ବଳପୂର୍ବକ ରହୁଥିବା ଘରକୁ ଜମି ମାଫିଆ ଭାଙ୍ଗିଦେଇଥିବା ଅଭିଯୋଗ ଆଣିଲେ ମହିଳା

ବାରମ୍ବାର ଅଭିଯୋଗ କଲେ ବି ସହଯୋଗ କରୁନି ପୁଲିସ୍‌, କୋର୍ଟଙ୍କ ଆଦେଶ ପାଳନ ହେଉନଥିବା ଅଭିଯୋଗ

ବଳପୂର୍ବକ ରହୁଥିବା ଘରକୁ ଜମି ମାଫିଆ ଭାଙ୍ଗିଦେଇଥିବା ଅଭିଯୋଗ ଆଣିଲେ ମହିଳା

ବାରିପଦା: ଦୀର୍ଘ ବର୍ଷ ହେବ ରହିଆସୁଥିବା ଘରକୁ ଜୋରଜବରଦସ୍ତ ପଶି ଭାଙ୍ଗିଦେଲେ। ନିରାଶ୍ରୟା ମହିଳା ହୋଇଥିବାରୁ ସୁଯୋଗ ନେଇ ଜମି ମାଫିଆମାନେ ନାନା ଉପାୟରେ ନିର୍ଯାତନା ଦେଇ ରାତାରାତି ଘର ଭାଙ୍ଗି ପୁରା ହୁଲିଆ ପରିବର୍ତ୍ତନ କରିଦେଇଛନ୍ତି। ଘରର ତାଲା ଭାଙ୍ଗି ଘରେ ଥିବା କାର, ମୋଟରସାଇକେଲ, ସ୍କୁଟି, ଲୁନା, ତଥା ସମସ୍ତ ଆସଭାବପତ୍ର ନେଇ ଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପ୍ରତିଭା ମଞ୍ଜରୀ ଦାଶ ଷଡ଼ଙ୍ଗୀ ନାମକ ଜଣେ ମହିଳା।  ବାରିପଦାର ଜଣାଶୁଣା ଜମି କାରବାର କରୁଥିବା ରଣଜିତ ମହାନ୍ତି ଏବଂ ସୁଜିତ ମହାନ୍ତି ପୁଲିସ୍‌ ସହାୟତାରେ ତାଙ୍କ ପ୍ରତି ଏପରି ଅବିଚାର କରିଥିବା ମହିଳାଜଣଙ୍କ ଅଭିଯୋଗ ଆଣିଛନ୍ତି।

ଏପରିକି ପୁଲିସ୍‌କୁ ବାରମ୍ବାର ସହଯୋଗ ନିମନ୍ତେ ନେହୁରା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ମାତ୍ର ଏହା ସମ୍ପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି ସମ୍ପତ୍ତି କ୍ରୟ କରିଥିବା ସୁଜିତ ମହାନ୍ତି। ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟାରେ ଉକ୍ତ ସମ୍ପତ୍ତି ଅନ୍ୟଜଣେ ବ୍ୟକ୍ତିଙ୍କ ନିକଟରୁ କିଣାଯାଇଥିବା ସୁଜିତ ପ୍ରକାଶ କରିଛନ୍ତି। ତେଣୁ ମହିଳାଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଆଦୌ ଠିକ୍‌ ନୁହେଁବୋଲି ସେ କହିଛନ୍ତି। ସୂଚନାଅନୁସାରେ ବାରିପଦା ସହରର ବାଘଡ଼ାରୋଡ଼ ଅଞ୍ଚଳରେ ୨୦୦୦ ମସିହାରୁ ରହିଆସୁଥିବା ପ୍ରତିଭା ମଞ୍ଜରୀ ଗତ ମାର୍ଚ୍ଚ ମାସରେ ଡେରାଡୁନରେ ରହୁଥିବା ତାଙ୍କ ପୁଅ ପାଖକୁ ଯାଇଥିଲେ। ପୁଅର ଦେହ ଖରାପ ଥିବାରୁ ଡେରାଡୁନ ଯାଇ କରୋନା କଟକଣା କାରଣରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବାରିପଦା ଫେରି ପାରିନଥିଲେ । ସେ ଘରେ ନଥିବାର ସୁଯୋଗନେଇ ଚଳିତ ବର୍ଷ ଅଗଷ୍ଟ ମାସ ୧୭ରେ ସେ ଡେରାଡୁନରେ ଥାଇ ଖବର ପାଇଲେଯେ, ‌ସେ ରହୁଥିବା ଘରେ ପଶି ରଣଜିତ ମହାନ୍ତି, ସୁଜିତ ମହାନ୍ତି କିଛି ଲୋକଙ୍କୁ ନେଇ ଘରର ତାଲା ଭାଙ୍ଗି ଘରେ ଥିବା ସମସ୍ତ ଆସଭାବପତ୍ର ନେଇ ଯାଇଛନ୍ତି । ଏହା ଜାଣିବା ପରେ ଡେରାଡୁନରେ ଥାଇ ପ୍ରତିଭା ଅନଲାଇନରେ ଏକ ଏତଲା ଦାଖଲ କରିଥିଲେ । ତାଙ୍କ ଏତଲାକୁ ଭିତ୍ତି କରି ଅଗଷ୍ଟ ୨୨‌ରେ ବାରିପଦା ଟାଉନ୍‌ ଥାନରେ ଏକ ମାମଲା ରୁଜୁ ହୋଇଥିଲା।

ମାତ୍ର ପୁଲିସର ତଦନ୍ତ ପ୍ରକ୍ରିୟା ଶିଥିଳ ପଡିଯାଇଥିବା ଏବଂ ତାଙ୍କର ଲୁଟ ହୋଇଥିବା ଜିନିଷ ଠାବ ହୋଇଥିଲେ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ସେହିପରି ଏହି ସମ୍ପତ୍ତିକୁ ନେଇ ସିଭିଲ କୋର୍ଟର ଷ୍ଟାଟସ-କୋ ଅର୍ଡର ଥାଇମଧ୍ୟ ତାଙ୍କର ପୈତୃକ ବାସଗୃହକୁ ଭାଙ୍ଗି ଦିଆଯାଇଥିବା ପ୍ରତିଭା ଅଭିଯୋଗ କରିଛନ୍ତି। ସେ ବାରମ୍ବାର ଏସ୍‌ପି ଏବଂ ବାରିପଦା ଟାଉନଥାନାରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ସମ୍ପତ୍ତିକୁ ନେଇ ପ୍ରତିଭା ତାଙ୍କ ନିକଟରେ ଥିବା କୋର୍ଟ ଅର୍ଡର, ଏଫଆଇଆର, ଘରର ପୂର୍ବ ଏବଂ ପର ଫଟୋଗ୍ରାଫ୍‌ ଆଦି ସାମ୍ବାଦିକ ସମ୍ମିଳନୀରେ ରଖିଥିଲେ। ‌ମିଳିଥିବା ସୂଚନା ଅନୁସାରେ ଉକ୍ତ ସମ୍ପତ୍ତି ପ୍ରତିଭାଙ୍କର ବଡଭାଇ ଅନୀଲ କୁମାର ଷଡଙ୍ଗୀଙ୍କ ନାମରେ ଥିଲା। ଅନୀଲ ଉକ୍ତ ସମ୍ପତ୍ତିକୁ ଲିଳାବତୀ ମହାନ୍ତି ନାମକ ଜନୈକା ମହିଳାଙ୍କୁ ବିନା ଦଖଲରେ ବିକ୍ରି କରିଥିବା ପ୍ରତିଭା ଅଭିଯୋଗ କରିଛନ୍ତି। ତେବେ ଜମିର ପଟ୍ଟା ପାଇଁ ଦାଖଲଖାରଜ କେସ ବେଳକୁ ଉକ୍ତ ଜମି ବିବାଦ ନେଇ ସିଭିଲ କୋର୍ଟରେ କେସ ଚାଲିଥିବାରୁ ପ୍ରତିଭା ମ୍ୟୁଟେସନରେ ଆପତ୍ତି ଜଣାଇବାରୁ ଦାଖଲକାରଜ କେସ ଡ୍ରପ ହୋଇଯାଇଥିଲା । ସିଭିଲ କୋର୍ଟ ଉକ୍ତ ବିବାଦୀୟ ଜମୀ ଉପରେ ଷ୍ଟାଟାସ-କୋ ମେଣ୍ଟେନ୍‌ କରିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ହଠାତ କିଛିବର୍ଷ ପରେ ସେହି ବିବାଦୀୟ ଜମୀ ଷ୍ଟାଟସକୋ ଅର୍ଡର ଥାଉଥାଉ ଲିଳାବତୀଙ୍କ ନାମରେ ରେକର୍ଡ ହୋଇଥିଲା । ତେବେ ଦାଖଲ ଖାରଜ ଅର୍ଡରକୁ ଉପରିସ୍ଥ ରେଭିନ୍ୟୁ କୋର୍ଟ ବାରିପଦା ଉପଜିଲ୍ଲାପାଳଙ୍କ ଅଦାଲତରେ ପ୍ରତିଭା ଅପିଲ କରିବା ପରେ ଲିଳାବତୀଙ୍କ ନାମରେ ରେକର୍ଡକୁ ଖାରଜ କରିବାକୁ ସବକଲେକଟର ଅର୍ଡର ମଧ୍ୟ ଦେଇଥିବା ସେ ପ୍ରମାଣ ଦର୍ଶାଇଛନ୍ତି । ଆଇନ ବାଟରେ ଲିଳାବତୀ ଜମି ଓ ଘର ହାତେଇ ନପାରିବାରୁ ତାଙ୍କର ସ୍ୱାମୀ ସୁଜିତ ଏବଂ ସ୍ୱାମୀଙ୍କ ଭାଇ ରଣଜିତ ବଳପୂର୍ବକ ତାଙ୍କ ଅନୁପସ୍ଥିତିର ସୁଯୋଗନେଇ ଏଭଳି କାଣ୍ଡ ଘଟାଇଥିବା ଏବଂ ପୁଲିସ ସେମାନଙ୍କୁ ପ୍ରଚ୍ଛଦରେ ସହଯୋଗ କରୁଥିବା ପ୍ରତିଭା ଗୁରୁତର ଅଭିଯୋଗ କରିଛନ୍ତି । ତେବେ ଏବାବଦରେ ବାରିପଦା ଟାଉନଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କୁ ପ୍ରତିକ୍ରିୟା ନେବାରୁ ଉକ୍ତ ଜମି ଏବଂ ଘରର ମାଲିକାନା ପ୍ରତିଭାଙ୍କର ବଡଭାଇଙ୍କ ନାମରେ ରହିଥିଲା।

ସେ ଲିଳାବତୀ ଙ୍କୁ ଉକ୍ତ ଜମି ଓ ଘର ବିକ୍ରୟ କରିଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ପୁଲିସ ବିଶେଷ ହସ୍ତକ୍ଷେପ କରିପାରିବ ନାହିଁ । ଏତଲା ପାଇବା ପରେ ପୁଲିସ୍‌ ତୁରନ୍ତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉଭୟ ପକ୍ଷଙ୍କୁ ଡାକି ଉକ୍ତ ସମ୍ପତ୍ତି ଉପରେ ହସ୍ତକ୍ଷେପ ନକରିବାକୁ କୁହାଯାଇଥିବା ଆଇଆଇସି ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ସେହିପରି ସୁଜିତ ମହାନ୍ତିଙ୍କୁ ଅଭିଯୋଗ ବାବଦରେ ପଚାରିବାରୁ ଜମିର ମାଲିଙ୍କଠାରୁ ପୁରା ଆଇନଗତ ଭାବେ କିଣାଯାଇଛି। ଉକ୍ତ ଘରେ ଯାହା ଜିନିଷ ଥିଲା ତାହା ଘରମାଲିକଙ୍କର, ପ୍ରତିଭାଙ୍କର ନୁହେଁ । ପ୍ରତିଭା ଯାହା ଅଭିଯୋଗ କରୁଛନ୍ତି ତାହା ଭିତ୍ତିହୀନ ବୋଲି କହିଛନ୍ତି ସୁଜିତ। ତେବେ ପୁଲିସ କହିବା ମୁତାବକ ଉଭୟ ପକ୍ଷଙ୍କୁ ଉକ୍ତ ଜମି ବା ଘର ଉପରେ ହସ୍ତକ୍ଷେପ ନକରିବାକୁ ପରାମର୍ଶ ଦିଆଯାଇଥିଲେ ସୁଦ୍ଧା କିଏ ଏବଂ କିଭଳି ସିଭିଲ କୋର୍ଟର ଷ୍ଟାଟସକୋ ଅର୍ଡର ଥିବା ଘର ଭାଙ୍ଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe