ବାପାଙ୍କ ଚିକିତ୍ସା ପାଇଁ ବେଆଇନ କାମ କରି ଜେଲ ଗଲେ ଯୁବକ!

Advertisment
ବାପାଙ୍କ ଚିକିତ୍ସା ପାଇଁ ବେଆଇନ କାମ କରି ଜେଲ ଗଲେ ଯୁବକ!

ପାଟଣାଗଡ଼: କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ବାସ୍ଥ୍ୟ ଥିଲେ ସମ୍ପଦ ବାଟ ଚାହିଁ ରହିଥାଏ। ହେଲେ ସ୍ବାସ୍ଥ୍ୟ ବିଗିଡିଲେ ସମ୍ପଦ ଚାଲିଯିବା ସହ ବୁଦ୍ଧି ବାଟବଣା ହେବା ସହିତ ପରିସ୍ଥିତି ଖରାପ ବାଟକୁ ନେବା ପାଇଁ ବାଧ୍ୟ କରିଥାଏ। ହୃଦୟ ରୋଗରେ ପୀଡିତ ନିଜ ବାପାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରି ନ ପାରି ଶେଷରେ ଗତ ୪ ବର୍ଷ ହେଲା ବେଆଇନ ଗଞ୍ଜେଇ କାରବାର କରୁଥିବା ଯୁବକ ଗୁରୁବାର ଅବକାରୀ ବିଭାଗ ହାତରେ ପଡି ଜେଲ ଯାଇଥିବା ଜଣାପଡିଛି।

କିଛି ଦିନ ହେଲା ପାଟଣାଗଡ଼ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖି ଆନେକ ମାମଲା ଦାୟର କରିଛି। ଅନେକ ବେଆଇନ କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗୁରୁବାର ସକାଳେ ପେଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସହର ଠାରୁ ମାତ୍ର ଦେଢରୁ ଦୁଇ କିଲୋମିଟର ଦୂରରେ ଥିବା ବଥର୍ଲା ଛକ ନିକଟରେ ଜଣେ ବ୍ୟକ୍ତିକୁ ସନ୍ଦେହ କରି ଅଟକାଇଥିଲେ ଅବକାରୀ ବିଭାଗର କର୍ମଚାରୀ। ତଲାସୀ ସମୟରେ ବାଇକରେ ନେଇ ଯାଇଥିବା ଏକ ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ସେଠାରେ ସମୃକ୍ତ ଯୁବକକୁ ଗିରଫ କରିବା ସହିତ ଗଞ୍ଜେଇ ବୋଝେଇ ବାଇକ୍ ଜବତ କରି ଅଫିସକୁ ଆଣିଥିଲା। ଅଫିସରେ ପଚରା ଉଚୁରା ସମୟରେ ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ମହଲେଇ ଗ୍ରାମର ଶଙ୍କର ସାହୁ(୩୮) ବୋଲି ଜଣାପଡିଛି। ସେ ନିଜ ଗାଁରୁ ଗଞ୍ଜେଇ ନେଇ ବାଇକ୍ ( ଓଡି ୦୩ କେ ୬୭୪୩) ଯୋଗେ ପାଟଣାଗଡ଼ ଦେଇ ବରଗଡ ଜିଲ୍ଲା ଜାମସେଠ ଗାଁକୁ ନେଇ ଯାଉଥିବା କହିଥିଲା

ସେହିପରି ଉଭୟ ଅବକାରୀ ବିଭାଗ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଗିରଫ ଅଭିଯୁକ୍ତ ଶଙ୍କର ସାହୁ ପୂର୍ବରୁ ଏପରି ବେଆଇନ କାର୍ଯ୍ୟ କରୁ ନ ଥିବା ବେଳେ ଗତ କିଛି ବର୍ଷ ହେଲା ତା ବାପା ହୃଦୟ ରୋଗରେ ପୀଡିତ ଥିବାରୁ ଚିକିତ୍ସା କରୁଥିଲା। ହେଲେ ଗତ ୪ ବର୍ଷ ପୂର୍ବରୁ ଖର୍ଚ୍ଚ ବହନ କରି ନ ପାରିବାରୁ ସେ ଏହି ବେଆଇନ ଗଞ୍ଜେଇ ବିକ୍ରି କାରବାରକୁ ହାତକୁ ନେଇଥିଲା। ପ୍ରତି ୧୫ ଦିନରେ ସେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରି ନିଜ ପରିବାରର ଗୁଜୁରାଣ ସହ ବାପାଙ୍କ ଚିକିତ୍ସା ଓ ଔଷଧ ଖର୍ଚ୍ଚ ବହନ କରିବାରେ ସକ୍ଷମ ହେଉଥିଲା ବୋଲି କହିଛି ଶଙ୍କର। ତେବେ ଶଙ୍କରକୁ ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଦର୍ଶାଇ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରା ଯାଇଥିଲା। ଜାମିନ ନାମାଞ୍ଜୁର ହେବାରୁ ଶଙ୍କରକୁ ଜେଲକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe