ଭଙ୍ଗା ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ମାଙ୍କଡ଼ିଆ ପରିବାର

Advertisment
ଭଙ୍ଗା ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ମାଙ୍କଡ଼ିଆ ପରିବାର

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ର କଳାମାଟି ମାଙ୍କଡ଼ିଆ ସାହିର କିଛି ଲୋକଙ୍କ ସ୍ଥାୟୀ ପଟ୍ଟା ଥିବାବେଳେ ସେମାନେ ଆବାସ ଘର ପାଇଛନ୍ତି। କିଛି ଲୋକଙ୍କ ସ୍ଥାୟୀ ପଟ୍ଟା ନଥିବାରୁ ସେମାନେ ଆବାସ ତଥା ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କଳାମାଟି ମାଙ୍କଡ଼ିଆ ସାହିରେ ପ୍ରାୟ ୫୦ ମାଙ୍କଡ଼ିଆ ଜନଜାତି ପରିବାର ବସବାସ କରୁଛନ୍ତି। ବଣ ଜଙ୍ଗଲରୁ ଶିଆଳି ପଟ ସଂଗ୍ରହ କରି ସେଥିରେ ପଟ ରସି ତିଆରି କରି ବିକ୍ରି କରିବା ସେମାନଙ୍କର କୌଳିକ ବୃତ୍ତି। ଅର୍ଥାଭାବ ଯୋଗୁଁ ଏହି ମାଙ୍କଡ଼ିଆ ପରିବାର ପକ୍ଷରେ ରହିବା ଉପଯୋଗୀ ବାସଗୃହ ଖଣ୍ଡିଏ ତିଆରି କରିବା ଅସମ୍ଭବ ହୋଇପଡ଼ିଛି। ତେଣୁ ଏଠାରେ ବସବାସ କରୁଥିବା ସମସ୍ତ ପରିବାର ମାଟି ପଥରରେ ନିର୍ମିତ କୁଡ଼ିଆ ଉପରେ ପଲିଥିନ ଖଣ୍ଡିଏ ଲେଖାଁଏ ଟାଣି ପିଲାଛୁଆ ଧରି ଜୀବନ ବିତାଇ ଆସୁଛନ୍ତି।

ବହୁବର୍ଷ ହେଲା ସ୍ଥାନୀୟ ଲୋକେ ଏଭଳି ଦୟନୀୟ କୁଡ଼ିଆରେ ବସବାସ କରି ଆସୁଥିଲେ ସୁଦ୍ଧା ସେମାନଙ୍କ ଉପରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ। ଏହି ମାଙ୍କଡ଼ିଆ ପରିବାରଗୁଡିକ ମଧ୍ୟରୁ କିଛି ହାତଗଣତି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ଲେଖାଁଏ ଦେଇ ସ୍ଥାନୀୟ ପ୍ରଶାସନ ନିଜ ଦାୟିତ୍ବ ସାରି ଦେଇଛି। ହେଲେ ଆହୁରି ବହୁ ପରିବାର ପାଖରେ ଏ ପର୍ଯ୍ୟନ୍ତ ରହିବା ଉପଯୋଗୀ ଘର ଖଣ୍ଡିଏ ନାହିଁ। ଖରା ବର୍ଷା ଓ ଝଡ଼ ତୋଫାନରେ ଅତ୍ୟନ୍ତ ଦୟନୀୟ ଭାବେ ନିଜ ଦଦରା କୁଡ଼ିଆରେ ଦିନକାଟି ଆସୁଛନ୍ତି ମାଙ୍କଡ଼ିଆ ପରିବାର। ଅନ୍ୟପଟେ ସ୍ଥାୟୀ ପଟ୍ଟା ଖଣ୍ଡିଏ ନଥିବାରୁ ସେମାନେ କୌଣସି ସରକାରୀ ଯୋଜନା‌ ପାଇଁ ଆବେଦନ ମଧ୍ୟ କରିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ସଫଳତା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ସଫଳତାର କାହାଣୀ ବଖାଣୁ ଥିବା ବେଳେ କଳାମାଟି ମାଙ୍କଡିଆ ସାହିର ସ୍ଥିତିକୁ ଦେଖିଲେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ସ୍ପଷ୍ଟ ଜଣାପଡ଼ିବ। ତେବେ ସେମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ଆବାସ ଯୋଜନାରେ ସାମିଲ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe