ଯୋରରେ ଭାସି ଯାଇ ଯୁବକ ନିଖୋଜ

ଯୋରରେ ଭାସି ଯାଇ ଯୁବକ ନିଖୋଜ

ଚାନ୍ଦବାଲି: ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବାଲିଗାଁ ମଠସାହି ଗାଁର ନବଘନ ସାହୁଙ୍କ ମଝିଆଁ ପୁଅ ଶଶିକାନ୍ତ ସାହୁ (୨୪) ଆଜି ସକାଳ ସାଢ଼େ ୭ଟାରେ ବିଲକୁ ମଜୁରିଆଙ୍କୁ ନେଇ ଚାଷ ପାଇଁ ଯାଉଥିବା ବେଳେ ଯୋରରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ।

ଯୁବକ ନିଖୋଜ ହେବା ଘଟଣା ଖବର ପାଇବା ପରେ ଶହଶହ ସ୍ଥାନୀୟ ଲୋକେ ଯୋର ମଧ୍ୟକୁ ଜାଲ ପକାଇ ଖୋଜିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଚାନ୍ଦବାଲି ଦମକଳ ବିଭାଗ ଟିମ ପହଁଞ୍ଚି ଯୋରର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ହେଲେ ଖବର ଲେଖା ହେଲା ପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତି ମିଳି ନ ଥିଲା।

ବୈତରଣୀ ନଦୀର ଶାଖା କଉଡ଼ିଆ ଯୋର ପାଇଁ ଲୋକେ ଚାଷ କାର୍ଯ୍ୟପାଇଁ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଯୋର ଅପରପାର୍ଶ୍ୱରେ ପାଖାପାଖି ୧୬ ହଜାର ହେକ୍ଟର ଚାଷ ଜମିକୁ ଚାଷ କରିବାପାଇଁ ପୋଲ ଖଣ୍ଡିଏ ନଥିବାରୁ ଚାଷୀ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଧାନ ଚାଷ କରିଥାନ୍ତି । ଚାଷୀଙ୍କ ଦ୍ୱାରା ନିର୍ମିତ ବାଉଁଶ ପୋଲ ଭାଙ୍ଗିଯାଇଥିବାରୁ ଶଶିକାନ୍ତ ଯୋରର ଅପରପାଶ୍ୱର୍କୁ ଯିବା ପାଇଁ ପହଁରି ପହଁରି ଯାଉଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ। ତାଙ୍କ ସହିତ ଥିବା ଅନ୍ୟଜଣେ ବ୍ୟକ୍ତି ପହଁରି ଅପର ପାଶ୍ୱର୍କୁ ଚାଲିଯାଇଥିବା ବେଳେ ଶଶିକାନ୍ତ ନିଖୋଜ ହୋଇଥିବା ଗାଁ ଲୋକଙ୍କୁ ସେ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe