Photo: Representative
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ସୁନୀତା ଡାକୁଆ(୩୫)। ସେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗାଁର ଶିବ ଡାକୁଆଙ୍କୁ ୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ଘରର କାନ୍ଥ ଦୁଲାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଝିଅର ମା’ ଗାଙ୍ଗପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡଭୁଇଁ ଗ୍ରାମର ଯୋଗୀ ଡାକୁଆଙ୍କ ଝିଅ ସୁନୀତା ଡାକୁଆ ୮ ବର୍ଷ ପୂର୍ବରୁ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଗ୍ରାମର ଶିବ ଡାକୁଆକୁ ବିବାହ କରିଥିଲେ। ଶୁକ୍ରବାର ରାତିରେ ସମସ୍ତେ ଖାଇସାରି ଶୋଇବା ପରେ ବାରିଘର କାନ୍ଥ ଦୁଲାରେ ସୁନୀତା ଆତ୍ମହତ୍ୟା କରିଥିବା ନେଇ ସୁନୀତାଙ୍କ ମା’ ପଙ୍କଜ ଡାକୁଆ ଥାନାରେ ଏତଲା ଦେଇଛନ୍ତି।
ଝିଅର ପୁର୍ବରୁ ମାନସିକ ବିକୃତି ଥିବା ମା’ ପଙ୍କଜ ଡାକୁଆ ଏତଲାରେ ଉଲ୍ଲେଖ କରିଛନ୍ତି। ଗାଙ୍ଗପୁର ଥାନା ଏସ.ଆଇ ଅଜିତ ପରିଡ଼ା ଘଟଣାର ତଦନ୍ତ କରୁଛନ୍ତି। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଇବା ପରେ ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି।
Follow Us