ଗୁଣ୍ଡାଗିରୀ: ପୁଲିସ ଅଧିକାରୀଙ୍କୁ ଆକ୍ରମଣ, ଗୋମାଂସ-ଟ୍ରକ୍ ଜବତ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଗୋରୁମାଂସ ଚାଲାଣ ହେଉଥିବା ଖବର ପାଇ ପହଂଚିଥିବା ପୁଲିସ ଅଧିକାରୀ ଓ ଟିମ୍‌କୁ ମଧ୍ୟ ଗୋରୁ ଚାଲାଣକାରୀ ମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ପୁଲିସ ଚାଲାଣ ହେଉଥିବା ଗୋମାଂସ, ଟ୍ରକ ଓ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଚାଲାଣ ହେଉଥିବା ରାକେଟ୍ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ପୂର୍ବେ ବେଆଇନ ଭାବେ ଗାଈଗୋରୁଙ୍କୁ କଂଟେନର, ଟ୍ରକ୍ ଆଦିରେ ଚାଲାଣ କରୁଥିଲେ। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରପଗଡ଼ ଆରମ୍ଭ ହେବା ପରେ ବେଆଇନ ଗୋରୁ ଚାଲାଣକାରୀ ନୂଆ ପନ୍ଥା ଗ୍ରହଣ କରିଛନ୍ତି। ଗାଈଗୋରୁଙ୍କୁ ମାରି ସେମାନଙ୍କ ମାଂସ ‘ଥର୍ମୋକୋଲ’ ବାକ୍ସରେ ଚାଲାଣ କରୁଛନ୍ତି। କେବଳ ଏହାନୁହେଁ, ଏହି ଚାଲାଣବେଳେ ସୁରକ୍ଷା ପାଇଁ ମାରଣାସ୍ତ୍ର ସହ ଗୁଣ୍ଡାଙ୍କୁ ମଧ୍ୟ ନିୟୋଜିତ କରୁଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଘଟଣାରୁ ଏହି କଥା ପ୍ରମାଣିତ ହୋଇଛି। ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏସ୍ଆଇ ପଦ୍ମଲୋଚନ ବେହେରା ନିଜ ଟିମ୍ ଏଏସ୍ଆଇ ଏକେ ସେଠୀ, ହାବିଲଦାର ବିକେ ପ୍ରତାପସିଂହ, କନଷ୍ଟେବଳ ପିକେ ହରିଚନ୍ଦନ, ଅବଦୁଲ ମାସି ଖାଁନ ଓ ଅନ୍ୟ ପୁଲିସ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ତରତୁଆର ଅଖତର ଆଲମ ଖାଁନଙ୍କ ଘର ନିକଟରେ ଗୋରୁ ମାଂସ ଏକ ଟ୍ରକ (ଏମ୍ଏଚ୍୧୩ସିୟୁ ୩୭୭୪)ରେ ଭର୍ତ୍ତି କରାଯାଉଥିବା ସୂଚନା ପାଇଥିଲେ। ଏନେଇ ଏସ୍‌ପି ରାଜକିଶୋର ଦୋରା ଓ ଥାନା ଅଧିକାରୀଙ୍କୁ ସୂଚନା ଦେବା ପରେ ଜବତ କରିବା ପାଇଁ ନିର୍ଦେଶ ମିଳିଥିଲା।

ନିର୍ଦେଶାନୂସାରେ, ପୁଲିସ ଟିମ୍ ସେଠାରେ ପହଂଚିଥିଲେ। ସେଠାରେ ଗୋରୁ ମାଂସ ଥର୍ମୋକୋଲ ବାକ୍ସରେ ଭର୍ତ୍ତି କରି ଟ୍ରକ୍‌ରେ ଚଢ଼ାଉଥିବା ଦେଖିବାକୁ ପାଇଥିଲେ। ତେବେ ଏନେଇ ଅନୁସନ୍ଧାନ କରିବା ସମୟରେ ଟ୍ରକ୍ ଚାଳକ, ମାଲିକ ଓ ଅନ୍ୟ ସହଯୋଗୀ ମାନେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ମାଂସ ଜବତ କଲେ ହତ୍ୟା କରିବାକୁ ମଧ୍ୟ ପଛେଇବେ ନାହିଁ ବୋଲି ଧମକ ଦେଇଥିଲେ। ପରେ ସୂଚନା ପାଇ ଅଧିକ ପୁଲିସ ବଳ ସେଠାରେ ପହଂଚିଥିଲେ। ଏହାଦେଖି କେତେକ ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ତରତୁଆର ମହମ୍ମଦ ସେକ୍ ଓରଫ ଭାଲୁ (୨୭), ମହିମ୍ମଦ ଖାଁନ (୫୦), ବାଲିପାଟଣାର ଟାକୁ ଖାଁନ (୩୬)ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚରାରେ ସେମାନେ ନିୟମିତ ଭାବେ ଗୋମାଂସ ହାଇଦ୍ରାବାଦକୁ ଚାଲଣ କରୁଥିବା ସୂଚନା ଦେଇଥିଲେ। ଗୋରୁ ମାଂସ ଚାଲାଣ ରାକେଟ୍‌ରେ ସମ୍ପୃକ୍ତ ଥିବା ଟଟନ, ଲୁଟନ, ଧଡ଼ା, କାହ୍ନୁ, ମୁକୁନ୍ଦପ୍ରସାଦର ବାବୁ ଖାଁନ ସେଠାରୁ ଖସି ପଳାଇଥିବା ଜଣାପଡ଼ିଛି। ପୁଲିସ ଟ୍ରକ୍ ସହ ସ୍କୁଟି ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି। ଏନେଇ ଟାଉନ୍ ଥାନା ଅଧିକାରୀ କହିଛନ୍ତି ଯେ ଏନେଇ ୩୬୯/୨୦୨୧ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe