ଖୋର୍ଦ୍ଧା ବସ୍ତିରେ ପାଳିତ ହେଲା ସମୂହ ସଫେଇ କାର୍ଯ୍ୟକ୍ରମ 

Advertisment
ଖୋର୍ଦ୍ଧା ବସ୍ତିରେ ପାଳିତ ହେଲା ସମୂହ ସଫେଇ କାର୍ଯ୍ୟକ୍ରମ 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଓ ଖୋର୍ଦ୍ଧା ସହରରେ କରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଚେତନତା ସହ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଇଛି । ତେବେ ସ୍ୱଚ୍ଛତା ଓ ପରିମଳ କରୋନା ନିୟନ୍ତ୍ରଣର ଏକ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ପ୍ରତି ସପ୍ତାହର ଗୁରୁବାର ଦିନ ସାହି ଓ ବସ୍ତିରେ ସମୂହ ସଫେଇ କାମ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଆଜି ଖୋର୍ଦ୍ଧାର ୧୦ଟି ବସ୍ତିରେ ଏହି ସଫେଇ କାର୍ଯ୍ୟକ୍ରମ ଉତ୍ସାହର ସହକାରେ ପାଳିତ ହୋଇଛି ।

ତିନି ଦିନ ପୂର୍ବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ସହରବାସୀଙ୍କୁ ଏକ ଭିଡ଼ିଓ ମାଧ୍ୟମରେ ଆଜି (ଗୁରୁବାର) ଠାରୁ ପ୍ରତି ସପ୍ତାହର ଗୁରୁବାର ଦିନ ଯେଭଳି ଲକ୍ଷ୍ମୀଙ୍କ ମାଣବସା ଗୁରୁବାର ଭଳି ଘର, ଦାଣ୍ଡ ଆଦି ସଫାସୁତୁରା ରଖୁଛନ୍ତି ସେଭଳି ସାମୂହିକ ସଫେଇ କରିବାକୁ ଅନୁରୋଧ କରିଥିଲେ । ଆଜି ଅନୁରୋଧ କ୍ରମେ ପୌର ପ୍ରଶାସନ ସଂଯୋଜନାରେ ଖୋର୍ଦ୍ଧାର ୧୦ଟି ବସ୍ତିରେ ସାମୂହିକ ସଫେଇ କାର୍ଯ୍ୟ କରାଯାଇଥିଲା । ସକାଳେ ଘରର ମହିଳା ଓ ପିଲାମାନେ ଏହି ସଫେଇ କାର୍ଯ୍ୟରେ ଉତ୍ସାହର ସହ ଯୋଗ ଦେଇଥିଲେ । ଏହାସହ କରୋନା ସଂକ୍ରମଣର ଯାଂଚ, ନିୟନ୍ତ୍ରଣ ଓ ସଚେତନତା ପାଇଁ ଗଠିତ ହୋଇଥିବା ୱାର୍ଡସ୍ତରୀୟ କମିଟିର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ବସ୍ତିବାସିନ୍ଦାଙ୍କ ଏଭଳି ସଫେଇ କାମକୁ ଉପଜିଲ୍ଲାପାଳ ଅଶୋକ ବେହୁରିଆ ଓ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି ପ୍ରଶଂସା କରିଛନ୍ତି । ଏଭଳି ସାମୂହିକ ସଫେଇ ବସବାସ କରୁଥିବା ପରିବେଶକୁ ସ୍ୱଚ୍ଛ ଓ ଜୀବାଣୁ ସଂକ୍ରମଣର ପ୍ରଭାବକୁ ହ୍ରାସ କରାଇବାରେ ସହାୟକ ହେବ ବୋଲି ମତ ଦେଇ ଏହାକୁ ସହରର ଅନ୍ୟ ବାସିନ୍ଦାମାନେ ମଧ୍ୟ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe