Image Courtesy of NDTV
ଏସ. ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଥାନା ଅନ୍ତର୍ଗତ ସାରସମାଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଲିସକୁ ସାରସମାଲ ଗ୍ରାମର ଏକ ଜମିରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ମୃତ ଯୁବତୀ ଉକ୍ତ ଗ୍ରାମର କିରଣ ସାହୁଙ୍କ ଝିଅ ନିକିତା ସାହୁ (୧୯) ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଗୁରୁବାର ଘରେ ମୋବାଇଲ୍କୁ ନେଇ ଝଗଡ଼ା ହେବା ପରେ ନିକିତା ଘରୁ ଚାଲିଯିବାକୁ ଧମକ ଦେଇଥିଲେ। ମାତ୍ର ପରିବାର ଲୋକେ ଏହାକୁ ଗୁରୁତ୍ବ ଦେଇନଥିଲେ।
ତେବେ ପରେ ନିକତା ଘରୁ ପଳାଇଥିବା ଜାଣି ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଶୁକ୍ରବାର ସକାଳୁ ଗାଁ’ର ଶୁକ୍ରୁ ମାଝୀଙ୍କ ଜମିରେ ଥିବା ଏକ ଗଛରେ ନିଜ ଓଢ଼ଣିରେ ନିକିତାଙ୍କ ଶବ ଝୁଲୁଥିବା ବାପା କିରଣ ସାହୁ ଦେଖିବା ପରେ ମୃତଦେହ ଓହ୍ଲାଇ ରାମପୁର ଥାନାରେ ଲିଖିତ ସୂଚନା ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଖବର ପାଇ ଥାନାଧିକାରୀ ଭାନୁଶଙ୍କର ଯାଦବ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ତେବେ ବାରମ୍ବାର ମୋବାଇଲରେ ବ୍ୟସ୍ତ ରହୁଥିବାରୁ ନିକିତାଙ୍କୁ ବାପା ମନା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ନିକିତା ତାଙ୍କୁ ଗାଳିଗୁଲଜ କରିବା ସହ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିବା କିରଣ ଏତଲାରେ ଦର୍ଶାଇଛନ୍ତି।
Follow Us