ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଧାରାରେ ଉଦ୍ୟମ ଜାରି ରହିବ: ବିଦ୍ୟାର୍ଥୀ ବିକାଶ ମଞ୍ଚ

Advertisment

ବିଦ୍ୟାର୍ଥୀ ବିକାଶ ମଞ୍ଚର ଆଭାସୀ ବୈଠକ ଅନୁଷ୍ଠିତ

ବିଦ୍ୟାର୍ଥୀ ବିକାଶ ମଞ୍ଚର ଆଭାସୀ ବୈଠକ ଅନୁଷ୍ଠିତ

ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଧାରାରେ ଉଦ୍ୟମ ଜାରି ରହିବ: ବିଦ୍ୟାର୍ଥୀ ବିକାଶ ମଞ୍ଚ

Sambad

ଭଦ୍ରକ: ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ‘୫ଟି’ ସଚିବଙ୍କ ମତାମତ ବାବଦରେ ବିଦ୍ୟାର୍ଥୀ ବିକାଶ ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ. ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ମଞ୍ଚର କର୍ମକର୍ତ୍ତାଙ୍କୁ ନେଇ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଜଣାଇଛନ୍ତି। ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟ ଘୋଷଣା ପ୍ରସଙ୍ଗ ରେ ‘୫ଟି’ ସଚିବ ଦେଇଥିବା ମତାମତକୁ ସ୍ବାଗତ କରାଯାଇଛି। ଅତୀତରେ ବିଭିନ୍ନ ସଭାରେ ନେତା ଓ ମନ୍ତ୍ରୀମାନେ ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟ ଘୋଷଣା କରାଯାଇଛି ବୋଲି ଏକାଧିକବାର ପ୍ରତିଶୃତି ଦେଇ ଥିଲେ। ଏଥର ବି ‘୫ଟି’ ସଚିବଙ୍କ ଜରିଆରେ ରାଜ୍ୟ ସରକାରଙ୍କର ଏହା ଏକ ପ୍ରତିଶୃତିର ମତାମତ ମାତ୍ର। କିନ୍ତୁ ଜିଲ୍ଲାବାସୀ ତଥା ବିଦ୍ୟାର୍ଥୀ ବିକାଶ ମଞ୍ଚ ଆଶା ରଖିଥିଲେ ଯେ, ଚଳିତ ୧୧ରେ ଏ ପ୍ରସଙ୍ଗରେ ମାନନୀୟ ମୁଖ୍ୟମନ୍ତ୍ରୀ ସିଧା ସଳଖ ହେଉ ବା ଆଭାସୀ ଜରିଆରେ ନିଶ୍ଚୟ ଘୋଷଣା ହିଁ କରିବେ। ମାତ୍ର ସେପରି ହେଲା ନାହିଁ। ଜିଲ୍ଲାବାସୀଙ୍କୁ ବିଶ୍ଵ ବିଦ୍ୟାଳୟ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ‘୫ଟି’ ସଚିବ ପୁଣି ଅନ୍ଧାରରେ ରଖି ଗଲେ। ଭଦ୍ରକର ବିକାଶ ମୂଳକ କାର୍ଯ୍ୟ ପାଇଁ ସବୁ ବେଳେ ଘୋଷଣାରେ ଟାଲ ଟୁଲ ନୀତି ଅବଲମ୍ବନ କରାଯାଉଛି। ପୁଣି ଫୁଲ ଘୁଞ୍ଚିଗଲା ଯେ, ଠିକ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା ହେବ। ଏଣୁ ସେହି ଠିକ୍ ସମୟରେ ଘୋଷଣା ହେବା ତଥା ଭଦ୍ରକରେ ବିଶ୍ଵ ବିଦ୍ୟାଳୟ ସ୍ଥାପନ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ହୋଇଥିବା ପୂର୍ବ ନିଷ୍ପତ୍ତି ଅନୁସାରେ ଗଣତାନ୍ତ୍ରିକ ଧାରାରେ ବିଭିନ୍ନ କାର୍ଯ୍ୟକ୍ରମ ତଥା ପ୍ରଭାବୀ ପ୍ରୟାସ ଜାରି ରହିବ ବୋଲି ମଞ୍ଚର ସଭାପତି ଶ୍ରୀ ବିଶ୍ଵାଳ କହିଛନ୍ତି।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ପ୍ରାୟ ୫୦ ବର୍ଷ ତଳର ଭଦ୍ରକର ଏହି ମୌଳିକ ଦାବିକୁ ହାସଲ କରିବା ପାଇଁ ଭଦ୍ରକ କଲେଜର ପୁରାତନ ଛାତ୍ର ସଂସଦ ତରଫରୁ ଅନେକ ଉଦ୍ୟମ ପରେ ୨ ଥର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ, ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ତଥା ସଚେତନ ନାଗରିକଗଣ ପ୍ରାୟ ଗତ ୧୦ ବର୍ଷ କାଳ ଚେଷ୍ଟା ପରେ ମଧ୍ୟ ସରକାର ଭଦ୍ରକବାସୀଙ୍କର ଏହି ମୌଳିକ ଦାବିକୁ ପୂରଣ କରିବା ପରିବେର୍ତେ ଆମ ଭଦ୍ରକ କଲେଜ ଠାରୁ କମ୍ ଶୈକ୍ଷିକ ଭିତ୍ତିମୂମି ଥିବା ରାଜ୍ୟର ଏକାଧିକ କଲେଜକୁ ଚଳିତ ବର୍ଷ ଫେବୃଆରୀ ମାସରେ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କଲେ। ଏକଥା ଜିଲ୍ଳାବାସୀଙ୍କୁ ବହୁତ ବାଧିଛି। ଶେଷରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ଭଦ୍ରକ ତରଫରୁ ବିଭିନ୍ନ ଉଦ୍ୟମ ପରେ ଚଳିତ ମଇ ମାସ ୨୧ ତାରିଖରେ ସ୍ଥାନୀୟ ଟାଉନ୍ ହଲ ଠାରେ ୨ ଅଧିବେଶନ ଏକ ବିଶିଷ୍ଟ ପ୍ରଭାବୀ କାର୍ଯ୍ୟକ୍ରମ କରାଗଲା। ସେହି କାର୍ଯ୍ୟକ୍ରମରେ ଶେଷ ଭାଗରେ ଶିକ୍ଷାବିତ୍ ତଥା ବିଦ୍ୟାର୍ଥୀ ବିକାଶ ମଞ୍ଚର ବରିଷ୍ଠ ଉପଦେଷ୍ଟା ଡଃ. ବ୍ରଜମୋହନ ମିଶ୍ର କହିଲେ ଯେ, ଗଣତନ୍ତ୍ର ରାଜ୍ୟରେ ଆମ ଭଦ୍ରକ ଜିଲ୍ଲା ପ୍ରତି ଏପରି ଚରମ ଅବହେଲା ତଥା ପାତର ଅନ୍ତର ନୀତି ଆଉ ଚଳିବ ନାହିଁ। ସରକାର ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ନେଇ ଘୋଷଣା ସହିତ ପ୍ରଶାସନିକ ବ୍ୟବସ୍ଥା ଆରମ୍ଭ କରନ୍ତୁ, ନଚେତ ପ୍ରଥମେ ଭଦ୍ରକ ଓ ପରେ ପରେ ଭୁବନେଶ୍ଵରରେ ଛାତ୍ର ଏବଂ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ। ତା’ ସେତ୍ତ୍ଵ ସରକାର ଯଦି ଏ ପ୍ରସଙ୍ଗରେ ନିଦାବିଷ୍ଣୁ ସାଜିବେ ତାହାହେଲେ, ବାଧ୍ୟ ହୋଇ ସେ ଆତ୍ମହୁତି ଦେବେ ବୋଲି ସ୍ପଷ୍ଟ କଲେ। ତାଙ୍କ ସହିତ ଉକ୍ତ ସଙ୍ଗଠନର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ଵାଳ ଓ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ସ୍ବର ମିଳାଇଲେ ଓ କହିଲେ ଆବଶ୍ୟକ ସ୍ଥଳେ ସେମାନେ ମଧ୍ୟ ଶେଷ ପର୍ଯ୍ୟାୟରେ ଏ ପ୍ରକାର ଅବିଚାର ପ୍ରତିବାଦରେ ଆତ୍ମହୁତି ଦେବାକୁ ପଛାଇବେ ନାହିଁ। ଏ ପ୍ରକାର ଚରମ ଚେତାବନୀ ପରେ ଶେଷରେ ରାଜ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ଓ ଚଳିତ ୧୧ ଜୁନରେ ‘୫ଟି’ ସଚିବଙ୍କ ଦ୍ଵାରା ଦୁଇ ପଦ ମତାମତ ପ୍ରଦାନ କଲେ ଯେ, ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରସଙ୍ଗରେ ଘୋଷଣା କରିବେ।

ମାତ୍ର ବିଦ୍ୟାର୍ଥୀ ବିକାଶ ମଞ୍ଚ ଆଜିର ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ସ୍ପଷ୍ଟ ନିବେଦନ ଜଣାଇଛନ୍ତି ଯେ, ଭଦ୍ରକ ଟାଉନ୍ ନିକଟସ୍ଥ ଯେ କୌଣସି ସ୍ଥାନରେ ଉକ୍ତ ଜିଲ୍ଲାର ୫୦ ବର୍ଷ ତଳର ଦାବି ଅନୁସାରେ ପଲ୍ଲୀଭାରତୀ ନାମରେ ଏକ ସ୍ବତନ୍ତ୍ର ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଉ ଓ ଏହା ଅଧିନରେ ଜିଲ୍ଲାର ସମସ୍ତ କଲେଜକୁ ନିଆଯାଉ। ଏଥି ସହିତ ଜଣେ ପ୍ରଫେସର କ୍ୟାଡର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରି ଜିଲ୍ଲାର ଏକମାତ୍ର ସରକାରୀ କଲେଜ ଐତିହାସିକ ଭଦ୍ରକ ମହାବିଦ୍ୟାଳୟ ଶୈକ୍ଷିକ ବାତାବରଣକୁ ଅବିଳମ୍ବେ ସଜଡ଼ା ଯାଉ। ଯେପରି ବିଗତ ଦିନରେ ବାଲେଶ୍ଵରର ଫକୀର ମୋହନ କଲେଜ ଓ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଅଲଗା ଅଲଗା କରାଯାଇଛି, ଭଦ୍ରକ କ୍ଷେତ୍ରରେ ତାହା ହିଁ କରିବା ପାଇଁ ମଞ୍ଚ ସରକାରଙ୍କୁ ନିବେଦନ ଜଣାଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ଵାଳଙ୍କ ସହିତ ବରିଷ୍ଠ ଉପଦେଷ୍ଟା ବିଚିତ୍ରାନନ୍ଦ ମହାନ୍ତି, ରୋଟାରିଆନ୍ ଅଭିଜିତ୍ ନାୟକ, ସମାଜସେବୀ ଅନିଲ ଦେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ବିଦ୍ୟାର୍ଥୀ ପୁରୁଷୋତ୍ତମ ଆର୍ଯ୍ୟ, ମମତା ବିଶ୍ଵାଳ, ଅକ୍ଷୟ ବିଶ୍ଵାଳ, ମଧୁସ୍ମିତା ବିଶ୍ଵାଳ, ମୀନାରାଣୀ ବିଶ୍ଵାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe