ଫେକ୍‌ ୱେବ୍‌ସାଇଟ୍‌ ମାୟାରେ ପଡ଼ି କୋଟିଏ ଟଙ୍କା ହରାଇଲେ ଲୋକେ

‘ଆଇଏଚଜି’ ନାଁରେ ଏକ ନକଲି ୱେବ୍‌ସାଇଟ୍‌ ଜରିଆରେ ଏହି ଠକେଇ ହୋଇଥିବା ଚର୍ଚ୍ଚା ହେଉଛି। ଏକ ଠକ କମ୍ପାନି 'ଆଇଏଚଜି’ ନାମରେ ନକଲି ଏକ ୱେବ୍‌ସାଇଟ୍‌ ଖୋଲି କାରବାର ଆରମ୍ଭ କରିଥିଲା।

Untitled-38

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇ ସାମନାକୁ ଆସିଛି। ଏହି ଅଞ୍ଚଳରେ ହଜାର ହଜାର ଲୋକଙ୍କ କୋଟିଏ ଟଙ୍କାରୁ ଅଧିକ ଉଡ଼ିଯାଇଛି। କିଛି ଲୋକ ଅଧିକ ଲୋଭରେ ତଳିତଳାନ୍ତ ହୋଇ ଯାଇଛନ୍ତି।

‘ଆଇଏଚଜି’ ନାଁରେ ଏକ ନକଲି ୱେବ୍‌ସାଇଟ୍‌ ଜରିଆରେ ଏହି ଠକେଇ ହୋଇଥିବା ଚର୍ଚ୍ଚା ହେଉଛି। ଏକ ଠକ କମ୍ପାନି 'ଆଇଏଚଜି’ ନାମରେ ନକଲି ଏକ ୱେବ୍‌ସାଇଟ୍‌ ଖୋଲି କାରବାର ଆରମ୍ଭ କରିଥିଲା। ବେଙ୍ଗାଲୁରୁର ଜଣେ ଯୁବକଙ୍କ ଜରିଆରେ ଓଡ଼ିଶାର କିଛି ଯୁବକ ପ୍ରଥମେ ଏହି ସାଇଟ୍‌ର ପ୍ରଚାର ଆରମ୍ଭ କରିଥିଲେ। ତାଙ୍କଠାରୁ ଏହି ଅଞ୍ଚଳକୁ ଚେନ୍‌ ମାର୍କେଟିଂ ଭଳି ବ୍ୟାପି ଯାଇଥିଲା। ହ୍ୱାଟସ୍‌ଆପ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟାପକ ଭାବେ ପ୍ରଚାରିତ ହେବା ସହ ମାସ କେଇଟା ଭିତ‌ରେ ସହରର ହଜାର ହଜାର ଲୋକ ଏଥିରେ ଯୋଡ଼ି ହୋଇଥିଲେ।

ସାଇବର୍‌ ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ପ୍ରଥମେ କିଛି ଟଙ୍କା ନେଇ ଲୋକଙ୍କୁ ଯୋଡ଼ା ଯାଉଥିଲା। ଏହାପରେ ଦୈନିକ ୨୫ରୁ ୩୦ ପ୍ରମୋସନାଲ୍‌ ବିଜ୍ଞାପନ ସହିତ କିଛି ହୋଟେଲ ବୁକିଂ ପାଇଁ ଟଙ୍କା ଦିଆଯାଉଥିଲା। ୟୁଜର୍‌ ଚାହିଲେ, ଉକ୍ତ ଆକାଉଣ୍ଟରୁ ସହଜରେ ଟଙ୍କା ମଧ୍ୟ ଉଠାଇ ପାରୁଥିଲେ। ଏଥିସହ ବିଭିନ୍ନ ପର୍ବପର୍ବାଣିରେ ଲାଭ ଦାୟକ ଓଫରର ଲୋଭ ଦେଖାଇ ଏକ ହଜାର ଟଙ୍କାରୁ ଆରମ୍ଭ ଲକ୍ଷାଧିକ ଟଙ୍କା ଯାଏଁ ନଗଦ ପୁରସ୍କାରର ଲୋଭ ଦେଖାଯାଉଥିଲା। ଲିଙ୍କ କ୍ଲିକ୍‌ କରି ପୁରସ୍କାର ଦାବି କରିବାକୁ ଉତ୍ସାହିତ କରାଯାଇଥିଲା।

ତେବେ ଅସଲରେ ୟୁଜର୍‌ମାନେ ଏହି ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ସାଇବର୍‌ ଠକମାନେ ସେମାନଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ସହ ମୋବାଇଲ୍‌ରୁ ଟଙ୍କା ସହ ଅନେକ ଗୁରୁତ୍ବପୂର୍ଣ୍ଣ ବିବରଣୀ ଚୋରି କରି ନେଉଥିଲେ। ଏଭଳି ଭାବେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଠକିନେବା ପରେ ଦିନେ ପୂର୍ବରୁ ଉକ୍ତ ‌ୱେବ୍‌ସାଇଟ୍‌ ବନ୍ଦ ହୋଇଯାଇଛି। ଏହାପରେ ସାଇଟ୍‌ର ମୁଖ୍ୟ ଅଧିକାରୀମାନେ ତାଙ୍କ ମୋବାଇଲ୍ ଅଫ୍ କରିଦେଉଥିବା ଅଭିଯୋଗ ହୋଇଛି।

ସାଇବର୍‌ ଠକମାନେ ମୋବାଇଲ୍‌ରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରି ଡାର୍କୱେବ୍‌ରେ ବିକ୍ରି କରି ଦେଇଥିବା ଆଶଙ୍କା କରାଯାଉଛି। ଠକାମୀରେ ଶିକାର ହୋଇଥିଲେ ମଧ୍ୟ ପୁଲିସ କିମ୍ବା ସାଇବର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ତେବେ ଏହି ଚେନ୍ ମୟୂରଭଂଜ ସମେତ ପଡ଼ୋଶୀ ଝାରଖଣ୍ଡ ଓ କର୍ଣ୍ଣାଟକରୁ ଚେର ଲମ୍ବିଥିବା ଜଣାପଡ଼ିଛି। ତେବେ ଏହି ୱେବ୍ ସାଇଟ୍ ସହିତ ଅନ୍ୟ ବହୁତ୍ ଗୁଡ଼ିଏ ୱେବ୍ ସାଇଟ୍ ମଧ୍ୟ ଏହି ଅଞ୍ଚଳରେ ବେଆଇନ୍ ଭାବେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଚର୍ଚ୍ଚା ହେଉଛି।

Mayurbhanj 

ରିପୋର୍ଟ: ତୁଷାର ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe