ବିକାଶକୁ ବିରୋଧ ନାହିଁ; ହିଂସା ଛାଡି ଏବେ ଶାନ୍ତି ବାର୍ତ୍ତା ଦେଉଛନ୍ତି ମାଓନେତା

Advertisment
ବିକାଶକୁ ବିରୋଧ ନାହିଁ; ହିଂସା ଛାଡି ଏବେ ଶାନ୍ତି ବାର୍ତ୍ତା ଦେଉଛନ୍ତି ମାଓନେତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ନକ୍ସଲ ମୂଳପୋଛ ହୋଇଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ନକ୍ସଲ ମୂଳପୋଛ ହେବା ପଛରେ ଗୁରୁପ୍ରିୟା ସେତୁ ଏବଂ ଅପହଞ୍ଚ ଅଂଚଳରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା। ଏଥିସହ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକୁ ତରାନ୍ବିତ କରିବା ସହ ଆତ୍ମନିର୍ଭରଶୀଳ ନୀତିରେ ନକ୍ସଲ ପ୍ରଭାବିତ ହେବା ଯୋଗୁଁ ଆଜି ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ହିଂସା ଦ୍ବାରା କେବେ ମଧ୍ୟ କୌଣସି ଲକ୍ଷ୍ୟସ୍ଥଳକୁ ପହଞ୍ଚି ହେବ ନାହିଁ। ତେଣୁ ହିଂସା ଛାଡି ବହୁ ନକ୍ସଲ ମୁଖ୍ୟସ୍ରୋତକୁ ଫେରି ଆସୁଛନ୍ତି। ଏଭଳି ଜଣେ ମାଓନେତା ହେଲେ ରଘୁ ମାଢି।

କାଲିମେଳା ଦଲମର ପାର୍ଟି ମେମ୍ବର। ମାଓନେତା ରଘୁର ଘର କାଲିମେଳା ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ ରାଜୁଲକୋଣ୍ଡା ଗ୍ରାମରେ। ନକ୍ସଲ ପ୍ରାୟତଃ ରାଜୁଲକୋଣ୍ଡା ଗ୍ରାମକୁ ଆସି ଲୋକଙ୍କ ସହ ମିଶାମିଶି କରନ୍ତି। ରଘୁକୁ ସେମାନେ ମିଲିସିଆ କମାଣ୍ଡର ଭାବେ କାମ କରିବାକୁ ବାଧ୍ୟ କରନ୍ତି। ରଘୁ ମଧ୍ୟ ନକ୍ସଲ ସହ ଜଡିତ ହୋଇ ମିଲିସିଆ ଭାବେ କାମ କରୁଥିଲା। ପୁଲିସର ଯିବା ଆସିବା ସହ ନକ୍ସଲଙ୍କୁ ସମସ୍ତ ସାମଗ୍ରୀ ପହଞ୍ଚାଇବାରେ ସେ ସହଯୋଗ କରୁଥିଲା।

ତେବେ ୨୦୧୧ ମସିହା ବେଳକୁ କାଲିମେଲା ଦଲମର କମାଣ୍ଡର ସୁକଦେବ ତାକୁ ଆଉ ଘରେ ରହି କାମ କଲେ ତୋତେ କେତେବେଳେ ପୁଲିସ ଉଠାଇ ନେବ ତୁ ବନ୍ଧୁକ ଧରି ଶତ୍ରୁ ସହ ଲଢିବାକୁ ବାହାରିପଡ ବୋଲି କହିଥିଲା। ରଘୁ ସୁକଦେବର କଥାମାନି ସଂଗଠନରେ ମିଶିଥିଲା। ଦୀର୍ଘ ୫ ବର୍ଷ କାଳ ସଂଗଠନରେ ରହି ବହୁ ହିଂସାରେ ସେ ଜଡିତ ହୋଇଥିଲା। ପ୍ରାୟ ତିନି ଚାରି ଥର ପୁଲିସ ଗୁଳିରେ ମରୁ ମରୁ ବଞ୍ଚିଥିବା କହିଥିଲା। ସିଲାକୋଟା ଏନକାଉଣ୍ଟରରେ ୧୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେଲ ସେ ଅଳ୍ପକେ ବର୍ତ୍ତିଯାଇଥିବା କହିଥିଲା। ମାଓ ସଂଗଠନରେ ସେ ଦୁର୍ଦାନ୍ତ ନକ୍ସଲ ପାଲଟିଯାଇଥିଲା।କାଲିମେଳା ଦଲମରେ ରହି କାଲିମେଳା, ପଡିଆ ଏବଂ ପାପଲୁର ଅଂଚଳରେ ନିଜର ଦବଦବା କାଏମ ରଖିଥିଲା। ସଂଗଠନରେ ଥିବା ବେଳେ ସେ ବାହା ହୋଇପାରିନଥିଲା।

publive-image

ସଂଗଠନରେ ଚାଲିଥିବା ଭେଦଭାବ ଏବଂ ପ୍ରତ୍ୟେକ ମୁହର୍ତ୍ତରେ ମୃତ୍ୟୁର ଭୟ ତାଂକୁ ସଂଗଠନ ଛାଡିବାକୁ ବାଧ୍ୟ କରିଥିଲା। ଦୁଲଗୁଣ୍ଡି ଗ୍ରାମରେ ବୋମା ଖଞ୍ଜୁଥିବା ବେଳେ ହଠାତ୍ ବୋମା ବିସ୍ଫୋରଣ ହେବା ଫଳରେ ତାଂକର ବାମ ହାତର ପାପୁଲି ଉଡିଯାଇଥିଲା। ଏବେ ସେ ଭିନ୍ନକ୍ଷମ। ପୁଣି ପୁଲିସର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହେବା ସହ ହିଂସା ଦ୍ବାରା କେବେ ମଧ୍ୟ ଗଡ ଜୟ କରାଯାଇପାରିବ ନାହିଁ ବୋଲି ଭାବିଥିଲା। ଜଣେ ଆଦିବାସୀ କୋୟା ପିଲା ହୋଇଥିବାରୁ କାମ ଧନ୍ଦା ନପାଇ ସେ ନକ୍ସଲ ସଂଗଠନରେ ଟଂକା ଲୋଭରେ ଚାଲିଯାଇଥିଲା। କାଲିମେଳା ,ପଡିଆ ଅଂଚଳରେ ସେତେବେଳେ ନକ୍ସଲଙ୍କର ଆଡ୍ଡାସ୍ଥଳୀ ରହିଥିଲା। ଲୋକେ ନକ୍ସଲଙ୍କ ଆଇନ କାନୁନକୁ ମାନିବାକୁ ବାଧ୍ୟ ହେଉଥିଲେ। ତେଣୁ ପୁଲିସ ଏବଂ ପ୍ରଶାସନର କୌଣସି ବିକାଶ ମୂଳକ କାର୍ଯ୍ୟକୁ ସେଠାରେ କରାଇ ଦେଉନଥିଲେ।

୧୦୧୬ ବେଳକୁ ଏସପି ପ୍ରହଲ୍ଲାଦ ମୀନାଙ୍କ ଡାକରାରେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲା।ଦିନେ ଯେଉଁ ହାତରେ ସେ ବନ୍ଧୁକ ଧରି ଲଢୁଥିଲା ଆଜି ସେହି ହାତରେ ସେ ଲାଠି ଧରି ସିକ୍ୟୁରିଟି ଗାର୍ଡ ବନିଛି। ଆତ୍ମସମର୍ପଣ ପରେ ପ୍ରଶାସନ ତରଫରୁ ତାକୁ ଚାକିରି ପ୍ରଦାନ କରାଯିବା ସହ ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ରାଧା ସହ ବିବାହ କରାଯାଇଥିଲା। ଦୁହେଁ ଏବେ ଏମଭି-୨ରେ ବସବାସ କରୁଛନ୍ତି। ଦୁହିଁଙ୍କର ଦୁଇଟି ପୁଅ ଓ ଝିଅ ରହିଛନ୍ତି। ଯିଏ ନିରୀହ ଜନତାଙ୍କର ରକ୍ତରେ ହୋଲି ଖେଳୁଥିଲେ ସେ ଆଜି ଜନତାଙ୍କ ସଂପତ୍ତିର ଦେଖାରଖା କରୁଛନ୍ତି। ପୌର ପରିଷଦ ଅଧିନରେ ରହିଥିବା ଏକ ପାର୍କକୁ ସେ ଦିନରାତି ଜଗି ରହୁଛନ୍ତି। ସେଥିପାଇଁ ତାଂକୁ ମିଳୁଛି ୭ ହଜାର ଟଂକା।ତେବେ ଜଂଗଲରେ ବନ୍ଧୁକର ବୁଲେଟ ଚଳାଉଥିବା ମାଓନେତା ଏବେ ସ୍କୁଟି ଚଳାଇ ନିଜ କର୍ତ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖି ଲୋକେ ତାଂକୁ ପ୍ରଶଂସା କରୁଛନ୍ତି। ଏପରିକି ଜଂଗଲରେ ଥିବା ବେଳେ ନକ୍ସଲ ପୋଷାକ ପିନ୍ଧୁଥିବା ବେଳେ ଏବେ ସେ ସିକ୍ୟୁରିଟି ପୋଷାକ ପିନ୍ଧି ସରକାରୀ ସଂପତ୍ତିକୁ ଜଗୁଛନ୍ତି।

ସରକାରଙ୍କ ତରଫରୁ ଦରମା ବଢାଇଥିଲେ ସେ ଆଗକୁ ନିଜର ପୁଅ ଝିଅଙ୍କୁ ମଧ୍ୟ ପାଠ ପଢାଇ ବଡ ଲୋକ କରିବ ବୋଲି କହିଥିଲା।ନକ୍ସଲଙ୍କ ଥଇଥାନ ନୀତି ଅନୁଯାୟୀ ସେମାନଙ୍କ ପାଇଁ ପକ୍କା ଗୃହ ନିର୍ମାଣ କରାଯାଉଥିବା କୁହାଯାଇଛି। ଏବେ ମାଲକାନଗିରିରେ ଜୋରସୋରରେ ଉନ୍ନୟନ ମୂଳକ ଚାଲିଥିବା ଯୋଗୁଁ ନକ୍ସଲକୁ ସମର୍ଥନ କରୁଥିବା ଲୋକେ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରି ବିକାଶକୁ ଆଗେଇ ନେବାରେ ସହଯୋଗ କରୁଛନ୍ତି। ତେଣୁ ରଘୁ ଜଂଗଲରେ ହିଂସାତ୍ମକ ପନ୍ଥା ଗ୍ରହଣ କରି ବୁଲୁଥିବା ସାଥୀ ଭାଇମାନଙ୍କୁ ଅନୁରୋଧ କରିଛନ୍ତି ଯେ ହିଂସା ଦ୍ବାରା କେବେ ମଧ୍ୟ କୌଣସି ଲକ୍ଷ୍ୟ ହାସଲ କରିହେବ ନାହିଁ। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ସହ ମିଶି ବିକାଶକୁ ଆଗେଇ ନେବାକୁ ହେବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe