ଜଗତସିଂହପୁର: ମନଲୋଭା ମୁହଁ ତୋର ଯେବେ ଯେବେ ଦିଶେ.. ସେ ମୁହଁର ଆର ପାରେ ପୃଥିବୀ ମୋ ହସେ…, ତୋ ପାଦର ଅଳତା କହୁଛି.. ସେଇ ଜହ୍ନଟା …କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, କୁଳଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ ପ୍ରମୁଖ ଗାଇଥିବା ଏଭଳି ବହୁ ରୋମାଣ୍ଟିକ ଗୀତ ପଛରେ ତାଙ୍କର ଯାଦୁକରୀ ସ୍ପର୍ଶ ରହିଛି। ଓଡ଼ିଆ ୟୁଟ୍ୟୁବ୍ ସଙ୍ଗୀତପ୍ରେମୀଙ୍କ ମନରେ ଅନବରତ କେଉଁଠି ନା କେଉଁଠି ଏହି ଗୀତ ସବୁ ଗୁଞ୍ଜରିତ ହେଉଥାଏ। ଏ ସବୁ ସଙ୍ଗୀତର ଲୋକପ୍ରିୟତା ପଛରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ମାତୃପ୍ରସାଦ ରଥଙ୍କର ପ୍ରମୁଖ ଭୂମିକା ରହିଛି। ବୟସ୍ କମ୍ ହେଲେ ସୁଦ୍ଧା ସଙ୍ଗୀତକୁ ନେଇ ତାଙ୍କର ଭାବ ଅଧିକ। ଜଗତସିଂହପୁର ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ବାଇଶମୂଳ ଗ୍ରାମର ମାତୃପ୍ରସାଦ ରଥଙ୍କ(୨୧) ଜନ୍ମ। ବାଲିକୁଦା କଲେଜରୁ ବାଣିଜ୍ୟରେ ସ୍ନାତ୍ତକ ଡିଗ୍ରି ହାସଲ କରିଥିବା ମାତୃପ୍ରସାଦଙ୍କ ପିଲାଟି ବେଳୁ ସଙ୍ଗୀତ ପ୍ରତି ଦୁର୍ବଳତା। ମାତ୍ର ଗୋଟିଏ ବର୍ଷର କ୍ୟାରିୟର ମଧ୍ୟରେ ସେ ଢେର ସଫଳତା ସାଉଁଟିଛନ୍ତି। ତାଙ୍କ ପରିବାରର କୌଣସି ସଦସ୍ୟ ସଙ୍ଗୀତ ଜଗତ ସହ ସଂପୃକ୍ତ ନଥିଲେ ସୁଦ୍ଧା ସେ ନିଜ ଉଦ୍ୟମରେ ଏହି ସଫଳତା ପାଇଛନ୍ତି। ୨୦୨୧ରେ ତାଙ୍କର ପ୍ରଥମ ‘ବମ୍ ବମ୍ ଭୋଲା’ ନାମରେ ଶିବ ଭଜନ ଶ୍ରଦ୍ଧା ମ୍ୟୁଜିକ୍ ବ୍ୟାନରରେ ରିଲିଜ ହୋଇଥିଲା।
ଏହା ପରଠାରୁ ଗୋଟିଏ ପରେ ଗୋଟିଏ ହିଟ୍ ରୋମାଣ୍ଟିକ, ବିରହ ଗୀତକୁ ସେ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ତାଙ୍କର ଚମତ୍କାର ସ୍ବର ସଂଯୋଜନା ପାଇଁ ଦିନକୁ ଦିନ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ବାରମାସୀ, ତୋ ଭିତରେ ଖୁଦା ଦିଶିଯାଏ, କଳିଯୁଗ ପ୍ରେମ, ଖୁସିରେ ରହ ମୋ ଆୟୁଷ ନେଇ, ପ୍ରେମ ଫଗୁଣ, ତୋ ପାଦର ଅଳତା କହୁଛି ଭଳି ଅନେକ ଗୀତ ତାଙ୍କର ୟୁଟ୍ୟୁବ୍ରେ ମିଲୟନ୍ ମନ ଛୁଇଁଛି। ମାତ୍ର ଏକବର୍ଷର କ୍ୟାରିୟରେ ସେ ୨୫ ରୁ ଅଧିକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ଜଣେ ଉଦୀୟମାନ ଯୁବ ପ୍ରତିଭା ଭାବେ ସେ ସଫଳତାର ପାହାଚ ଅତିକ୍ରମ କରୁଛନ୍ତି। ଏଇ କିଛି ଦିନ ମଧ୍ୟରେ ତାଙ୍କର ଅନେକ ଗୀତ ଆସିବାକୁ ଯାଉଥିବା ଥିବା ବେଳେ, ଭବିଷ୍ୟତରେ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ତାଙ୍କର ଲକ୍ଷ୍ୟ ବୋଲି ମାତୃପ୍ରସାଦ କହିଛନ୍ତି।
Follow Us