ଚଳିତବର୍ଷ ୨ୟ ଶ୍ରୀ‌କ୍ଷେତ୍ର ବାରିପଦାରେ ଗଡ଼ିବ କି ମହାପ୍ରଭୁଙ୍କ ରଥ! ଗତବର୍ଷ କରୋନା କାରଣରୁ ବନ୍ଦ ଥିଲା ଘୋଷଯାତ୍ରା

Advertisment
ଚଳିତବର୍ଷ ୨ୟ ଶ୍ରୀ‌କ୍ଷେତ୍ର ବାରିପଦାରେ ଗଡ଼ିବ କି ମହାପ୍ରଭୁଙ୍କ ରଥ! ଗତବର୍ଷ କରୋନା କାରଣରୁ ବନ୍ଦ ଥିଲା ଘୋଷଯାତ୍ରା

ବାରିପଦା: ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଚଳିତବର୍ଷ ଗଡ଼ିବ କି ମହାପ୍ରଭୁଙ୍କ ରଥ। ବଡ଼ଦାଣ୍ଡକୁ ଆସିବେ କି ତିନି ଠାକୁର। ବର୍ତ୍ତମାନ ସମୟରେ କରୋନା ଯେପରି ଏହାର କରାଳ ରୂପ ଧାରଣ କରିଛି ଏନେଇ କିଛି ସ୍ଥିର ଚିତ୍ର ଦେବା ଅସମ୍ଭବ। ତଥାପି ଆଶା, ବିଶ୍ବାସ ଓ ଭରସା ମଧ୍ୟରେ ବାରିପଦାରେ ଆରମ୍ଭ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତି। ମାତ୍ର ଭକ୍ତ ଓ ଗବେଷକଙ୍କ ମତରେ ଚଳିତ ବର୍ଷ ବାରିପଦାରେ ଅଶୋକଝରି (ରୁକୁଣା) ରଥ ଟଣା ସମ୍ପନ୍ନ ହୋଇଛି। ତେଣୁ ଘୋଷଯାତ୍ରା ନହେଲେ ତାହା ଅଶୁଭ ବୋଲି ବିବେଚନା କରାଯାଏ। ଗତବର୍ଷ କରୋନା କାରଣରୁ ରଥ କାମ ହୋଇଥିଲେ ମଧ୍ୟ ଶ୍ରୀହରିବଳଦେବଜୀଉ ପୀଠରେ ରଥ ଟଣା ହୋଇପାରିନଥିଲା। ଫଳରେ ନିରାଶ ହୋଇଥିଲେ ହଜାର ହଜାର ଭକ୍ତ। ଚଳିତବର୍ଷ ମଧ୍ୟ କରୋନାର ୨ୟ ଲହର ଜିଲ୍ଲାରେ ପ୍ରଭୂତ କ୍ଷତି କରୁଛି। ତେଣୁ ରଥଯାତ୍ରା ବେଳକୁ ସ୍ଥିତି ସୁଧୁରିଯାଉ ବୋଲି ଭକ୍ତସମାଜ ପ୍ରାର୍ଥନା କରୁଛନ୍ତି।

ବାରିପଦାରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଗତ ଫେବୃଆରୀ ୧୬ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ହୋଇଥିଲା । ଏହାପରେ ମେ ୧୫ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଚକ ଲାଗି କାର୍ଯ୍ୟ ମନ୍ଦିର ରୀତିନୀତି ଅନୁସାରେ ସମାପନ ହେବା ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଇତିମଧ୍ୟରେ ପବିତ୍ର ଅକ୍ଷୟ ତୃତୀୟାରେ ତିନି ରଥର ଅଖରେ ଚକ ଲାଗି କାର୍ଯ୍ୟ ନିମନ୍ତେ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ପକ୍ଷରୁ ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିର୍ଦ୍ଦେଶ ପ୍ରାପ୍ତି ହେବା ପରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।

ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ୫ ଜଣ ରଥ ମହାରଣା, ଦଉଡ଼ିବଳା ଜଣେ ଓ ୧୮ ଜଣ ବାର୍ଚ୍ଛିଆମାନଙ୍କୁ ନେଇ ଗତ ୬ରୁ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ମାସ ୧୪ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ ରହିଛି ବୋଲି ରଥ ମହାପାତ୍ର କହିଛନ୍ତି । ସେହିପରି ପୂର୍ବରୁ ରଥ ଖଳାରେ ରଥ ନିର୍ମାଣ ନିମନ୍ତେ ବ୍ୟବସ୍ଥା ଥିଲା । ମାତ୍ର ଚଳିତ ବର୍ଷ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନବୀକରଣ ନିମନ୍ତେ ଏହାକୁ ଭାଙ୍ଗି ଦିଆଯାଇଥିବାରୁ ରଥ ନିର୍ମାଣ ନିମନ୍ତେ ସମସ୍ୟା ଦେଖା ଦେଇଛି । ବାରିପଦାରେ ତିନିଠାକୁରଙ୍କ ରଥ ନିର୍ମାଣ ପୁରୁଣା ଓ ନୂଆ କାଠକୁ ମିଶାଇ ହୋଇଥାଏ । ଚଳିତ ବର୍ଷ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ପଡ଼ୁଥିବା ନୁଆ କାଠର ତାଲିକା ଦେବୋତ୍ତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିସାରିଛନ୍ତି । ଅଖରେ ଚକ ଲାଗି କାର୍ଯ୍ୟ ମହାରାଣୀ ଧର୍ମଶାଳା ନିକଟରେ ଆରମ୍ଭ ହୋଇଛି । ପୁଣି ହେମସାଗର ପୁଷ୍କରଣୀ ଭିତରେ ପଡ଼ିଥିବା କାଠକୁ ଆଣିବା ନିମନ୍ତେ ହାଇଡ୍ରା ମେସିନ ଦେବାକୁ ଦେବୋତ୍ତର ବିଭାଗକୁ ଜଣାଇଦିଆଯାଇଛି । କରୋନା କଟକଣା ମଧ୍ୟରେ ଡ଼ବଲ ମାସ୍କ ପିନ୍ଧି ରଥ ନିର୍ମାଣ ଆରମ୍ଭ କରାଯାଇଛି । ଗତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କରୋନା କଟକଣା କାରଣରୁ ଶେଷରେ ରଥ ପ୍ରତିଷ୍ଠା ଅଥବା ରଥ ଟଣା ଆଦିକୁ ବନ୍ଦ କରିଦିଆଯାଇଥିଲା।

ସୂଚନାଯୋଗ୍ୟଯେ, ପବିତ୍ର ଅକ୍ଷୟ ତୃତୀୟରେ ଅଖରେ ଚକ ଲାଗି ହେବା ସାଙ୍ଗକୁ ୨୧ ଦିବସୀୟ ଚନ୍ଦନଯାତ୍ରାରେ ପ୍ରତିଦିନ ମହାପ୍ରଭୁ ପୁରୀ ଚନ୍ଦନ ପୁଷ୍କରଣୀରେ ଚାପ ଖେଳିବାର ରୀତିନୀତି ରହିଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶେଷ ତିନିଦିନରେ ତିନି ଠାକୁର ଚାପ ଖେଳିଥାଆନ୍ତି। ଏହାପରେ ଜୁନ ୨୪ରେ ଦେବସ୍ନାନ ଓ ୨୯ରେ ମହାପ୍ରଭୂ ଅଣସର ଗୃହ ପ୍ରବେଶ, ଜୁଲାଇ ୯ରେ ନେତ୍ରୋତ୍ସବ ଓ ୧୦ରେ ନବଯୌବନ ବେଶ ଦର୍ଶନ ପରେ ୧୨ରେ ନିଳାଚଳଧାମ ପୁରୀରେ ଶ୍ରୀଗୁଣ୍ଡିଚାଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ, ଜୁଲାଇ ୧୩ ଓ ୧୪ ଦୁଇ ଦିନ ଧରି ରଥ ଟଣା କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe