ବୈଶିଙ୍ଗା: ବାପାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଥିଲେ ୪ଭାଇଭଉଣୀ ସମେତ ବିଧବା ମା’l ମାଆ ଦିନ ମଜୁରିଆ ଭାବେ ଯାହା ରୋଜଗାର କରୁଥିଲେ। ସେତିକିରେ କେବଳ ୫ପ୍ରାଣୀ ବିଶିଷ୍ଟ କୁଟୁମ୍ବର ପେଟକୁ ୨ଓଳି ଦାନା ଦୁଇଟା ଯାଉଥିଲାl ୧୪ବର୍ଷୀୟା ଝିଅ ପାଠ ଛାଡ଼ି ଘର କାମ କରୁଥିଲା ବେଳେ ୩କୋମଳମତି ପୁଅ ସ୍କୁଲ ଯାଇ ନପାରି ଗାଁରେ ଗୋରୁ ବଗାଳୁଥିଲେl ପ୍ରାଥମିକ ସ୍ତରରେ ବେତନଟୀ ବିଇଓଙ୍କ ସହାୟତାରେ ୪ଭାଇଭଉଣୀଙ୍କୁ ବିଦ୍ୟାଳୟରେ ଆଡ଼ମିସନ ପୂର୍ବକ ହଷ୍ଟେଲରେ ପାଠ ପଢ଼ାଇବାର ବ୍ୟବସ୍ଥା କରାଇଥିବା ବେଳେ ପରିବାରର ଅସହାୟତା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ହେବାପରେ ରଘୁପୁର ବିଜେପି ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡାଙ୍କ ତତ୍ୱାବଧାନରେ ବେତନଟୀ ବ୍ଲକ ପ୍ରଶାସନ ସହାୟତାର ହାତ ବଢ଼ାଇଛିl 

Advertisment

ବେତନଟୀ ବ୍ଲକ ଅଧୀନ ପୁରୁଣିଆ ପଞ୍ଚାୟତର ହରିପୁର ଗ୍ରାମରେ ସ୍ବର୍ଗତ ବିଦେଶୀ ସିଂ ତାଙ୍କ ସ୍ତ୍ରୀ ରୀନାକୁ ନେଇ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏକ ଇଟାଭାଟିରେ କାମ କରୁଥିବାବେଳେ ତାଙ୍କର ୪ ସନ୍ତାନ ମଧ୍ୟ ତାଙ୍କ ସହିତ ରହୁଥିଲେl ବଡ଼ ଝିଅ ନନ୍ଦିନୀର ବୟସ ମାତ୍ର ୧୪ବର୍ଷ ହୋଇଥିବାବେଳେ ବଡ଼ ପୁଅ ଦୀପକ ୧୧ବର୍ଷର, ମଝିଆ ପୁଅ କୁଥୁନ ୮ବର୍ଷ ଓ ସାନ ପୁଅ ରୁଦ୍ରର ବୟସ ମାତ୍ର ୬ବର୍ଷl ବାପା-ମାଆ ମିଶି ଇଟାଭାଟିରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ସଂସାର ଚଳିବା ସହିତ ପିଲାମାନେ ପାଠ ପଢୁଥିଲେ l 

ଗତବର୍ଷ ହଟାତ କିଡ଼ନୀ ରୋଗରେ ବିଦେଶୀର ମୃତ୍ୟୁ ଘଟିଥିଲାl ଫଳରେ ସମ୍ପୂର୍ଣ ପରିବାର ଅସହାୟ ହୋଇ ପଡିଥିଲାl ବାଧ୍ୟ ହୋଇ ୪ଛୁଆଙ୍କୁ ଧରି ପୈତୃକ ଗ୍ରାମ ହରିପୁରକୁ ଫେରି ଆସିଥିଲା ରୀନାl 

ସ୍ୱାମୀଙ୍କର ପରିତ୍ୟକ୍ତ ଘରେ ଖଣ୍ଡେ ଥିଲା ବୋଲି ଖରା ବର୍ଷା ଦାଉରୁ ରକ୍ଷା ହୋଇ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ମିଳିଯାଇଥିଲାl ହେଲେ ୪ଛୁଆ ମୁହଁରେ ଦାନା ୨ଓଳି ଦେବାକୁ ବେସ କସରତ କରିବାକୁ ପଡ଼ିଥିଲା ରୀନାକୁl ପର ଘରେ ମୁଲ ଲାଗି ଆଣୁଥିବା ଟଙ୍କାରେ ୫ପ୍ରାଣୀ କୁଟୁମ୍ବ ପୋଷିବା ଅସମ୍ଭବ ହୋଇ ପଡୁଥିଲାl ଯେଉଁଥିପାଇଁ ପିଲାମାନଙ୍କ ପାଠ ପଢ଼ାରେ ଡୋରି ବାନ୍ଧି ହୋଇଯାଇଥିଲାl ଶେଷରେ ବଡ଼ ଝିଅ ନନ୍ଦିନୀ ମାଆ ଙ୍କୁ ଘର କାମରେ ସାହାଯ୍ୟ କଲା ତ ୩କୁନି କୁନି ପୁଅ ଗାଁ ଦାଣ୍ଡରେ ଖେଳିବା ସହିତ ପଡିଆରେ ଗୋରୁ ଚରାଇଲେl ବାପାଙ୍କ ମୃତ୍ୟୁ ତାଙ୍କ ପାଇଁ ପାଲଟି ଗଲା ଅଭିଶାପ ସଦୃଶl ଦେଖୁ ଦେଖୁ ୪ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଧସେଇ ଚାଲି ଯାଉଥିବା ବେଳେ  ବେତନଟୀ ବିଇଓ ବିପ୍ଳବ କର ଛୋଟ ଛୋଟ ୩କୋମଳମତି ଶିଶୁଙ୍କ ଭବିଷ୍ୟତ କଥା ଚିନ୍ତା କରି ୩କୁନି କୁନି ପୁଅଙ୍କୁ ନେଇ ସାମୟିକ ଭାବେ ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଡ଼ମିସନ କରିଥିବା ବେଳେ ବହି ବସ୍ତାନି ପ୍ରଦାନ କରିବା ସହିତ ଆଗାମୀ ଦିନରେ ସେମାନଙ୍କୁ ଯଥାଶୀଘ୍ର ସ୍ଥାନୀୟ ଟିକାୟତପୁର ସ୍ଥିତ ହଷ୍ଟେଲରେ ରଖାଯିବାର ବ୍ୟବସ୍ଥା କରାଇଥିଲେl

ସେହିଭଳି ବଡ଼ ଝିଅ ନନ୍ଦିନୀ କୁ ମଧ୍ୟ ପୁରୁଣିଆ ସ୍ଥିତ ହାଇସ୍କୁଲରେ ଆଡ଼ମିସନ କରାଇ ସ୍କୁଲ ଯିବା ପାଇଁ ଗୋଟେ ସାଇକେଲର ମଧ୍ୟ ବ୍ୟବସ୍ଥା କରିଥିଲେl ହେଲେ ଏତିକିରେ ରୀନା ପରିବାରର ଦୁଃଖ ସରି ନଥିଲାl ରୀନା ସରକାରୀ ପ୍ରଦତ୍ତ କୌଣସି ସୁବିଧା ସୁଯୋଗ ପାଉନଥିଲାl ନା ପାଉଥିଲା ଭତ୍ତା ନା ପାଉଥିଲା ରାସନ ଚାଉଳl ସ୍ୱାମୀ ମରିଗଲା ପରେ ଶାଶୁଙ୍କ ନାମରେ ଥିବା ରାସନ କାର୍ଡରୁ ମୃତ ବିଦେଶୀ ନାମ ସହିତ ରୀନା ପରିବାରର ସବୁ ନାମ କଟିଯାଇଥିଲାl ତେବେ ଏନେଇ ଦୈନିକ ‘ସମ୍ବାଦ’ରେ ଖବର ପ୍ରସାରଣ ପରେ ଅସହାୟ ପରିବାରକୁ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡା ଭେଟିଥିଲେ ଓ ରୀନା ଠାରୁ ସବୁ କଥା ଶୁଣିଥଲେl ପରେ ଗୁରୁବାର ଓଟୋ ଯୋଗେ ରୀନା ଓ ତାର ୪ପୁଅ ଝିଅଙ୍କୁ ନେଇ ବ୍ଲକ ପ୍ରଶାସନ ନିକଟରେ ପହଞ୍ଚି ଉଭୟ ଭତ୍ତା ଓ ରାସନର ବ୍ୟବସ୍ଥା କରାଇଥିଲେl

Mayurbhanj

ରିପୋର୍ଟ: ଦୀପକ କୁମାର ସିଂହ