା ଶିକ୍ଷିତ ଶ୍ରେଣୀର ଲୋକଙ୍କର ଏକ ପ୍ରିୟ କୋଳି। କେନ୍ଦୁ ଯେତେବେଳେ ପାଚି ଝଡିପଡ଼େ, ପିଲାଠାରୁ ବୁଢାଯାଏଁ ସମସ୍ତେ କେନ୍ଦୁକୁ ଗୋଟେଇ ଖାଇବାର ମଜା ନେଇଥାନ୍ତି।

ଜଂଗଲ ଭିତରୁ ନିଜ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଷ ସଂଗ୍ରହ କରିବାକୁ ଯାଉଥିବା ବନବାସୀ ଫେରିଲାବେଳକୁ ଅଣ୍ଟିରେ ଅଣ୍ଟିଏ କେନ୍ଦୁ ଗୋଟିଏ ଆଣିଥାନ୍ତି। କେନ୍ଦୁ ଯେ ମଣିଷର ପ୍ରିୟ କୋଳି, ତାହା ନୁହେଁ ଜଂଗଲର ଜୀବଜନ୍ତୁ ବି ଏହାକୁ ନିଜର ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ବିଶେଷକରି କେନ୍ଦୁ ଭାଲୁମାନଙ୍କର ପ୍ରିୟ ଖାଦ୍ୟ। କେତେବେଳେ ସେମାନେ ମାଟିରେ ପଡ଼ିଥିବା ପାଚିଲା କେନ୍ଦୁକୁ ଗୋଟେଇ ଖାଆନ୍ତି ତ ଆଉ କେତେବେଳେ କେନ୍ଦୁର ଲୋଭରେ ଗଛରେ ମଧ୍ୟ ଚଢୁଥିବା ଦେଖିବାକୁ ମିଳେ।

ଏହି ଖବର ପଢ଼ନ୍ତୁ: ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଆଜିକାଲି ଜଂଗଲ ଧ୍ବଂସ ହେବାଯୋଗୁଁ କେନ୍ଦୁ ଭଳି ଏକ ସୁଲଭ କୋଳି ବା ଫଳ ସଂପୂର୍ଣ୍ଣ ଦୁଷ୍ପ୍ରାପ୍ୟ ହୋଇଗଲାଣି। ହାଟ, ବଜାରରେ କାଁ ଭାଁ ପାଚିଲା କେନ୍ଦୁ ଗ୍ରୀଷ୍ମ ଋତୁରେ ବିକ୍ରି ହେଉଥିବାର ଦେଖିବାକୁ ମିଳେ। ସାଧାରଣଭାବେ ବିସେଷଗୁରୁତ୍ବ ବହନ କରୁନଥିଲେ ମଧ୍ୟ କେନ୍ଦୁ ଯେ ଜଂଗଲଜାତ ଋତୁକାଳିନ କୋଳି ମଧ୍ୟରୁ ଅନ୍ୟତମ ଏହାକୁ ଅସ୍ବୀକାର କରିହେବ ନାହିଁ। ପ୍ରତି ଋତୁ ଅନୁଯାୟୀ ଜଂଗଲରେ ଫଳୁଥିବା ଫଳକୁ ଆଦିବାସୀମାନେ ବଜାରରେ ବିକ୍ରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାନ୍ତି।

ଏହି ଖବର ପଢ଼ନ୍ତୁ: ୫ ଲକ୍ଷରେ ବାଂଲାଦେଶୀଙ୍କୁ ଭାରତୀୟ ବନାଉଥିବା ବ୍ୟକ୍ତି ଗିରଫ

ତେବେ ଜଂଗଲରେ ଏହି ଫଳର ଅଭାବ ଏବଂ ଦୁଷ୍ପ୍ରାପ୍ୟ ହେବାରୁ ଆଗାମୀ ଦିନରେ ପିଲମାନେ ଏହି ଫଳକୁ କେବଳ ଫଟୋରେ ହିଁ ଦେଖିପାରିବେ ସିନା ଏହାକୁ ଖାଇବାର ଲାଭ ଉଠାଇପାରିବେ ନାହିଁ। ଦିନ ଥିଲା ପ୍ରତି ଗାଁରେ କେନ୍ଦୁ ପ୍ରଚୁର ମାତ୍ରାରେ ମିଳୁଥିଲା। କିନ୍ତୁ ଏବେ କେନ୍ଦୁ କୋଳି ଖାଇବାକୁ ଲୋକେ ଅନେଇ ବସିଥିଲେ ମଧ୍ୟ ଏହା କାଁ ଭାଁ ଜାଗାରେ ହିଁ ମିଳୁଥିବା ଦେଖିବାକୁ ମିଳିଛି। ଏଥିସହ ଜଂଗଲରୁ ମିଳୁଥିବା ଅନ୍ୟ କୋଳି ମଧ୍ୟ ଏବେ ଦୁଷ୍ପ୍ରାପ୍ୟ ହେଲାଣି। କେନ୍ଦୁ ଗଛଗୁଡିକକୁ ଛୋଟ ଥିଲା ବେଳେ କାଟି ତାକୁ ଠିକାଦାରମାନେ ପକ୍କା ଘରର ସ୍ଲାପ ପକାଇବା ପାଇଁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ବନ ବିଭାଗ ସଜାଗ ହେଲେ ଏହି ଦୁଷ୍ପ୍ରାପ୍ୟ କୋଳି ସହ ଅନ୍ୟ ଜଂଗଲଜାତ କୋଳି ପୁଣି ବଜାରରେ ମିଳିବ ବୋଲି ମତ ପ୍ରକାଶ ପାଇଛି।

ଏହି ଖବର ପଢ଼ନ୍ତୁ: ୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା