Tribal people oppsed IDCO in Malkangiri on Thursday. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଇଡ୍କୋ ପାଇଁ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଜାଗା ଚିହ୍ନଟ କରିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରୁଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ସୀମାଗୁଡ଼ି ନିକଟସ୍ଥ ଜଂଗଲକୁ ଛାଡ଼ିବୁ ନାହିଁ ବୋଲି ଆଜି ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକତ୍ର ହୋଇ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। ସେମାନେ ପାରଂପାରିକ ଅସ୍ତ୍ରଶସ୍ତ୍ର ସହ ରାଜରାସ୍ତାକୁ ଓହ୍ଲାଇ ଥିଲେ। ମରିବୁ ପଛେ ଛାଡ଼ିବୁ ନାହିଁ ଇଞ୍ଚେ ଜାଗା। ଏଭଳି ନାରା ଦେଇ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୧୦ କିମି ଦୂର ସୀମାଗୁଡ଼ି ଜାତୀୟ ରାଜପଥରେ କରିଛନ୍ତି ଏକ ବିରାଟ ଶୋଭାଯାତ୍ରା।
ଆନ୍ଦୋଳନ ତୀବ୍ରତର ଚେତାବନୀ
ଓଡ଼ିଶା ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ଼କୋ) ପାଇଁ ମାଲକାନଗିରି ପ୍ରଶାସନ ସୀମାଗୁଡ଼ି ନିକଟରେ ୪୨ ଏକାର ଜାଗା ଚିହ୍ନଟ କରିଥିବା ବେଳେ ଏହାକୁ ବିରୋଧ କରିଛି ଆଦିବାସୀ ମହାସଂଘ। ଏହି ଜାଗାରେ ବର୍ଷ ବର୍ଷ ଧରି ଆଦିବାସୀମାନେ ଚାଷ କରିବା ସହ ଜଂଗଲରୁ କାଠ ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ତେଣୁ ଏଠାରେ କୌଣସି କମ୍ପାନି ପ୍ରତିଷ୍ଠା ହେଲେ ଆଦିବାସୀମାନେ ଜୀବିକା ହରାଇବେ। ପ୍ରଶାସନ ଜବରଦସ୍ତ ଏ ଜାଗାକୁ ନେବାକୁ ଚେଷ୍ଟା କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆଦିବାସୀ ମହାସଂଘ ଚେତାବନୀ ଦେଇଛି। ଏ ନେଇ ସୀମାଗୁଡି ଠାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ବରେ ଏହି ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଆହୁରି ପଢ଼ନ୍ତୁ: Ganja Seized: ଦିଲ୍ଲୀ ଚାଲାଣ ପୂର୍ବରୁ ରାଉରକେଲା ଷ୍ଟେସନ୍ରୁ ବିପୁଳ ପରିମାଣର ଗଂଜେଇ ଜବତ
ଜଙ୍ଗଲ ସୁରକ୍ଷା ପାଇଁ ଆଦିବାସୀଙ୍କ ଭୂମିକା
ପ୍ରକାଶ ଥାଉକି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପୂର୍ବରୁ ସୀମାଗୁଡି ଗ୍ରାମବାସୀ ଏବଂ ସିନ୍ଧ୍ରିମାଳ ପଞ୍ଚାୟତର ଅନ୍ୟ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜମି ନଛାଡିବା ନେଇ ଏକା ଜିଦରେ ଅଟଳ ରହିଛନ୍ତି। ବର୍ଷ ବର୍ଷ ଧରି ଏଠାରେ ସେମାନେ ପିଢି ପିଢି ଚାଷ କରିବା ସହ ଗାଈଗୋରୁ ଚରାଇବା ସହ ଛୋଟରୁ ବଡ ହୋଇଛନ୍ତି। ଜଂଗଲକୁ ରକ୍ଷା କରିବା ପାଇଁ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ତେଣୁ ଇଡକୋକୁ କୌଣସି ମତେ ଜମି ଛାଡିବେ ନାହିଁ ବୋଲି ସଫା ସଫା କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଅଂଚଳର ଯୁବକଙ୍କୁ ଚାକିରି ଦେବା ନେଇ ପ୍ରଲୋଭନ ଦେଖାଇବା ପରେ ମଧ୍ୟ ଏମାନେ ଆମେ ତ ପାଠ ପଢିନାହୁଁ କିପରି ଚାକିରି ମିଳିବ ବୋଲି ଓଲଟା ପ୍ରଶ୍ନ କରିଥିଲେ ଗ୍ରାମବାସୀ। ତେଣୁ ଇଡକୋ ପାଇଁ ଏଠାରେ କୌଣସି ସ୍ଥାନ ନାହିଁ ବୋଲି ଆଦିବାସୀ ସଂଘର ଲୋକେ ପ୍ରଶାସନ ବିରୋଧରେ ଗର୍ଜିଥିଲେ।
ଆହୁରି ପଢ଼ନ୍ତୁ: High Court Judgement: ପାଓମେକ୍ସ ଷ୍ଟିଲ କାରଖାନା ଡିଜିଏମ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଜାମିନ
Follow Us