ସାର୍ପାଘାତରେ ଦୁଇ ମୃତ; ଜଣେ ଗୁରୁତର

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସାପ କାମୁଡ଼ାରେ ବହୁ ଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି । ତେବେ ଆଜି ଗୋଟିଏ ଦିନରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

New Project (40)

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସାପ କାମୁଡ଼ାରେ ବହୁ ଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି । ତେବେ ଆଜି ଗୋଟିଏ ଦିନରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମର ଗୁମାଇ ମୁଣ୍ଡା (୬୦) ନିଜ ଘରେ ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଗୋରୁମହିଷାଣୀ ଥାନା ପୁଲିସ୍ ହସ୍ପିଟାଲ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଗୋରୁମହିଷାଣୀ ଥାନାରେ କେସ ନଂ ୧୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ ମଞ୍ଜରୀ ଥାନା ଅନ୍ତର୍ଗତ ନାଗରକୋଟା ଗ୍ରାମର ଯୁଗଳ କିଶୋର ବିରୁଆଙ୍କ ନାବାଳିକା ଝିଅ ବାମାଇ ବିରୁଆ(୧୭) ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ହସ୍ପିଟାଲ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କେସ ନଂ ୧୪/୨୫ ରେ ଏକ ମାମଲା ରୁଜୁ ହୋଇଛି ।

 ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମର ଉମେଶ ଟୁଡୁଙ୍କ ପୁଅ ଜାସାଇ (୪୫)ଙ୍କୁ ଏକ ନାଗ ସାପ କାମୁଡି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବାରିପଦାସ୍ଥ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe