ରାଇରଙ୍ଗପୁର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ବ ଏବେ ଚିନ୍ତାରେ । ଏହି କାରଣରୁ ବର୍ଷକୁ ବର୍ଷ ଉତ୍ତାପ ବୃଦ୍ଧି, ଅସ୍ୱାଭାବିକ ବର୍ଷା,ବଜ୍ରପାତ ବୃଦ୍ଧି ଆଦି ଘଟଣା ସବୁ ଦେଖିବାକୁ ମିଳୁଛି। ଏହିପରି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ସମ୍ବାଦ ପରିବାର ପକ୍ଷରୁ "ପୁନଶ୍ଚ ପୃଥିବୀ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କ୍ଳାଇମେଟ ପଂଚାୟତ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇ ଯାଇଅଛି । ରାଇରଙ୍ଗପୁର ନିକଟସ୍ଥ ମହୁଲଡିହାଠାରେ ପୂର୍ତ୍ତ ବିଭାଗର ଡାକବଙ୍ଗଳା ପରିସରରେ ଆୟୋଜିତ କ୍ଳାଇମେଟ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ପରିବେଶ ସୁରକ୍ଷା ଆମ ଦାୟିତ୍ଵ ଏଣୁ ବୃକ୍ଷ ରୋପଣ କରିବା ସହିତ କିପରି ତାହାର ଯତ୍ନ ନେବା ସେ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସମ୍ବାଦର ଏହି ମହତକାକ୍ଷୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କରିଥିଲେ ।
ସେହିପରି ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜୋଲେନ ନାଏକ ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ତଥା ପରିବେଶବିତ୍ ଲଳିତ ମହାନ୍ତ, ତିରିଂ ବ୍ଳକର କୁଲୁଘୁଟୁ ସରପଞ୍ଚ ଗୁରୁବାରି ପୂର୍ତ୍ତି,ଜାମଦା ବ୍ଳକ୍ ହେନ୍ସଡା ସରପଂଚ ବାଲେମଣି ମୁନ୍ଦୁୟା,ପାସନା ସରପଂଚ ମାଳତୀ ଆଲଦା ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନରେ କିପରି ସୁଧାର ଅଣାଯାଇ ପାରିବ ଏବଂ ଏହାଦ୍ବାରା ହେଉଥିବା କ୍ଷୟକ୍ଷତିକୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ । ଗଛଲତା ଲଗାଇ ଜଙ୍ଗଲ ସୃଷ୍ଟି ଏବଂ ବିଭିନ୍ନ ପ୍ରକାର ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ କାର୍ଯକ୍ରମରେ ଯୋଗଦେଇଥିବା ଅଞ୍ଚଳବାସୀ ଓ ଯୁବପିଢିଙ୍କୁ ଆହ୍ବାନ ଦିଆଯାଇଥିଲା।
ସମ୍ବାଦ ଗ୍ରୁପର ଏହି କାର୍ଯକ୍ରମକୁ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପ୍ରଶଂସା କରିବା ସହିତ ପରିବେଶ ପରିବର୍ତ୍ତନ କରିବା ପାଇଁ ଆଗକୁ ବଢ଼ିବ ବୋଲି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ, କନକ ନ୍ୟୁଜ୍ ପ୍ରତିନିଧି ମଳୟ କୁମାର ଦାଶ,ସାମ୍ବାଦିକ ପ୍ରଦୀପ ମହାନ୍ତ,ମେଘନାଦ ହେମ୍ବ୍ରମ୍ ପ୍ରମୁଖ ପରିଚାଳନା କରିଥିବା ବେଳେ ହୋ ସଂପ୍ରଦାୟର ପଦ୍ମାବତୀ ସୟାଁ,ବେଲ ବିରୁଳୀ,ପୁନମ ପୂର୍ତ୍ତି,ଗମେୟା ଓମାଙ୍ଗ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Follow Us