Catch News
ଠାକୁରମୁଣ୍ତା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀର କୁରାଢ଼ି ଚୋଟରେ ସେହି ଗ୍ରାମର ନାରାୟଣ ପାତ୍ର(୫୫)ଙ୍କ ଜୀବନ ଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୁଲିସ ଗଜେନ୍ଦ୍ର ପାତ୍ରକୁ ନେଇ ଥାନାରେ ଅଟକ ରଖିଛି।
ବୁଧବାର ରାତି ପ୍ରାୟ ୮ଟା ହେବ। ମିସ୍ତ୍ରୀ ଓ ଶ୍ରମିକଙ୍କୁ ମଜୁରି ଦେଇ ନାରାୟଣ ଘରକୁ ଫେରୁଥିଲେ। ଘରେ ପହଞ୍ଚିବାକୁ ଆଉ ପ୍ରାୟ ୨୦ ମିଟର ଥିଲା। ଏତିକିବେଳେ ପଡ଼ୋଶୀ ଗଜେନ୍ଦ୍ର ଅଚାନକ ତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ନାରାୟଣ ଘରକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗଜେନ୍ଦ୍ର ତାଙ୍କୁ ପିଛା କରିଥିଲା। ପିଣ୍ତାକୁ ଉଠୁଥିବା ବେଳେ ତାଙ୍କୁ ରାସ୍ତା ଉପରକୁ ଗଜେନ୍ଦ୍ର ଟାଣି ଆଣି ତାଙ୍କ ବେକକୁ ପୁଣି ଗଜେନ୍ଦ୍ର ଅତି ନିର୍ମମ ଭାବେ ହାଣି ଦେଇଥିଲା। ସେଠାରେ ନାରାୟଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବରପାଇ ମହୁଲଡିହା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଇଥିଲା। ଏନେଇ ମୃତ ନାରାୟଣଙ୍କ ପୁଅ ରତିକାନ୍ତଙ୍କ ଏତଲା ମୂଳେ ପୁଲିସ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଛି। ତେବେ ଗଜେନ୍ଦ୍ର ସହିତ ତା’ର ଦୁଇ ପୁଅ ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଏତଲାରେ ଦର୍ଶାଯାଇଛି। ପୁଲିସ ଗଜେନ୍ଦ୍ରକୁ ଅଟକ ରଖି ପଚରାଉଚୁରା କରୁଛି।
Follow Us