ତେଲକୋଇ : ତେଲକୋଇ ପୁଲିସ ଆଜି କଳିଙ୍ଗନଗର ମାଓ ଡିଭିଜନର କମାଣ୍ଡର ସୁନୀଲର ସହଯୋଗୀ ଶେଖର ଓରଫ ଦିବା ମୁଣ୍ଡା (୪୨)କୁ ଗିରଫ କରିଛି। ଶେଖରର ଘର ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ସାରୁପାଟ ଗ୍ରାମ ଖଣ୍ଡବନ୍ଧ ଅଞ୍ଚଳରେ ବୋଲି ପୁଲିସ କହିଛି।
ପୁଲିସ ସୂଚନା ଅନୁସାରେ, କଳିଙ୍ଗନଗର ମାଓ ଡିଭିଜନର ଏରିଆ କମାଣ୍ଡର ସୁନୀଲର ନିର୍ଦେଶରେ ୨୦୧୩ ମସିହାରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ-ବାଂଶପାଣି ରେଳଲାଇନ୍କୁ ବିସ୍ଫୋରଣ କରି ଉଡ଼ାଇବା ଘଟଣାରେ ଶେଖର ସଂପୃକ୍ତ ଥିଲା। ଏନେଇ ଦୈତାରୀ ଥାନାରେ କେସ୍ ନମ୍ବର ୩୦/୨୦୧୩ରେ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ଶେଖର ଫେରାର ଥିଲା। ତା’ର ଘର ତେଲକୋଇ ଥାନା ଅଧୀନରେ ହୋଇଥିବାରୁ ସ୍ଥାନୀୟ ପୁଲିସ ବିଭିନ୍ନ ସମୟରେ ତାକୁ ଧରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲା। ଦୀର୍ଘ ୮ ବର୍ଷ ପରେ ଏକ ବିଶେଷ ସୂତ୍ରରୁ ଖବର ପାଇ ତେଲକୋଇ ଥାନା ଅଧିକାରୀ ଅମିତାଭ ଦାସ ଚଢ଼ଉ କରି ଖଣ୍ଡବନ୍ଧସ୍ଥିତ ଘରୁ ତାକୁ ଗିରଫ କରିଛନ୍ତି।
Follow Us