ଫ୍ଲାଇଓଭର ତଳେ ଆମ୍ବ ପସରା

ଫ୍ଲାଇଓଭର ତଳେ ଆମ୍ବ ପସରା

ସମ୍ବଲପୁର: ସମ୍ବଲପୁର ସହରରେ ଗାଁ ଆମ୍ବର ପସରା ମେଲିଛି। ବିଶେଷ କରି ଫ୍ଲାଇଓଭର ତଳ ଏବେ ଆମ୍ବ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ଲେତି ଆମ୍ବ ଠାରୁ ନାନା ପ୍ରକାର ସ୍ବାଦିଷ୍ଟ ଆମ୍ବ ମିଳୁଛି। ଆଶାପାଲି ସ୍କୁଲ୍‌ ଅଞ୍ଚଳରେ ଫ୍ଲାଇଓଭର୍‌ ତଳେ ସର୍ବାଧିକ ଆମ୍ବ ବ୍ୟବସାୟୀଙ୍କ ଭିଡ଼ ଜମୁଥିବା ବେଳେ ମୁନସିପାଲଟି ଛକ ନିକଟରେ ମଧ୍ୟ ଭଲ ବ୍ୟବସାୟ ହେଉଛି। ଗ୍ରାମାଞ୍ଚଳରୁ ବ୍ୟବସାୟୀମାନେ ଆମ୍ବ ଧରି ସକାଳୁ ସକାଳୁ ପହଞ୍ଚିବା ପରେ ଆମ୍ବ ବଜାରରେ ଭିଡ଼ ଲାଗିଯାଉଛି।

ସୁନ୍ଦରୀ ଆମ୍ବ କିଲୋପ୍ରତି ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନିଲମ ଆମ୍ବ କିଲୋ ୪୦ ଟଙ୍କା, ଦଶେରୀ ଆମ୍ବ କିଲୋ ୫୦ ଟଙ୍କା, ବାଇଗଣପଲେଇ ଆମ୍ବ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି। ତା ସହିତ ଦେଶୀ ଲେତି ଆମ୍ବର କିଲୋପ୍ରତି ଦର ୧୦ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ଫ୍ଲାଇଓଭର୍‌ ତଳେ ଆମ୍ବ ବ୍ୟବସାୟୀ ସଂଖ୍ୟା ବଢ଼ିବା ସହ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ସାହାସପୁର ଶଙ୍ଖଳା କଳ୍ପ ସେଠଙ୍କ କହିବା ଅନୁଯାୟୀ, ଅସହ୍ୟ ଖରା ପାଇଁ ସପ୍ତାହେ ହେବ ବିକ୍ରିରେ ସାମାନ୍ୟ ପ୍ରଭାବ ପଡ଼ିଛି। ସକାଳ ବେଳା ଓ ଅପରାହ୍ଣରେ ଆମ୍ବ ବିକ୍ରି ଭଲ ହେଉଥିବା ବେଳେ ମଧ୍ୟାହ୍ନରେ ବିକ୍ରି ବହୁତ କମି ଯାଉଛି। ଦଶେରୀ ଓ ନିଲମ ଆମ୍ବ ସବୁଠୁ ଅଧିକ ବିକ୍ରି ହେଉଥିବା ସେ କହିଛନ୍ତି। ସେ ପ୍ରତିଦିନ ଆମ୍ବ ଧରି ସମ୍ବଲପୁର ଆସନ୍ତି। ବିକ୍ରି ସାରି ସନ୍ଧ୍ୟାରେ ପୁଣି ଗାଁକୁ ଫେରି ଯାଆନ୍ତି। ତାଙ୍କ ଭଳି ଅନେକ ମହିଳା ଗାଁରୁ ଆମ୍ବ ଆଣି ସମ୍ବଲପୁର ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଗାଁ ଆମ୍ବର ସ୍ବାଦ ନିଆରା ହୋଇଥିବା ବେଳେ ତାକୁ ନେବା ପାଇଁ ଲୋକେ ମଧ୍ୟ ସବୁଦିନ ଚାହିଁ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe