India Today
କୋରାପୁଟ: ପ୍ରଥମେ ଭଲ ପାଇବା, ପରେ ସେକ୍ସ ଓ ତାପରେ ଧୋକା। ବିବାହ କରିବାର ପ୍ରଲୋଭନ ଦେଇ ପ୍ରତାରଣା କରି ଗିରଫ ହୋଇଛନ୍ତି ଠିକାଦାର। କୋରାପୁଟ ଟାଉନ ପୁଲିସ ଆଜି କୋରାପୁଟ ଜିଲ୍ଲା ବୈପାରୀଗୁଡାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ କୈଳାସ ଚନ୍ଦ୍ର ଜେନା(୨୯)। ପୁଲିସ ୧୭୫ /୨୨ ରେ ମାମଲା ରୁଜୁ କରିଥିବାବେଳେ ଆଇପିସି ଧାରା ୪୯୩ ଏବଂ ୪୧୭ ରେ କୈଳାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡା ବ୍ଲକର ରାଜସ୍ୱ ବିଭାଗରେ ଜୈନିକ ମହିଳା କାର୍ଯ୍ୟ କରନ୍ତି। ସେହି ଅଞ୍ଚଳରେ ଠିକାଦାର ଭାବେ କାର୍ଯ୍ୟ କରୁଥିବା କୈଳାସଙ୍କ ସହ ୨ବର୍ଷ ହେଲା ପ୍ରେମ ସମ୍ପର୍କ ଗଢିଉଠିଥିଲା। ସମ୍ପର୍କର ନିବିଡତା ଭିତିରେ ଉଭୟଙ୍କ ମଧ୍ୟରେ ଟଙ୍କା ପଇସା ନେଣଦେଣ ସହ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା।
ପରେ ମହିଳାଙ୍କର ଅନ୍ୟତ୍ର ବଦଳି ପରେ ଟଙ୍କା ନେଣ ଦେଣକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଗତକାଲି କୈଳାସ କୋରାପୁଟ ଆସିଥିବା ଜାଣି ମହିଳା ଜଣଙ୍କ ତାଙ୍କର କିଛି ପୁରୁଷ ବନ୍ଧୁଙ୍କ ସହ କୈଳାସଙ୍କ ନିକଟକୁ ଆସିଥିଲେ। କୈଳାସ ବୁଝାଶୁଝା କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ଥାନାକୁ ଯିବାକୁ ଜବରଦସ୍ତ କରିଥିଲେ। ଥାନା ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଗତକାଲି କୈଳାସଙ୍କୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us