ଅନ୍ଧବିଶ୍ୱାସର ଅନ୍ତ ନାହିଁ! : ୫ ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ  

Advertisment
ଅନ୍ଧବିଶ୍ୱାସର ଅନ୍ତ ନାହିଁ! : ୫ ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ  

୧୦ଦିନ ଧରି ଏତଲା ଚାପିଥିଲା ପୁଲିସ, ଭିଡିଓ ଭାଇରାଲ୍‌ ପରେ ତନାଘନା

ବଡ଼ସାହି/ସାନକେରକୋ : ଶତ ସଚେତନତା ଉଦ୍ୟମ ସତ୍ତ୍ୱେ ମୟୂରଭଞ୍ଜରେ ଅନ୍ଧବିଶ୍ୱାସର ଅନ୍ତ ହେଉନି। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ଜଣେ ବୃଦ୍ଧ ଓ ୫ ଜଣ ମହିଳାଙ୍କୁ ଗଛରେ ବାନ୍ଧି ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଛନ୍ତି। ଶତାଧିକ ପୁରୁଷ, ମହିଳା ଓ ଶିଶୁଙ୍କ ସମ୍ମୁଖରେ ଘଟିିଛି ଏପରି ମଧ୍ୟଯୁଗୀୟ ନିର୍ଯାତନା। କେହି ପ୍ରତିବାଦ କରିବା ତ ଦୂରର କଥା ଅନେକ ଲୋକ ଏହି ଦୃଶ୍ୟକୁ ମୋବାଇଲରେ ଭିଡିଓ ରେକର୍ଡିଂ କରିଛନ୍ତି। ଅନ୍ୟମାନେ ଏହି ଦୃଶ୍ୟ ଉପଭୋଗ କରିଛନ୍ତି। ଜଣେ ଗ୍ରାମରକ୍ଷୀ ବି ଏହି ଘଟଣା ଘଟୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କୁହାଯାଉଛି। ଗତ ୨୨ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଘଟଣାଟି ପଦାକୁ ଆସିଛି। ସବୁଠୁ ବଡ଼କଥା ହେଉଛି, ୨୩ ତାରିଖରେ ଏନେଇ ଥାନାରେ ଏତଲା ହୋଇଥିଲେ ବି ବଡ଼ସାହି ଥାନା ପୁଲିସ ୧୦ ଦିନ ପର୍ଯ୍ୟନ୍ତ ହାତବାନ୍ଧି ବସିବା ପରେ ଗତ ୩ ତାରିଖରେ ଏକ ମାମଲା ରୁଜୁ କରିଛି। କିନ୍ତୁ ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଯଦୁନାଥପୁର ପଞ୍ଚାୟତ ଅଧୀନ ମଧୁପୁର ଗାଁରେ। ଅନ୍ଧବିଶ୍ୱାସ ଆକ୍ରାନ୍ତ କିଛି ଗ୍ରାମବାସୀ ସନ୍ଦେହ କରୁଥିଲେ ତାଙ୍କ ଗାଁର ବୁଧୁରାମ ସିଂଙ୍କ ପୁଅକୁ ସେହି ଗାଁର ଶିବ ସିଂ ଡାଆଣୀ ହୋଇ ଖାଇ ଦେଇଛି। ଏଭଳି ଅବାସ୍ତବ ସନ୍ଦେହ ଆଧାରରେ ଗାଁର ୩/୪ ଜଣ ଲୋକ ଶିବଙ୍କୁ ୨୨ ତାରିଖ ସକାଳୁ ଘରୁ ଡାକି ନେଇଥିଲେ। ଗାଁ ମଝିରେ ଗ୍ରାମରକ୍ଷୀ ଗୌରମୋହନ ସିଂଙ୍କ ଉପସ୍ଥିତିରେ ଶିବଙ୍କୁ ବାନ୍ଧିପକାଇ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ପତ୍ନୀ ରାଧିମଣି ସିଂ ସେଠାରେ ପହଞ୍ଚି ସ୍ୱାମୀଙ୍କୁ ଛାଡ଼ିଦେବାକୁ ଗାଁ’ ଲୋକଙ୍କ ନିକଟରେ ନେହୁରା ହୋଇଥିଲେ। ହେଲେ ଗାଁ ଲୋକେ ଆହୁରି ତାତିଉଠି ରାଧିଙ୍କୁ ବି ଧରି ଗଛରେ ବାନ୍ଧିଦେଇଥିଲେ। ଏହା ପରେ ଜଣକ ପରେ ଜଣେ, ଆଉ ୪ ଜଣ ମହିଳାଙ୍କୁ ବି ସେମାନେ ଗଛରେ ବାନ୍ଧି ପିଟିଥିଲେ।

ଏନେଇ ରାଧିମଣି ଗତ ମାସ ୨୩ ତାରିଖରେ ୫ ଜଣଙ୍କ ବିରୋଧରେ ବଡ଼ସାହି ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ଭାବେ ଜଠେଆ ସିଂ, ବିପିନ ସିଂ, ରାଜ ସିଂ, ଚେଁ ସିଂ ଓ ମାଗୁଣି ସିଂଙ୍କ ନାମ ଏତଲାରେ ଉଲ୍ଲେଖ କରିଛନ୍ତି। କିନ୍ତୁ ପୁଲିସ ଏହି ଏତଲା ଉପରେ ୧୦ ଦିନ ଧରି କାର୍ଯ୍ୟାନୁଷ୍ଠାନ ନ ନେଇ ବସିଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ଓ ଏ ନେଇ ବିଭିନ୍ନ ମହଲରୁ  ସମାଲୋଚନା ହେବା ପରେ ପୁଲିସ ମାମଲା ରୁଜୁ କରିଛି। ବେତନଟୀ ଏସ୍‌ଡିପିଓ ଧୀରେନଚନ୍ଦ୍ର ନନ୍ଦ ଓ ବଡ଼ସାହି ପୁଲିସ ଟିମ୍‌ ମଧୁପୁର ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ତେବେ କାହାରିକୁ ଗିରଫ କରିନାହାନ୍ତି।

ଏ ବିଷୟରେ ଏସ୍‌ଡିପିଓଙ୍କୁ ପଚାରିବାରୁ କହିଥିଲେ ଯେ ସେ ଘଟଣା ବିଷୟରେ ଅବଗତ ନଥିଲେ। ଏଥିପାଇଁ ଥାନା ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଆଜି ଜାଣିବା ପରେ ତଦନ୍ତ ପାଇଁ ସେହି ଗାଁକୁ ଯାଇଥିଲେ। ମାତ୍ର କାହାରିକୁ ପାଇନଥିଲେ। ତେଣୁ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କୁ ଆସନ୍ତାକାଲି ଥାନାକୁ ଡକାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe