The Hans India
କାଳିଆପାଣି: ଟମକା ଥାନା ଦେଉଳକଣ ପଞ୍ଚାୟତ ବଡ଼ଧରସାହିରେ ଚିତ୍ତରଞ୍ଜନ ନାୟକଙ୍କ ଘରେ ତାଙ୍କ ଝିଆରୀ ଜ୍ବାଇଁଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାର ଦିଲୀପ ନାୟକ(୩୦) ବୋଲି ସୂଚନା ମିଳିଛି। ସପ୍ତାହକ ତଳେ ସେ ପତ୍ନୀଙ୍କ ସହ ମଉସା ଶ୍ବଶୁରଙ୍କ ଘରକୁ ବୁଲି ଆସିଥିଲେ। କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ମୃତଦେହ ଜବତ କରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧/୨୧ ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କ ମୃତ୍ୟୁ ସଂପର୍କରେ ପୁଲିସ ଅଧିକ ତଦନ୍ତ କରୁଥିବା କହିଛି।
ଚିତ୍ତ ନାୟକଙ୍କ ଝିଆରୀ କୋରେଇ ଥାନା ଅନ୍ତର୍ଗତ କନ୍ତୋର ଗାଁର ପାର୍ବତୀ ବେହେରା(୨୭) ଗତ କିଛିବର୍ଷ ଧରି ତାମିଲନାଡ଼ୁ ଚେନ୍ନାଇର ଏକ ସସ୍ କମ୍ପାନିରେ କାମ କରୁଥିଲେ। ୮ ମାସ ତଳେ ସେଠାରେ ସେ ଦିଲୀପଙ୍କୁ ଭଲପାଇ ବିବାହ କରିଥିଲେ। ପତିପତ୍ନୀ ଗତ ସପ୍ତାହରେ ମଉସାଙ୍କ ଘରକୁ ବୁଲି ଆସିଥିଲେ। ଆଜି ସକାଳ ଦିଲୀପ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ୧୦୮ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନା ନେବାକୁ ଉଦ୍ୟମ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପାର୍ବତୀ କିମ୍ବା ତାଙ୍କ ମଉସା ମୃତ ଦିଲୀପଙ୍କ ସବିଶେଷ ଠିକଣା ଜାଣିନଥିବା ଓ ଗସ୍ତ ବେଳେ ଟ୍ରେନରେ ଦିଲୀପଙ୍କ ମୋବାଇଲ୍ ହଜି ଯାଇଥିବାରୁ ତାଙ୍କ ପରିବାରକୁ ଏ ସଂପର୍କରେ ସୂଚନା ଦିଆଯାଇ ପାରୁନଥିବା ପୁଲିସ କହିଛି।
Follow Us