‘ବକ୍ସି ଜଗବନ୍ଧୁ’ର ବକ୍ସିଙ୍କୁ ଝୁରୁଛି ଭଞ୍ଜମାଟି

Advertisment

‘ଅଭିମାନ’ ଚଳଚ୍ଚିତ୍ର ଦେଇଥିଲା ଲୋକପ୍ରିୟତା, ‘ଥ୍ୟାଙ୍କ୍‌ ୟୁ ମିଷ୍ଟର ଗ୍ଲାଡ୍‌ ଏବଂ ‘ନବଘନର ଘର ନାଟକର ନିର୍ଦ୍ଦେଶକ ଥିଲେ

‘ଅଭିମାନ’ ଚଳଚ୍ଚିତ୍ର ଦେଇଥିଲା ଲୋକପ୍ରିୟତା, ‘ଥ୍ୟାଙ୍କ୍‌ ୟୁ ମିଷ୍ଟର ଗ୍ଲାଡ୍‌ ଏବଂ ‘ନବଘନର ଘର ନାଟକର ନିର୍ଦ୍ଦେଶକ ଥିଲେ

ଅଜେୟ ଅଜିତ୍‌

TheWikiFeed

ବାରିପଦା: ପ୍ରାୟ ୧୯୭୫ ମସିହାର କଥା। ଏନଏସ୍‌ଡିରୁ ସଫଳତାର ସହିତ କୃତିତ୍ବ ହାସଲ କରି ଫେରିଥାଆନ୍ତି ଅଜିତ ଦାସ। ସେତେବେଳେ ମଞ୍ଚନାଟକ ଓ କଳା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ବାରିପଦାସ୍ଥିତ ଯୁଗେଚ୍ଛା ନାଟ୍ୟସଂସ୍ଥାର ନାଟକ ‘ବକ୍ସି ଜଗବନ୍ଧୁ’ରେ ବକ୍ସି ଭୂମିକାରେ ଅଭିନୟ କରିବା ପାଇଁ ଅଭିନେତା ଖୋଜା ଚାଲିଥିଲା। ବକ୍ସି ଭୂମିକାରେ ଅଭିନୟ ପାଇଁ ମୟୂରଭଞ୍ଜ ମାଟିର ପୁଅ ଅଜିତଙ୍କୁ ମିଳିଲା ସୁଯୋଗ। ବାରିପଦାସ୍ଥିତ ସେବସଂଘ ହଲ୍‌ରେ ପ୍ରଦର୍ଶିତ ହେଲା ନାଟକ। ସେ ମଞ୍ଚରେ ବଳିଷ୍ଠ ସୁଠାମ ଯୁବକ ଅଜିତ ବକ୍ସି ଚରିତ୍ରକୁ ଏପରି ଫୁଟାଇଥିଲେ ଯେ, କିଛି ସମୟ ପାଇଁ କରତାଳିରେ କମ୍ପି ଉଠିଥିଲା ସେବାସଂଘ ହଲ୍‌। ସେ ଅଭିନୟ ଦେଖିଥିବା ଲୋକେ ଆଜି ବି ଅଜିତଙ୍କ ସଂଳାପ ମନେ ରଖିଛନ୍ତି। ଏ ଥିଲା ଅଜିତଙ୍କ ବଳିଷ୍ଠ ଅଭିନୟର ଏକ ଝଲକ୍‌। ଆଜି ଅଜିତ ନାହାନ୍ତି। ତାଙ୍କ ମୃତ୍ୟୁରେ ମୟୂରଭଞ୍ଜବାସୀ ଝୁରୁଛନ୍ତି ‘ବକ୍ସି ଜଗବନ୍ଧୁ’ର ସେ ବକ୍ସିଙ୍କୁ, ମନେ ପକାଉଛନ୍ତି ମାଟିର ସୁଯୋଗ୍ୟ ସନ୍ତାନଙ୍କୁ।

publive-image

କରଞ୍ଜିଆରେ ଜନ୍ମଗ୍ରହଣ କରିଥିବା ଅଜିତ ଦାସ ନିଜର ନିଖୁଣ ଅଭିନୟ ପାଇଁ ସାଉଁଟିଥିଲେ ଅଜସ୍ର ସଫଳତା ଓ ଲୋକପ୍ରିୟତା। କିମ୍ବଦନ୍ତୀ କଳାକାର ବିଜୟ ମହାନ୍ତିଙ୍କଠାରୁ ମାତ୍ର କିଛି ବର୍ଷ ସାନ ଥିବା ଅଜିତଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା ୧୯୭୭ରେ ରିଲିଜ୍‌ ହୋଇଥିବା ବାରିପଦାର ଗଣେଶ ଜୀଉଙ୍କ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଅଭିମାନ’। ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଥିବା ନାୟକ ଉତ୍ତମ ମହାନ୍ତିଙ୍କ ସହିତ ଜଣେ ଚରିତ୍ର ଅଭିନେତା ଭାବେ ଅଭିନୟ କରିଥିଲେ ଅଜିତ। ପରେ ବାରିପଦାର ଜୟଶ୍ରୀ ପ୍ରଡକ୍ସନ୍‌ର ବଟକୃଷ୍ଣ ନାୟକଙ୍କ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଫୁଲ ଚନ୍ଦନ ଓ ‘ରଜନୀଗନ୍ଧା’ରେ ଅଭିନୟ କରି ସଫଳତା ଲାଭ କରିଥିଲେ ଓ ଲମ୍ବିଥିଲା ଅଭିନୟର ଧାରା। ସେହିପରି ଯୁଗେଚ୍ଛା ନାଟ୍ୟସଂସ୍ଥା ସହିତ ମଧ୍ୟ ଅଜିତଙ୍କର ସୁସମ୍ପର୍କ ରହିଥିଲା। ଭୁବନେଶ୍ବରରେ ରହୁଥିଲେ ବି ବାରିପଦା ଆସି ‘ଥ୍ୟାଙ୍କ୍‌ ୟୁ ମିଷ୍ଟର ଗ୍ଲାଡ୍‌’ ଏବଂ ‘ନବଘନର ଘର’ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ବାରିପଦାରେ ହେଉଥିବା ମୟୂରଭଞ୍ଜ ମ‌ହୋତ୍ସବରେ ନିୟମିତ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଅଜିତ। ଆଜି ତାଙ୍କ ବିୟୋଗରେ ଯୁଗେଚ୍ଛା ନାଟ୍ୟସଂସ୍ଥାର ଧୀର ବସା, ସନ୍ତୋଷ ମହାନ୍ତି ଏବଂ ବରିଷ୍ଠ ସିନେ କଳାକାର ଅସିତ ପତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe