ଖସିଲା ପାରଦ, ଗୁଳୁଗୁଳିରୁ ନିସ୍ତାର ନାହିଁ

Advertisment
ଖସିଲା ପାରଦ, ଗୁଳୁଗୁଳିରୁ ନିସ୍ତାର ନାହିଁ

ବାରିପଦା: ବାରିପଦାରେ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରାରେ ଆଜି ବିରାମ ଲାଗିଛି। ପାରଦ ଖସିଥିଲେ ମଧ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ପାଇନାହାନ୍ତି ଲୋକେ। ଆଜି ବାରିପଦାରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ପ୍ରଚଣ୍ଡ ତାତିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ପରିଲକ୍ଷିତ ହୋଇଛି। ତେବେ ଗତ ଦୁଇଦିନ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ ଥିବାରୁ ଆଜି ବାରିପଦାରେ ଗହଳି ପରିଲକ୍ଷିତ ହୋଇଥିଲା। ତାତି ସତ୍ତ୍ବେ ଆବଶ୍ୟକୀୟ କାମ ପାଇଁ ସମସ୍ତେ ବାହାରକୁ ବାହାରିଥିଲେ। ଅପରାହ୍ନ ୪ ପରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ବଢ଼ିଥିଲା।

ଅଣ୍ଟାଭିଡ଼ିଲେ ପୂର୍ବତନ ଉପନଗରପାଳ
ଦୁର୍ଲଭ ପ୍ରାୟ ହୋଇପଡ଼ିଥିବା ପ୍ରାଣୀ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ବାରିପଦା ପୌରପରିଷଦର ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଓରଫ୍ ନଛି ଭାଇ। ପୌରପରିଷଦର କେନ୍ଦ୍ରସ୍ଥଳ ଗାନ୍ଧୀପାର୍କ ଓ ପାର୍କକୁ ଲାଗିଥିବା ବଡ଼ ପୋଖରୀ ଆଡ଼ି ସହ ଅଷ୍ଟଲିଙ୍ଗେଶ୍ୱର ପକ୍ଷୀ ବିହାର ଭିତରେ ରହିଥିବା ଗଛଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ବାଦୁଡ଼ି ରହିଥାନ୍ତି । ଗ୍ରୀଷ୍ମ ଋତୁରେ ତାପମାତ୍ରାରେ ବୃଦ୍ଧି ଘଟିଲେ ଏହି ବାଦୁଡ଼ିମାନେ ଗରମକୁ ସହି ନ ପାରି ଗଛରୁ ତଳକୁ ଖସି ପଡ଼ନ୍ତି । ଉକ୍ତ ବାଦୁଡ଼ିଗୁଡ଼ିକୁ କେତେକ ହିଂସ୍ର ମଣିଷ ଏମାନଙ୍କୁ ନେଇ ତାର ମାଂସକୁ କାଟି ଖାଉଥିବା ବେଳେ ଅନ୍ୟ କେତେକ ପ୍ରତି କିଲୋଗ୍ରାମ ପିଛା ଏକ ହଜାରୁ ଟଙ୍କାରୁ ଆରମ୍ଭ କରି ୨/୩ ହଜାର ଟଙ୍କାରେ ମାଂସକୁ ବିକ୍ରି କରିଥାନ୍ତି । ଫଳରେ ଅକାଳରେ ମୃତ୍ୟୁ ମୁଖରେ ପଡ଼ିଥାଆନ୍ତି ଏହି ପ୍ରାଣୀ। ଏନେଇ ଗତ କିଛି ଦିନ ତଳେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏବିଷୟରେ ଜାଣିବା ପରେ ବାରିପଦାକୁ ସବୁଜ ସୁନ୍ଦର ସହରରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଥିବା ନଛି ଭାଇ ଆଜି ଅଗ୍ନିଶମ ବିଭାଗ ସହଯୋଗରେ ବାଦୁଡ଼ିମାନେ ବସବାସ କରୁଥିବା ଗଛଗୁଡ଼ିକରେ ପାଣି ସିଞ୍ଚନ କରାଇଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀ ମଧ୍ୟ ପହଞ୍ଚି ସହଯୋଗ କରିଥିଲେ। ଗଛଗୁଡ଼ିକରେ ପାଣି ସ୍ପ୍ରେ କରାଯିବା ପରେ ବାଦୁଡ଼ିଗୁଡ଼ିକ ଥଣ୍ଡା ପାଇ ଆରାମରେ ରହିଥିବାର ଦେଖିବାକୁ ମିଳିଥିଲା। ଏନେଇ ପୂର୍ବତନ ଉପନଗରପାଳ ଶ୍ରୀ ମହାନ୍ତି କହିଛନ୍ତିଯେ ପରିବେଶ ସନ୍ତୁଳନ କ୍ଷେତ୍ରରେ ବାଦୁଡ଼ିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ନିରୀହ ପ୍ରାଣୀମାନଙ୍କର ସୁରକ୍ଷା ଜରୁରୀ ହୋଇ ପଡ଼ିଛି । ବାଦୁଡ଼ିମାନେ ପ୍ରବଳ ଖରାକୁ ସହି ପାରନ୍ତି ନାହିଁ । ଏଣୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପାଣି ସିଞ୍ଚନ କଲେ ଏମାନେ ସୁରକ୍ଷିତ ରହିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe