ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆଜି ଟାଟାଙ୍କ ଜନ୍ମଦିନ। ଟିସ୍କୋ (ବର୍ତ୍ତମାନର ଟାଟା ଷ୍ଟିଲ୍)ର ଜାମସେଦପୁର ତଥା ଏହାର ବିଭିନ୍ନ ଖଣି ଅଂଚଳ ଗୁଡିକ ପାଇଁ ଏକ ସ୍ମରଣୀୟ ଗୁରୁତ୍ୱପୂର୍ଣ୍ଣ ଦିବସ। କାରଣ ଭାରତ ତଥା ଏସିଆର ପ୍ରଥମ ସମନ୍ୱିତ ଲୌହ ଓ ଇସ୍ପାତ ଶିଳ୍ପର ପ୍ରତିଷ୍ଠାତା, ଜାମସେଦଜୀ ନାସେର୍ବନ୍ଜୀ ଟାଟାଙ୍କ ଜନ୍ମ ୩ ମାର୍ଚ୍ଚ ୧୮୩୯ ଦିନ ହୋଇଥିଲା।
ସୂଚନାଯୋଗ୍ୟ, ଜାମସେଦପୁରର ପୂର୍ବନାମ ‘ସାକ୍ଚି’ ଓ ଟାଟାନଗର ରେଳ ଷ୍ଟେସନର ନାମ ‘କାଳିମାଟି’ ଥିଲା। ୧୯୦୮ରେ ସାକଚିର ଷ୍ଟିଲ୍ ପ୍ଲାଂଟ୍ କାର୍ଯ୍ୟାରମ୍ଭ ହୋଇ ୧୯୧୧ରେ ସରିଥିଲା ଏବଂ ୧୬ ଫେବ୍ରୁଆରି ୧୯୧୨ରେ ଦେଶର ପ୍ରଥମ ଲୌହ ଓ ଇସ୍ପାତ କାରଖାନାରୁ ପ୍ରଥମ ଇନ୍ଗଟ୍ ବା ଲୌହପିଣ୍ଡ ଉତ୍ପାଦନର ଶୁଭାରମ୍ଭ ହୋଇଥିଲା। ମୟୂରଭଂଜର ପ୍ରଗତିଶୀଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ପ୍ରେରଣାରେ ଷ୍ଟେଟ୍ ଜିଓଲୋଜିଷ୍ଟ ପ୍ରମଥନାଥ ବୋଷଙ୍କ ପ୍ରଚେଷ୍ଟାକ୍ରମେ ଗୋରୁମହିଷାଣୀରେ ଦେଶର ପ୍ରଥମ ଲୁହାଖଣି ଆବିଷ୍କୃତ ହେଲାରୁ, ଏହାକୁ ୧୯୧୦ରୁ ୧୯୪୦ ପର୍ଯ୍ୟନ୍ତ ମହାରାଜା ଜାମସେଦପୁର ଟିସ୍କୋ କାରଖାନାରେ ଉପଯୋଗ ପାଇଁ ଟାଟା କଂପାନିକୁ ଲିଜ୍ ଦେଇଥିଲେ। ଉକ୍ତ ଲିଜ୍କୁ ପରେ ୧୯୪୦ରୁ ୧୯୭୦ ପର୍ଯ୍ୟନ୍ତ ମହାରାଜା ପ୍ରତାପଚନ୍ଦ୍ର ନବୀକରଣ କରିଥିଲେ। ପରବର୍ତ୍ତୀ ସମୟରେ ଏମ୍. ଏସ୍ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ୍ ପ୍ରା.ଲି କମ୍ପାନୀ ଲିଜ ପାଇବା ପରେ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ। ତେବେ ୨୦୨୦ ଠାରୁ ବର୍ତ୍ତମାନ ମଧ୍ୟ ଏମ୍. ଏସ୍ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ୍ ପ୍ରା.ଲି କମ୍ପାନୀ ଅଧୀନରେ ଖଣିରୁ ଲୁହାପଥରେ ଉତ୍ତଳନ ଚାଲିଛି। ତେଣୁ ଦେଶର ଏହି ଐତିହାସିକ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପଛରେ ଶତାୟୁ ଗୋରୁମହିଷାଣୀ ଲୌହଖଣିର ଅତୁଳନୀୟ ଅବଦାନ ରହିଛି।
ସୂଚନାଯୋଗ୍ୟ ବ୍ରିଟିଶ ଇଣ୍ଡିଆର ତକ୍ରାଳୀନ ଗଭର୍ଣ୍ଣର ଜେନେରାଲ୍ ଓ ଭାଇସ୍ରାୟ ଲର୍ଡ ଚେମସଫୋର୍ଡ, ଦେଶପ୍ରତି ଜାମସେଦଜୀ ଟାଟାଙ୍କ ଅମୂଲ୍ୟ ଅବଦାନ ପାଇଁ ତାଙ୍କ ଜନ୍ମଦିନ ୩ ମାର୍ଚ୍ଚ ୧୯୧୯ ଦିନ,ସାକଚି୍ର ନାମକୁ ଜାମସେଦପୁର ଓ କାଳିମାଟି ରେଳ ଷ୍ଟେସନକୁ ଟାଟାନଗର ନାମରେ ନାମିତ ହେବାର ଐତିହାସିକ ଘୋଷଣା କରିଥିଲେ। ତେଣୁ ୩ ମାର୍ଚ୍ଚ ୧୯୧୯ ଦିନରୁ ଜାମସେଦପୁରରେ ଟାଟାଙ୍କ ଜନ୍ମଦିବସଟି ଅତି ଜାକଜମକ, ଆନନ୍ଦଉଲାସ ଓ ମହାସମାରୋହରେ ଟାଟା କଂପାନି ଦ୍ୱାରା ପାଳିତ ହୋଇ ଆସୁଛି। ଏପରିକି ଟାଟାଙ୍କ ପ୍ରଥମ ବା ମାତୃଖଣି (ମଦର ମାଇନ୍ସ୍) ଗୋରୁମହିଷାଣୀ ଲୁହାଖଣିରେ ମଧ୍ୟ ପ୍ରତିବର୍ଷ ୩ ମାର୍ଚ୍ଚ ଦିନ ଟାଟାଙ୍କ ଜନ୍ମୋତ୍ସବ ଧୁମଧାମରେ ଆଡମ୍ବର ସହ ପାଳିତ ହେଉଥିଲା। କିନ୍ତୁ ଗୋରୁମହିଷାଣୀ ଲୁହାଖଣିକୁ ପରିତ୍ୟାଗ କାରି ଟାଟା ଅନ୍ୟତ୍ର ଚାଲିଯିବାରୁ, ଜାମସେଦଜୀ ଟାଟାଙ୍କ ୩ ମାର୍ଚ୍ଚ ଉତ୍ସବ ପାଳନ ବନ୍ଦ ହୋଇଯାଇଛି।
ଉଲ୍ଲେଖନୀୟ ଯେ, ୩ ମାର୍ଚ୍ଚ ଟାଟାଙ୍କ ପ୍ରତିଷ୍ଠିତ ଇସ୍ପାତନଗରୀ ଜାମସେଦପୁରର ସମଗ୍ର ଅଞ୍ଚଳ ବିଶେଷ କରି ପ୍ରସିଦ୍ଧ ଜୁବୁଲିପାର୍କ ଅଂଚଳ ଆକର୍ଷଣୀୟ ରଂଗବେରଂଗ ଆଲୋକମାଳାରେ ସଜିତ ହୋଇ ସ୍ଥାନୀୟ ଅଧିବାସୀଙ୍କୁ ଆକୃଷ୍ଟ କରୁଥିବାବେଳେ, ଟାଟାର ମାତୃଖଣି ଗୋରୁମହିଷାଣୀ ଅଂଚଳଟି ଅନ୍ଧକାରମୟ ରହିବା ଅତି ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଅଂଚଳର ସଚେତନ ନାଗରିକ ଦୁଃଖ ଓ କ୍ଷୋଭ ପ୍ରକାଶ କରଛନ୍ତିି। ନିଜର ମାତୃଖଣି ଗୋରୁମହିଷାଣୀ ଲୁହାଖଣି ପ୍ରତି ଟାଟା କଂପାନୀର ଅଣଦେଖା, ଅବହେଳା ଓ ଅକୃତଜ୍ଞ ମନୋଭାବକୁ ଗୋରୁମହିଷାଣୀ ଅଂଚଳର କିଛି ପୂର୍ବତନ ଟାଟା କର୍ମଚାରୀ ଓ ଅଧିବାସୀ ନାପସନ୍ଦ କରିଥିବାର ଜଣାପଡିଛି। ଟାଟା କମ୍ପାନି ଥିବା ସମୟରେ ୭ ଶହରୁ ୮ ଶହ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ କିନ୍ତୁ ବର୍ତମାନ ୨ ରୁ ୩ ହଜାର ଶ୍ରମିକ କାମ କରୁଥିଲେ ମଧ୍ୟ ବର୍ତମାନ ଉକ୍ତ ଖଣିରେ ଅଳ୍ପ କେତେ ଜଣ ଶ୍ରମିକ କାମ କରୁଥିବା ଜଣାପଡିଛି।
ତେବେ ଟାଟା କମ୍ପାନି ଥିବା ସମୟରେ ଗୋରୁମହିଷାଣୀ ଅଂଚଳ ଚଳଚଂଚଳ ହୋଇ ଉଠିଥିବା ବେଳେ ବର୍ତମାନ ଟାଟାଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଉନଥିବା ଦେଖିବାକୁ ମିଳେ। ଟାଟାଙ୍କ ଜନ୍ମଦିନ ୩ ମାର୍ଚ୍ଚରେ ‘ମାତୃଖଣି’ ଗୋରୁମହିଷାଣୀ ଅଞ୍ଚଳ ଅନ୍ଧକାରାଚ୍ଛନ୍ନ ହୋଇରହିଛି। ଟାଟା କମ୍ପାନି ପକ୍ଷରୁ ୪ ବର୍ଷ ମଧ୍ୟରେ ପ୍ରାୟ କୋଡିଏ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଗୋରୁମହିଷାଣୀ ଆଇରନ କଲେଜର ରୂପ ରେଖ ସୋନ୍ଦର୍ଯ୍ୟ କରାଯାଇଛି। ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଛାତ୍ରଛାତ୍ରୀଙ୍କ ନିମନ୍ତେ ଦୁଇ ମହଲା ବିଶିଷ୍ଟ ଶ୍ରେଣୀଗୃହ ସାଙ୍ଗକୁ ଉନ୍ନତମାନର ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ୩ ମାର୍ଚ୍ଚକୁ ଭୁଲିଯାଉଛନ୍ତି ଅଞ୍ଚଳବାସୀ।
Follow Us