ପୁଲିସ ଉପରକୁ ଗୁଳି ଓ ଗ୍ରେନେଡ୍‌ ମାଡ଼, ପୁଣି ଖସିଗଲା କ୍ୟାଡ଼ର୍ ମାଓନେତା ଦସୁର୍

ଦେଶୀ ବନ୍ଧୁକ, ଔଷଧ ସହ ମାଓ ସାମଗ୍ରୀ ଜବତ

ପୁଲିସ ଉପରକୁ ଗୁଳି ଓ ଗ୍ରେନେଡ୍‌ ମାଡ଼, ପୁଣି ଖସିଗଲା କ୍ୟାଡ଼ର୍ ମାଓନେତା ଦସୁର୍

ଫୁଲବାଣୀ: କନ୍ଧମାଳର ମାଓପ୍ରବଣ ଇଲାକାରେ ପୁଲିସର କମ୍ବିଂ ଅପରେସନ୍ ଜାରି ରହିଛି। ବିଭିନ୍ନ ସମୟରେ କ୍ୟାମ୍ପ୍ ଠାବ ସହ ପୁଲିସ ଗୁଳିରେ ମାଓବାଦୀ ନିହତ ହେଉଛନ୍ତି। ତଥାପି ପଛକୁ ହଟୁନାହାନ୍ତି ଲାଲ୍‌ବାହିନୀ। ପ୍ରତିଶୋଧପରାୟଣ ହୋଇ ଜଙ୍ଗଲରେ ମେଳି କରିବା ସହ ବଡ଼ଧରଣ ହିଂସା ଘଟାଇବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି।

ଗତ ୧୧ ତାରିଖରେ ଗୋଛାପଡ଼ା ଥାନା ଅଧୀନ ପାଦରପଡା ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ବେଳ‌େ ୨୦ରୁ ୨୫ଜଣ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ଏଭଳି ପରିସ୍ଥିତିରେ ପୁଣି ପାଦରପଡ଼ା ନିକଟ ବିରେଣି ଜଙ୍ଗଲରେ ପୁଣି ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଉପରକୁ ମାଓବାଦୀ ‌ଗୁଳି ସହ ଗ୍ରେନେଡ଼୍ ମାଡ଼ କରିଥିଲେ। ଏଥିରେ ପୁଲିସର କିଛି କ୍ଷୟକ୍ଷତି ହୋଇ ନଥିଲା। ତଥାପି ଗୁଳି ମାଡ଼ ନ କରି ଆତ୍ମସମର୍ପଣ ଲାଗି ମାଓବାଦୀଙ୍କୁ କୁହାଯାଇଥିଲା। କିନ୍ତୁ ମାଓବାଦୀ ମାନେ ଗୁଳି ଚାଳନା ଜାରି ରଖିଥିଲେ। ଆଉ ପୁଲିସ ବାଧ୍ୟ ହୋଇ ପାଲଟା ଗୁଳି ଚାଳନା କରିବାରୁ ମାଓବାଦୀ ମାନେ ଭ‌ୟରେ କ୍ୟାମ୍ପ୍ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଏଠାରେ ୮ରୁ ୧୦ ଜଣ ମାଓବାଦୀ ଥିବା ବେଳେ କ୍ୟାଡ଼ର୍ ମାଓନେତା ଦସୁର୍ ବି ଥିଲା। ତେବେ ଗତଥର ଭଳି ଏଥର ବି ଦସୁର୍ ଖସିଯିବାରେ ସକ୍ଷମ ହୋଇଛି।

ପୁଲିସ ଉକ୍ତ କ୍ୟାମ୍ପରୁ ୨ଟି ଦେଶୀ ବନ୍ଧୁକ, ଗୋଟିଏ ରେଡ଼ିଓ, ଔଷଧ, ପୋଷାକ ପତ୍ର ଏବଂ ରାସନ ସାମଗ୍ରୀ ଠାବ କରିଥିବା ନେଇ ଏସ୍‌.ପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଲାଲବାହିନୀକୁ ଅପିଲ କରାଯାଇଛି। ତଥାପି ଯଦି ସେମାନେ ହିଂସା ଘଟାଇବାକୁ ଚେଷ୍ଠା କରନ୍ତି ତାହେଲେ କଡ଼ା ଜବାବ ଦେବାକୁ ପୁଲିସ ପ୍ରସ୍ତୁତ ରହିଛି ବୋଲି ଏସ୍‌.ପି.କହିଛନ୍ତି। ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ, ଗୋଛାପଡ଼ା ଥାନାଧିକାରୀ ତୃପ୍ତିରଂଜନ ନାୟକ ଏବଂ ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, କନ୍ଧମାଳରେ ୬ ମାସ ମଧ୍ୟରେ ପୁଲିସ ଗୁଳିରେ ୧୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଯାହାଫଳରେ ମାଓବାଦୀ ରକ୍ତମୁଖା ହୋଇ ପଡିଛନ୍ତି। ସାହସ ଜୁଟାଉ ନଥିଲେ ବି ଦମ୍ ଦେଖାଇ ଉପସ୍ଥିତି ଜାହିର କରିବାକୁ ମାଓବାଦୀ ଉଦ୍ୟମ ଚଳାଇଛନ୍ତି। ଏଦିଗରେ ପୁଲିସ ଆହୁରି ଅଧିକ ସତର୍କ ଓ ସଜାଗ ହେବା ଜରୁରୀ ହୋଇ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe