ସମସ୍ୟା ଘେରରେ କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗାଁ

Advertisment
ସମସ୍ୟା ଘେରରେ କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗାଁ
ଖଜୁରୀପଡା :  ଆଦିବାସୀଙ୍କ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି। ହେଲେ ବିକାଶର ପରିଭାଷା ଏଠି ପୁରା ଅଲଗା।  ବିକାଶ ଯେମିତି ଏଠାରେ ସାତସପନ। ନା’ ଅଛି ଭଲ ରାସ୍ତା, ନା’ ମିଳୁଛି ଉଚିତ ସ୍ୱାସ୍ଥ୍ୟସେବା। ଭଲ  ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟିଏ ଯିବାଆସିବା ହୋଇ ପାରୁନାହିଁ। ତେଣୁ ରୋଗୀକୁ ଆଣିବାକୁ ହେଲେ ଏବେ ବି ଦୋଳା ଭରସା ହୋଇଛି। କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୭କିଲୋମିଟର ଦୂରରେ ଥିବା ଗାଁ କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗ୍ରାମର ଏ ହେଉଛି ନିଚ୍ଛକ ଅବସ୍ଥା। କେବଳ ମାର୍ଦ୍ଦିଗୁଚ୍ଛା ନୁହେଁ ଏହାର ନିକଟରେ ଥିବା କୁନ୍ଦା, ଦାରେଜୁ, ବାଟଲି, ମୁଣ୍ଡାବଡି ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ବି ଏଭଳି ସମାନ ଅବସ୍ଥାରେ ରହିଛନ୍ତି। ମାର୍ଦ୍ଦିଗୁଛା ଗ୍ରାମରେ ୨ଶହରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ପାଞ୍ଚଟି ସାହିର ଲୋକ ବସବାସ କରୁଥିବା ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ଓ ଗୋଟିଏ କୂଅ ରହିଛି। ହେଲେ ଗ୍ରୀଷ୍ମଦିନରେ ଉଭୟ ନଳକୂପ ଓ କୂଅ ଶୁଖିଲା ପଡୁଛି। ଫଳରେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଏନେଇ ଗୁହାରି କଲେ ବି ନା’ ଲୋକପ୍ରତିନିଧି କିମ୍ବା ପ୍ରଶାସନ କେହି ବି ଶୁଣୁନଥିବା ଗ୍ରାମବାସୀ  ଅଭିଯୋଗ କରିଛନ୍ତି l
ସେହିଭଳି ଗ୍ରାମକୁ ସୋଲାର ଲାଇଟ ଯୋଗାଣ  ହୋଇଥିଲେ ତାହା ଅଚଳ ହୋଇରହିଛି। ଗମନାଗମନ ବ୍ୟବସ୍ଥା ନ କହିଲେ ଭଲ। ସୋଲାର ଲାଇଟ ଅଚଳ ସାଙ୍ଗକୁ  ଗ୍ରାମକୁ ନିତିଦିନିଆ ରାସ୍ତା ନଥିବାରୁ ପାହାଡ଼ିଆ ରାସ୍ତାରେ ଯିବା ଆସିବା କାଠିକର ହୋଇଛି।  ରାସ୍ତା ନଥିବାରୁ ବିପଦ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ଆସିବା କାଠିକର ହୋଇଥିବା ଅଭିଯୋଗ କରିଛନ୍ତି କୁନ୍ଦା ଗ୍ରାମର ପ୍ରେମାନନ୍ଦ ମାଝୀ, ପ୍ରଭାତ ମାଝୀ, ପୀତାମ୍ବର ମାଝି, ଦୁଃଶାସନ ମାଝୀ, ଓ ମାର୍ଦ୍ଦିଗୁଚ୍ଛା ଗ୍ରାମର ସନାତନ ମଳିକ, ବିଶ୍ବମ୍ବର ମଳିକ, ଦଶରଥ ମାଝୀ ପ୍ରମୁଖ।   ରାସ୍ତା ନଥିବାରୁ ଗ୍ରାମର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ  ଓ ସ୍ବାସ୍ଥ୍ୟକର୍ମୀ ଗ୍ରାମକୁ ଆସିବାକୁ ପଛଘୁଞ୍ଚା ହେଉଛନ୍ତି। ତେବେ ସେ ଯାହାହେଉନା କାହିଁକି ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ଏଦିଗରେ ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଛି l ହେଲେ ସମାଧାନ ଶୁନ୍।  ତେଣୁ ପ୍ରଶାସନ ଗ୍ରାମବାସୀଙ୍କ ଏଭଳି ଦୂରବସ୍ଥାର ସମାଧାନ ଦିଗରେ ଉଦ୍ୟମ କରିବାକୁ ସାଧାରଣରେ ଦାବି ହୋଇଛି l
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe