ପୁଲିସ୍‌ କବ୍‌ଜାରେ ନକଲି ଆଇଏଏସ୍‌

Advertisment
ପୁଲିସ୍‌ କବ୍‌ଜାରେ ନକଲି ଆଇଏଏସ୍‌

ଖୁଣ୍ଟା : ନିଜକୁ ଆଇଏଏସ୍‌ ଅଫିସର୍‌ ପରିଚୟ ଦେଇ ଅନେକ ଯୁବତୀଙ୍କୁ ଫସାଇ ବିବାହ କରିଥିବା ଜଣେ ଠକ ଯୁବକ ଆଜି ପୁଲିସ୍‌ ହାତରେ ଧରାପଡ଼ିଛି। ଖାଲି ଧରାପଡ଼ିନି ତା’ର କଳାକାର୍‌ନାମା ବି ପଦାକୁ ଆସିଛି। ଏହାପୂର୍ବରୁ ସିସୋର୍‌ ଚିଟ୍‌ଫଣ୍ଡ ସମ୍ପୃକ୍ତିରେ ସେ ଜେଲ୍‌ରେ ଥିଲା। ବିଭିନ୍ନ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ବି ଠକିଥିଲା। ଏବେ ମୟୂରଭଞ୍ଜର ଖୁଣ୍ଟାରେ ଆଉ ଜଣେ ଯୁବତୀଙ୍କୁ ବିବାହ କରି ରହିଥିବାବେଳେ ପୁଲିସ୍‌ କାବୁ କରିନେଇଛି।

ଏହି ଠକ ଯୁବକ ଜଣକ ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ିି ଅଞ୍ଚଳର ରବୀନ୍ଦ୍ର ପଣ୍ଡାଙ୍କ ପୁଅ ରଜତ କୁମାର ପଣ୍ଡା। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରଜତ ପୂର୍ବରୁ ସିସୋର ଚିଟ୍‌ଫଣ୍ଡ ମାମଲାରେ ମଧ୍ୟ ସଂପୃକ୍ତ ଥିଲା। ଏଥିପାଇଁ ୨୦୧୪-୧୫ ମସିହାରେ ଗିରଫ ହୋଇ ଦେଢ଼ବର୍ଷ ଧରି ଝାରପଡ଼ା ଜେଲ୍‌ରେ ଥିଲା। ଏହାପରେ ମାଲକାନାଗିରି ଜିଲ୍ଲାର ଉପ-ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଫେସ୍‌ବୁକ ତଥ୍ୟ ଚୋରି କରି ନିଜକୁ ସମାନ ପରିଚୟ ଦେଇ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଲୋକଙ୍କୁ ଠକୁଥିଲା। ଏହା ଜଣାପଡ଼ିବା ପରେ ଉପ-ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ପକ୍ଷରୁ ମାଲକାନଗିରି ପୁଲିସ ନିକଟରେ ୪୩/୧୮ରେ ଏକ ମାମଲା ରୁଜୁ ହୋଇଥିଲା।

କେବଳ ଏତିକି ନୁହେଁ, ରଜତ ନିଜକୁ ଆଇଏଏସ୍‌ ଅଫିସରର ପରିଚୟ ଦେଇ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ସେଠାରେ ଜଣେ ଯୁବକଙ୍କୁ ଫସାଇ ତାଙ୍କ ମାରୁତି ଡିଜାୟାର କାରକୁ ଆଣି ତିହିଡ଼ିରେ ରଖିଥିଲା। ପରେ ମୟୂରଭଞ୍ଜ ଜିଲ୍ଲାକୁ ଆସି ଖୁଣ୍ଟା ଥାନା ଦାମୋଦରପୁର ଗାଁର ଜଣେ ଯୁବତୀଙ୍କୁ ଆଇଏଏସ୍‌ ଅଫିସର ପରିଚୟ ଦେଇ ଗତ ମେ’ ୨୦ ତାରିଖରେ ଉଦଳାସ୍ଥିତ ତାରିଣୀ ମନ୍ଦିରରେ ଦ୍ୱିତୀୟ ବିବାହ କରିଥିଲା ଏବଂ ଶ୍ୱଶୁର ଘରେ ରହି ନିଜ ର‍୍ୟାକେଟ୍‌ ଚଳାଇଥିଲା।

ତେବେ ତା’ର କାର୍ଯ୍ୟକଳାପ ଓ ଚାଲିଚଳଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରୁ ଲୋକେ ଖୁଣ୍ଟା ପୁଲିସକୁ ସୂଚନା ଦେଇଥିଲେ। ଖୁଣ୍ଟା ଥାନା ଆଇଆଇସି ରୀନା ବେହେରାଙ୍କ ପକ୍ଷରୁ ଘଟଣାର ଖୋଳତାଡ଼ ହେବା ପରେ ରଜତ ଜଣେ କୁଖ୍ୟାତ ଠକ ବୋଲି ଜଣା ପଡ଼ିଯାଇଥିଲା। ଗତକାଲି ରାତିରେ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe