ଠାକୁରମୁଣ୍ଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ଯୁବକଙ୍କୁ ତୀର ମାଡ଼ ହୋଇଛି। ଏଥିରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ମହୁଲଡିହା ଥାନା ଅନ୍ତର୍ଗତ ବାଉଁଶପାଣି ଗାଁର ପ୍ରମୋଦ ଦାସଙ୍କ ସାନପୁଅ ଉତ୍କଳକେଶରୀ (୩୦)। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଘଟଣାରୁ ପ୍ରକାଶ, ଉତ୍କଳକେଶରୀ ଆଜି ସକାଳେ ବାପା ପ୍ରମୋଦଙ୍କ ସହ ବାଇକ ଯୋଗେ ଶିବ ମନ୍ଦିରକୁ ଯାଉଥିଲେ। ପୂର୍ବ ଯୋଜନା ମୁତାବକ, ସେହି ଗାଁର ସୁଚାରୁ ପାତ୍ର ଧନୁତୀର ଧରି ଏକ ଗଛ ମୂଳେ ଛକି ରହିଥିଲା। ହଠାତ୍ ସେ ଉଭୟଙ୍କ ଉପରକୁ ତୀର ମାଡ଼ କରିଥିଲେ। ତୀର ଉତ୍କଳକେଶରୀଙ୍କ ପେଟରେ ବାଜିଥିଲା। ଫଳରେ ଦୁହେଁ ବାଇକ୍ରୁ ଗଡ଼ି ପଡ଼ିଥିଲେ। ଉଭୟ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସୁଚାରୁ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଉତ୍କଳକେଶରୀଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ଅଭିଯୁକ୍ତ ଚମ୍ପଟ ମାରିଥିଲା।
ଗାଁଲୋକେ ଗୁରୁତର ପ୍ରମୋଦଙ୍କୁ ଆମ୍ବୁଲାନ୍ସ ଯୋଗେ ଘଷିପୁରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପେଟରୁ ତୀର ବାହାର କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମହୁଲଡିହା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଜାନୀ ଘଟଣାର ତଦନ୍ତ କରୁଛନ୍ତି। ହେଲେ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଗିରଫ କରାଯାଇ ପାରିନି। ଉତ୍କଳକେଶରୀଙ୍କ କକା ମୁକ୍ତିକାନ୍ତଙ୍କ ଏତଲାକୁ ଭିତ୍ତି କରି ପୁଲିସ ୬/୧୮ନଂ.ରେ ମାମଲା ରୁଜୁ କରି ତଦନ୍ତ କରୁଛି।
Follow Us