ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର, ଖସିଗଲେ କ୍ୟାଡର ମାଓବାଦୀ

Advertisment
ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର, ଖସିଗଲେ କ୍ୟାଡର ମାଓବାଦୀ

କୋରାପୁଟ: ପଟାଙ୍ଗୀ ବ୍ଲକରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ‌କୋରାପୁଟ ପୁଲିସ, ଏସଓଜି ଓ ବିଏସଏଫ ପକ୍ଷରୁ ମିଳିତ ଅପରେସନ ସମୟରେ ବନ୍ଧୁକ, ପିସ୍ତଲ ସହ ମାଓ ପୁସ୍ତିକା ଓ ବହୁ ବ୍ୟବହାର ସାମଗ୍ରୀ ମିଳିଛି।  ଏଥିନେଇ ଆଜି କୋରାପୁଟ ଏସପି ମୁକେଶ କୁମାର ଭାମୋ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ପୁଲିସ ହାତରୁ ବହୁ କ୍ୟାଡର ମାଓବାଦୀ ଖସି ପଳାଇବାରେ ସଫଳ ହୋଇଛନ୍ତି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପଟାଙ୍ଗୀ ବ୍ଲକର ସୀମାନ୍ତ ଅମ୍ଫାବାଲି ଅଂଚଳରେ ମାଓ ଗତିବିଧି ନେଇ ପୁଲିସକୁ ସୂଚନା ମିଳିଥିଲା। ପାଖାପାଖି ୧୫ରୁ ୨୦ ଜଣ ମାଓବାଦୀ ମେଳି କରି ବିଭିନ୍ନ ଗ‌ାଁକୁ ବୁଲୁଥିଲେ। ଲୋକଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହୁଥିଲେ। ଏଥିନେଇ ପୁଲିସକୁ ଖବର ମିଳିବା ପରେ ଡିଭିଏଫ ସହ ଏସଓଜି ଓ ବିଏସଏଫ ପକ୍ଷରୁ ମିଳିତ ଭାବେ ୨୦ ତାରିଖରେ ଅପରେସନ ଆରମ୍ଭ ହୋଇଥିଲା। ୨୨ ତ‌ାରିଖ ପର୍ଯ୍ୟନ୍ତ ପଟାଙ୍ଗୀ ଥାନା ଅଧୀନରେ ଥିବା କମଳାବନ୍ଧ, ବାଲିଗୁଡା, ଓଲାପାଡୁ, ମୁଟିସିଡିଙ୍ଗା, ପାଣ୍ଡିରିଚିନ୍ତାରୁ, ତୁମ୍ବିଗୁଡା, ପାନାବାଡି, କୋତୁବ ଓ ଗଂଜେଇପାଡୁ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଏହି ଅପରେସନ ଚାଲିଥିଲା। ପୁଲିସର ଗନ୍ଧ ବାରି ମାଓବାଦୀ ଚାଲି ଯାଇଥିଲା ବେଳେ ତୁମ୍ବିଗୋଡା ଓ ପାନାବାଡି ଗାଁ ନିକଟରୁ ମାଓ ସାମଗ୍ରୀ ଜବତ ହୋଇଥିଲା। ନନ୍ଦପୁର ଏରିଆ କମିଟି ପକ୍ଷରୁ ଏହି ସାମଗ୍ରୀ ସବୁ ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହା ଭିତରେ ଗୋଟିଏ ୧୨ ବୋର ଗନ, ଗୋଟିଏ ୧୨ ବୋର ପିସ୍ତଲ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୪ଟି ବିଦ୍ୟୁତ ଡେଟୋନେଟର, ୧୩ଟି ଆରୋ ଗ୍ରେନେଡ, ୧ କେଜି ଗନ ପାଉଡର, ୨ଟି ଟିଫିନ କ୍ୟାରେଜ, ଗୋଟିଏ କିଟ ବ୍ୟାଗ, ୨ଟି ୱାକି ଟକି ଓ ଚାର୍ଜର, ଟର୍ଚ୍ଚ ଲାଇଟ, ମାଉସ, ଲାପଟପ ଚାର୍ଜର, ସ୍ପିକର ଆଦି ରହିଛି।

publive-image

ଏହି ସବୁ ସାମଗ୍ରୀ ମାଓବାଦୀମାନେ ମାଟି ତଳେ ପୋତି ରଖିଥିଲେ। ନନ୍ଦପୁର ଏରିଆ କମିଟିର ଏହା ସାମଗ୍ରୀ ବୋଲି ପୁଲିସ କହିଛି। ପରେ ବ୍ୟବହାର କରିବା ପାଇଁ ସେମାନେ ଏହାକୁ ଲୁଚାଇ ରଖି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିନେଇ ଏସପି ମୁକେଶ କୁମାର ଭାମୋ କହିଛନ୍ତି ଯେ, ୧୫ରୁ ୨୦ ମାଓବାଦୀଙ୍କ ଚଳପ୍ରଚଳ ନେଇ ଆମକୁ ସୂଚନା ମିଳିଥିଲା। ପରେ ଆରମ୍ଭ ହୋଇଥିଲା ଅପରେସନ। ମାଓବାଦୀମାନେ ଖସି ଯିବାରେ ସଫଳ ହୋଇଥିଲାବେଳେ ସେମାନଙ୍କ ସାମଗ୍ରୀ ମିଳିଛି। ‌ଏବେ ମାଓବାଦୀଙ୍କୁ ଆଗଭଳି ଜନ ସମର୍ଥନ ମିଳୁ ନ ଥିବାରୁ ସେମାନେ ତାଙ୍କ ପ୍ରଭାବ ବିସ୍ତାର କରି ପାରୁ ନାହାନ୍ତି। କୋରାପୁଟ ଜିଲ୍ଲାର ଆନ୍ଧ-ଓଡ଼ିଶା ସୀମାରେ ପଟାଙ୍ଗୀ ଓ ନନ୍ଦପୁର ଅଂଚଳରେ ସେମାନଙ୍କ ଗତିବିଧି ରହିଛି। ଏଥିନେଇ ପୁଲିସ ପକ୍ଷରୁ ଅପରେସନ ଚାଲିଥିବାରୁ ସେମ‌ାନେ ଗୋଟିଏ ସ୍ଥାନରେ ରହି ପାରୁ ନ ଥିବା ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe