ଦେଇଥିଲେ ‘ଟ୍ରିଜ୍‌ ଫର୍‌ ଟାଇଗର୍‌’ ସ୍ଲୋଗାନ୍‌: ବ୍ୟାପକ ଅଞ୍ଚଳରେ ହୋଇଛି ବୃକ୍ଷରୋପଣ

ଦେଇଥିଲେ ‘ଟ୍ରିଜ୍‌ ଫର୍‌ ଟାଇଗର୍‌’ ସ୍ଲୋଗାନ୍‌: ବ୍ୟାପକ ଅଞ୍ଚଳରେ ହୋଇଛି ବୃକ୍ଷରୋପଣ

ବାଲେଶ୍ବର: ଭାରତରେ ଲୋପ ପାଇଯାଇଥିବା ଚିତାବାଘଙ୍କ ବଂଶବିସ୍ତାର ପାଇଁ କେନ୍ଦ୍ର ସରକାର ୭୫ ବର୍ଷରୁ ଅଧିକ ସମୟ ଧରି ଉଦ୍ୟମ ଚଳାଇଥିଲେ। ଶେଷରେ ଗତବର୍ଷ ଉଦ୍ୟମ ସଫଳ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସରେ ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ୨୦ଟି ଚିତାବାଘଙ୍କୁ ଆଣି ମଧ୍ୟପ୍ରଦେଶର ‌କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଛି। ହେଲେ ବିଡ଼ମ୍ବନା; ୩୦ ଦିନ ମଧ୍ୟରେ ଏଠାରେ ଦୁଇ ଦୁଇଟି ଚିତାଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖ ଦିନ ସାସା ଏବଂ ଏପ୍ରିଲ୍‌ ୨୩ ତାରିଖ ଦିନ ଉଦୟର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସରକାର, ଦେଶବାସୀ ତଥା ବନ୍ୟପ୍ରାଣୀପ୍ରେମୀ ଶୋକ ପ୍ରକାଶ କରିଥିଲେ। ଏପରି ସମୟରେ ଗତ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲା ଅଧୀନ ଶିମିଳିପାଳ ଅଭୟାରଣ୍ୟରେ ରହୁଥିବା ବିରଳ ପ୍ରଜାତିର ଗୋଟିଏ କଳାବାଘର ଜୀବନ ଯାଇଛି। ପ୍ରକାଶ ଥାଉକି ଏଭଳି ଘଟଣା ପଛରେ ପରିସଂସ୍ଥାନରେ ବ୍ୟତିକ୍ରମ ମୁଖ୍ୟ କାରଣ ହୋଇପାରେ। ଏହାକୁ ଛାଡ଼ି ଶିମିଳିପାଳରେ ବାଘ, ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କୁ ଶିକାରୀମାନେ ଅବାଧରେ ଶିକାର କରି ଚାଲିଛନ୍ତି।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ବୁଲିବାର ଅବ୍ୟବହିତ ପୂର୍ବରୁ ଅଭୟାରଣ୍ୟରେ ବିରଳ କଳାବାଘର ମୃତ୍ୟୁ ଘଟଣା ଦେଶର ବନ୍ୟଜନ୍ତୁ ଓ ପରିବେଶପ୍ରେମୀଙ୍କ ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ମଧ୍ୟ ମର୍ମାହତ କରିଥିବ ନିଶ୍ଚୟ। କାରଣ ସେ ବି ଜଣେ ପ୍ରକୃତି ଓ ବନ୍ୟଜନ୍ତୁପ୍ରେମୀ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯେଉଁ ସଂପ୍ରଦାୟରୁ ଆସିଛନ୍ତି, ସେହି ସଂପ୍ରଦାୟ ବଣଜଙ୍ଗଲ ସହ ପାହାଡ଼କୁ ଭଗବାନ ବୋଲି ବିବେଚନା କରେ। ବନ୍ୟଜନ୍ତୁମାନଙ୍କୁ ସହଚର ବୋଲି ଭାବେ।

ବଣଜଙ୍ଗଲ ଏବଂ ସେଠାରେ ରହୁଥିବା ଜୀବଜନ୍ତୁଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନେକ ଦରଦ ରହିଛି। ଜଣେ ଜନଜାତି ସଂପ୍ରଦାୟର ନେତ୍ରୀ ଭାବେ ବିଭିନ୍ନ ସମୟରେ ସେ ଶିମିଳିପାଳରେ ଥିବା ବୃକ୍ଷଗୁଡ଼ିକର ସୁରକ୍ଷା ଏବଂ ଅଧିକରୁ ଅଧିକ ବୃକ୍ଷ‌ରୋପଣ ସହ ଅଭୟାରଣ୍ୟରେ ରହୁଥିବା ବାଘମାନଙ୍କ ସୁରକ୍ଷା ତଥା ସେମାନଙ୍କ ପରିସଂସ୍ଥାନରେ ବିବିଧତା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ଶ୍ରୀମତୀ ମୁର୍ମୁ ‘ଟ୍ରିଜ୍‌ ଫର୍‌ ଟାଇଗର୍‌’ (ବାଘ ପାଇଁ ଗଛ)ର ସ୍ଲୋଗାନ୍‌ ଦେଇଛନ୍ତି। ଶ୍ରୀମତୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ବିକ୍ରାନ୍ତ ତିୱାରୀ ନାମକ ଜଣେ ସାମାଜିକ କର୍ମୀ ତାଙ୍କୁ ସାକ୍ଷାତ କରିଥିଲେ। ସେହି ସ‌ାକ୍ଷାତକାର ବେଳେ ଶ୍ରୀମତୀ ମୁର୍ମୁ ଏହିସବୁ କଥା କହିଥିଲେ। ଯାହାକୁ ଶ୍ରୀ ତିୱାରୀ ‘ଫାଇନାନ୍‌ସିଆଲ୍‌ ଏକ୍ସପ୍ରେସ୍‌’ ନାମକ ଏକ ନ୍ୟୁଜ୍‌ ପୋର୍ଟାଲ୍‌ରେ ଉଲ୍ଲେଖ କରିଛନ୍ତି। ସେ ସେଠାରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଶ୍ରୀମତୀ ମୁର୍ମୁଙ୍କ ‘ଟ୍ରିଜ୍‌ ଫର୍‌ ଟାଇଗର୍‌’ ଆହ୍ବାନକୁ ପାଥେୟ କରି ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବୃକ୍ଷରୋପଣ ସମ୍ଭବ ହୋଇପାରିଛି।

ଦ୍ରୌପଦୀ ମୁର୍ମୁ ସବୁବେଳେ ସାମାଜିକ ପରିବେଶ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି। ଯାହା ମଣିଷ ଓ ପ୍ରକୃତି ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ସହାୟକ ହୋଇଥାଏ। ଆଜି ଶ୍ରୀମତୀ ମୁର୍ମୁ ଶିମିଳିପାଳ ବୁଲିଛନ୍ତି। ମୟୂରଭଞ୍ଜବାସୀ ଆଶା ରଖିଛନ୍ତି; ସେ ଏଠାରୁ ଫେରିବା ପରେ ଅଭୟାରଣ୍ୟର ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ର ସରକାର କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବେ। ଏହା ସହ ସେଇମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତ୍ୟକ୍ଷ ପ୍ରଭାବୀ ହେବେ, ଯେଉଁମାନେ ବାଘ, ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ଶିକାର କରୁଛନ୍ତି। ସମ୍ଭବତଃ ଶିକାରୀମାନେ ହାତରେ ମାରଣାସ୍ତ୍ର ଧରିବା ପାଇଁ କୁଣ୍ଠାବୋଧ କରିବେ।

-ରୁଦ୍ରରଂଜନ ଶେଜପଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe