Sambad
ଭଦ୍ରକ: ଭଦ୍ରକ ଜିଲ୍ଲା ମେଡିକାଲର ଏବେ କେହି ମା’ ବାପ ନାହାଁନ୍ତି। ଏଠାରେ କିଛି କର୍ମଚାରାଙ୍କର ଦୁର୍ବ୍ୟବହାରରେ ଅତିଷ୍ଠ ହୋଇପଡିଲେଣି ସାଧାରଣ ଲୋକ। ରୋଗୀ ଧରି ଆସୁଥିବା ରୋଗୀଙ୍କ ସଂପର୍କୀୟମାନେ କର୍ମଚାରୀଙ୍କ ଠାରୁ ଉପଯୁକ୍ତ ବ୍ୟବହାର ପାଉ ନାହାଁନ୍ତି। ଆଜି ଭଦ୍ରକ ମେଡିକାଲକୁ ବୃଷଭାନୁ ସାହୁ ନାମକ ଜଣେ ବ୍ୟକ୍ତି ଜଣେ ରୋଗୀଙ୍କୁ ଧରି ଆସିଥିବା ବେଳେ ଟିକଟ କାଉଣ୍ଟରର ଜୈନିକ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲା। ଏହି ଘଟଣାରେ ବୃଷଭାନୁ ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଜଣାଇବା ପରେ ଘଟଣାର ସ୍ଥଳରେ ସେମାନେ ପହଞ୍ଚିଥିଲେ। ଏଇ ଘଟଣାକୁ ନେଇ ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ମେଡିକାଲରେ ସିଡିଏମ୍ଓ ଓ ଏଡିଏମ୍ଓ ଛୁଟିରେ ରହିଥିବା ବେଳେ ଘଟଣା ସଂପର୍କରେ ଦାୟୀତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଭଦ୍ରକ ମେଡିକାଲରେ ସ୍ବତନ୍ତ୍ର କରୋନା ୱାର୍ଡ଼ ରହିଥିବା ବେଳେ କରୋନା ୱାର୍ଡକୁ ଯିବା ପାଇଁ କୌଣସି ସୂଚନା ଫଳକ ଲାଗି ନଥିବା ବେଳେ କରୋନା ରୋଗୀ ମେଡିକାଲ ପରିସରରେ ଏଣେ ତେଣେ ବୁଲିବା ଘଟଣାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି।
ଭଦ୍ରକ ମେଡିକାଲରେ ପାର୍କିଂ କରିବାର ସୁବିଧା ନଥିବା ବେଳେ ରୋଗୀ ନେଇ ଆସୁଥିବା ସେମାନଙ୍କ ସଂପର୍କୀୟ ମାନେ କେଉଁଠି ଗାଡି ମଟର ରଖିବେ ତାହାକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଭଦ୍ରକ ମେଡିକାଲରେ ହେଉଥିବା ଅବ୍ୟବସ୍ଥା ଓ ମେଡିକାଲ କର୍ମଚାରୀଙ୍କର ଦୁର୍ବ୍ୟବହାର ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
Follow Us