ବାରିପଦା : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଫାର୍ମାସିଷ୍ଟ। ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଭାଲ୍କି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ସଞ୍ଜୀବ କୁମାର ପତି(୫୬)ଙ୍କ ତୁଳସୀଚଉରାସ୍ଥିତ ବାସଭବନ ସମେତ ଭାଲ୍କି ପିଏଚ୍ସିରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ଓ ବାରିପଦା ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ତୁଳସୀଚଉରାରେ ଥିବା ୧ କୋଟି ୨୮ ଲକ୍ଷ ଟଙ୍କାର ଚାରିମହଲା କୋଠା ସମେତ ପ୍ରାୟ ଦେଢ଼ କୋଟିରୁ ଊର୍ଧ୍ବ ସମ୍ପତ୍ତି ଠାବ କରାଯାଇଛି। କେବଳ ସେତିକି ନୁହେଁ, ନଗଦ ୬୫ହଜାର ଟଙ୍କା ଜବତ କରିବା ସହିତ ଭିଜିଲାନ୍ସ ୧ଲକ୍ଷ ୯୮ହଜାର ଟଙ୍କାର ମୂଲ୍ୟର ଜମି, ବିଭିନ୍ନ ବ୍ୟାଙ୍କରେ ଥିବା ୨୮ ଲକ୍ଷ ୯୨ ହଜାର ଟଙ୍କା ମୂଲ୍ୟର ଜମାରାଶି, ୪୫ହଜାର ଟଙ୍କା ମୂଲ୍ୟର ଗାଡ଼ି, ପ୍ରାୟ ୨ଲକ୍ଷ ୩୯ ହଜାର ମୂଲ୍ୟର ଆସବାବପତ୍ର ଆଦି ସହିତ ପ୍ରାୟ ୧ କୋଟି ୬୨ଲକ୍ଷ ୪୪ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀ ପତିଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାକୁ ନେଇ ମଧ୍ୟ ଖୋଳତାଡ଼ ଜାରି ରହିିଥିଲା।
ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ : ଚାରିମହଲା କୋଠା ଓ ଦେଢ଼ କୋଟିରୁ ଊର୍ଧ୍ବ ସମ୍ପତ୍ତି ଠାବ
Advertisment
Follow Us