ଦୁର୍ଦ୍ଦାନ୍ତ ମାଓବାଦୀ ଅଶୋକ ଗିରଫ, ୩୯ ଲକ୍ଷ ଟଙ୍କା ସହ ଲ୍ୟାଣ୍ଡମାଇନ ଜବତ

Advertisment
ଦୁର୍ଦ୍ଦାନ୍ତ ମାଓବାଦୀ ଅଶୋକ ଗିରଫ, ୩୯ ଲକ୍ଷ ଟଙ୍କା ସହ ଲ୍ୟାଣ୍ଡମାଇନ ଜବତ

ମାଲକାନଗିରି: ମାଲକାନଗିରି, କୋରାପୁଟ, ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଏବଂ ଆଲୁରି ସୀତାରାମାରାଜୁ ଜିଲ୍ଲାରେ ନିଜର ଦବଦବା ଜାହିର କରିଥିବା ଦୁର୍ଦ୍ଦାନ୍ତ  ମାଓବାଦୀ ରାମକ୍ରିଷ୍ଣା ଓରଫ ପ୍ରଭାକର ଓରଫ ଅଶୋକ ଓରଫ ରାୟୁଡୁ (୩୫)କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଶୋକ ନିଜ ଗ୍ରାମ କୋଣ୍ଡରୁମରୁ ସେ ଇଞ୍ଜରି ଗ୍ରାମକୁ ଯାଉଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ତାକୁ ଘେରି ଗିରଫ କରିଥିଲା। ସେ ଆନ୍ଧ୍ର-ଓଡିଶା ସୀମା ଡିଭିଜନ ଏବଂ ପେଦାବାୟଲୁ-କୋରକୋଣ୍ଡା ଡିଭିଜନର ସଚିବ ଥିଲା। ପୁଲିସ ଅଶୋକ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲା। ପୁଲିସ ଅଶୋକ ଠାରୁ ୩୯ ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ୫ କିଲୋ ଓଜନର ଲ୍ୟାଣ୍ଡମାଇନ, ଡିଟୋନେଟର, ନିପୋ ବ୍ୟାଟେରୀ,୯ ଏମଏମ ପିସ୍ତଲ, ମାଓବାଦୀଙ୍କ ପୋଷାକ ଏବଂ ପୋଷ୍ଟର ଇତ୍ୟାଦି ଜବତ କରିଛି।

publive-image

ଅଶୋକ ନାଁରେ ମାଲକାନଗିରି, କୋରାପୁଟ ଏବଂ ଇଷ୍ଟ ଗୋଦାବରୀ ଜିଲ୍ଲାରେ ୧୨୪ଟି କେଶ ରହିଛି। ୧୪ଟି ହତ୍ୟା, ୧୩ଟି ସ୍ଥାନରେ ପୁଲିସ ଉପରେ ଆକ୍ରମଣ, ୪ଟି ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୬ଟି ସ୍ଥାନରେ ସରକାରୀ ସଂପତ୍ତିକୁ ନଷ୍ଟ କରିବା, ୨ଟି ଅପହରଣ, ୮୩ଟି ଅନ୍ୟ ଅପରାଧ ସାମିଲ ଥିବା ପୁଲିସ କହିଛି। ବିଶେଷକରି ଇଷ୍ଟ ଗୋଦାବରୀ ଅଂଚଳର ବହୁ ନିରୀହ ଲୋକଙ୍କୁ ସେ ହତ୍ୟା କରିଥିବା ପୁଲିସ କହିଛି।

ପିଲାଟି ଦିନରୁ ହିଁ ଅଶୋକ ମିଲିସିଆ ଭାବେ ପ୍ରଥମେ ମାଓ କମାଣ୍ଡର ଭୁପତିର ଅଧିନରେ ରହି କାମ କରିଥିଲା। ଏହା ପରେ ସେ ପାର୍ଟି ମେମ୍ବର ହେବା ପରେ ଧିରେ ଧିରେ ସେ ପାର୍ଟିର ସଚିବ ହୋଇଥିଲା। ଅଶୋକକୁ ଗିରଫ କରିବା ପରେ ପୁଲିସର ମନବଳ ବଢିଥିବା କୁହାଯାଇଛି। ଅଶୋକ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe