ପ୍ରଫେସର କିଶୋର କୁମାର ବସା ହେଲେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନୂତନ କୁଳପତି

Advertisment

୨୦ ଦିନ କାଳ ଆଇସିୟୁରେ ରହି କରୋନାରୁ ମୁକୁଳିଛନ୍ତି

୨୦ ଦିନ କାଳ ଆଇସିୟୁରେ ରହି କରୋନାରୁ ମୁକୁଳିଛନ୍ତି

ପ୍ରଫେସର କିଶୋର କୁମାର ବସା ହେଲେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନୂତନ କୁଳପତି

ବାରିପଦା : ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର(ଏମକେସି) ହାଇସ୍କୁଲ୍୧୯୭୩ ବ୍ୟାଚ୍ର ଛାତ୍ର। ଏହି ବ୍ୟାଚ୍ରେ ସମଗ୍ର ରାଜ୍ୟରେ ସେ ପ୍ରଥମ ସ୍ଥାନ ପାଇ ଶ୍ରେଷ୍ଠ ବିବେଚିତ ହୋଇ ପାଇଥିଲେ ସୁରଜମଲ ଶାହା ମେମୋରିଆଲ ଗୋଲ୍ଡ୍ ମେଡାଲ୍। ସେହିପରି ସ୍ଥାନୀୟ ଏମପିସି କଲେଜ୍ରୁ ଆଇଏ’ରେ ମଧ୍ୟ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ୭ମ ସ୍ଥାନ ଅଧିକାର କରିଥିଲେ। ପୁନର୍ବାର ଏମପିସି କଲେଜରୁ ବିଏ’ରେ ୧୯୭୭ରେ ଫାଷ୍ଟ କ୍ଲାସ୍ ଫାଷ୍ଟରେ ଉତ୍ତୀର୍ଣ୍ଣ ହୋଇ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ନିଜର ମେଧା ବଳରେ ଅଶୀ ଦଶକରେ ସମଗ୍ର ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲାପାଇଁ ସୁନାମ ଆଣିଥିବା ବିଚକ୍ଷଣ ପ୍ରତିଭାର ଅଧିକାରୀ କିଶୋର କୁମାର ବସା ଆଜି ନିଜ ଜନ୍ମମାଟିରେ ପ୍ରତିଷ୍ଠିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଯାହାକି ଜିଲ୍ଲାପାଇଁ ଗୌରବ ଆଣିଛି।

ପିଲାଟିବେଳୁ ଜଣେ ମେଧାବୀ ଛାତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ବସା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମଏ କରି କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। ପୁନର୍ବାର ଉତ୍କଳ ବିଶ୍ବବିଦ୍ୟାଳୟରୁ ଆନ୍ଥ୍ରୋପୋଲୋଜି(ନୃତତ୍ତ୍ବ ବିଭାଗ)ରେ ଏମଏ କରିଥିଲେ। ଲଣ୍ଡନ ବିଶ୍ବବିଦ୍ୟାଳୟରେ ନିଜର ପିଏଚ୍ଡି କରିଥିଲେ ପ୍ରଫେସର ବସା। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ବଡ଼ଚାଟରା ଗାଁର ମୂଳନିବାସୀ ପରେଶ ଚନ୍ଦ୍ର ଏବଂ ବିନୋଦିନୀ ବସାଙ୍କ ସୁପୁତ୍ର ପ୍ରଫେସର ବସା ବାରିପଦା ପୌରପରିଷଦ ଅନ୍ତର୍ଗତ ବାଘଡ଼ାରୋଡରେ ଥିବା ଘରେ ଛାତ୍ରଜୀବନ କଟିଛି। ପ୍ରଫେସର ବସାଙ୍କ ପିତାଙ୍କର ସ୍ବର୍ଗବାସ ହୋଇସାରିଥିବାବେଳେ ମାତା ଏବେ ଜୀବିତ ଅଛନ୍ତି। ଚାରି ଭାଇ ଏବଂ ଏକମାତ୍ର ଭଉଣୀଙ୍କ ମଧ୍ୟରୁ ଶ୍ରୀ ବସା ହେଉଛନ୍ତି ସର୍ବକନିଷ୍ଠ। ୧୯୮୦ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆନ୍ଥ୍ରୋପୋଲୋଜି ବିଭାଗରୁ ଅଧ୍ୟାପନା ଜୀବନ ଆରମ୍ଭ କରିଥିବା ଶ୍ରୀ ବସାଙ୍କର ୩୮ବର୍ଷରୁ ଊର୍ଧ୍ବ ଅଧ୍ୟାପନା ଅଭିଜ୍ଞତା ରହିଛି। ପ୍ରତ୍ନତତ୍ତ୍ବ ଏବଂ ମ୍ୟୁଜିୟମ୍ ଷ୍ଟଡିରେ ପ୍ରଫେସର ବସାଙ୍କର ବିଚକ୍ଷଣ ଅଭିଜ୍ଞତା ରହିଛି। ଖନନରୁ ବହୁପୁରାତନ ଧ୍ବଂସାବଶେଷ ଠାବ କରିବା ଏବଂ ତାହା ଉପରେ ଗବେଷଣା କରିବାରେ ତାଙ୍କର ଅଗାଧ ଜ୍ଞାନ ରହିଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଟାଗୋର ଉତ୍କଳ ବିଶ୍ବବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗର ମୁଖ୍ୟ ରହିସାରିଛନ୍ତି। ସେହିପରି ନେସ୍ନାଲ ଫେଲୋ ପ୍ରଫେସର ବସା କୋଲକତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ୍, ଭୋପାଳସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ ଏବଂ ଆନ୍ଥ୍ରୋପୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବା ଅଭିଜ୍ଞତା ରଖିଛନ୍ତି। ପ୍ରାୟ ୧୧ଟି ପୁସ୍ତକ ରଚନା କରିଥିବା ପ୍ରଫେସର ବସା ବିଭିନ୍ନ ପ୍ରସିଦ୍ଧ ଜର୍ଣ୍ଣାଲ୍ରେ ୬୮ରୁ ଊର୍ଧ୍ବ ସନ୍ଦର୍ଭ ପ୍ରକାଶ ପାଇଛି। ତାଙ୍କ ଅଧିନରେ ଏକାଧିକ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣା ପୂର୍ଣ୍ଣ କରିଛନ୍ତି। ଦେଶ ବିଦେଶରେ ଅନେକ ସ୍ଥାନରେ ପ୍ରଫେସର ବସାଙ୍କର ପାଣ୍ଡିତ୍ୟର ପ୍ରଶଂସା କରାଯାଇଛି। ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ଉଚ୍ଚ ପଦ ପଦବୀରେ ଆସୀନ ହୋଇସାରିଥିବା ପ୍ରଫେସର ବସା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି କରିବା ସହିତ ଏହାକୁ ଏକ ସ୍ବୟଂସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟଭାବେ ପ୍ରତିଷ୍ଠିତ କରିବାରେ ସକ୍ଷମ ହେବେ ବୋଲି ସମଗ୍ର ଜିଲ୍ଲାବାସୀ ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀ ବସାଙ୍କର ଏହି ନୂତନ ନିଯୁକ୍ତିରେ ତାଙ୍କର ଯାଆଁଳା ଭାଇ ତଥା ଇନଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସ ଇଣ୍ଡିଆର ପୂର୍ବତନ ସଭାପତି ଏବଂ ସୀମାନ୍ତ ଇଞ୍ଜିନିୟରିଂ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଶୋକ କୁମାର ବସା ଖୁସିବ୍ୟକ୍ତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି। ଅଶୋକ ବସା ମଧ୍ୟ ୧୯୭୩ ମାଟ୍ରିକ୍ ପରୀକ୍ଷାରେ ରାଜ୍ୟରେ ଶ୍ରେଷ୍ଠ ୧୦ରେ ରହିଥିଲେ। ନିକଟରେ ପ୍ରଫେସର କିଶୋର କୁମାର ବସା କରୋନାରେ ଆକ୍ରାନ୍ତ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଆଇସିୟୁରେ ଥିଲେ। ବର୍ତ୍ତମାନ ସେ ଆରୋଗ୍ୟ ଲାଭ କରିବା ସହିତ ନୂତନ ଦାୟିତ୍ବ ନିମନ୍ତେ ପ୍ରସ୍ତୁତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe