Sambad
ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ନେତ୍ର ଜ୍ୟୋତି ଯୋଜନାରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଓ ଗାଁରେ ୫୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା, ଆବଶ୍ୟକ ଅସ୍ତ୍ରୋପଚାର, ଚଷମା ଆଦି ସାମଗ୍ରୀ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଧବାର ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡଃ. ଅଜୟ କୁମାର ସିଂହ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ନେତ୍ର ଜ୍ୟୋତି ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ରଖିଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇ ଡଃ. ସିଂହ କହିଛନ୍ତି ଯେ ଚଳିତ ବର୍ଷ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ପର୍ଯ୍ୟାୟକ୍ରମେ ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଆବଶ୍ୟକ ସ୍ଥଳେ ମାଗଣା ଚଷମା ବଣ୍ଟନ କରାଯିବ। ସେହଭଳି ରାଷ୍ଟ୍ରୀୟ ନେତ୍ର ଜ୍ୟୋତି ଅଭିଯାନରେ ଗାଁଗାଁ ବୁଲି ୫୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିମାନଙ୍କ ଯେଉଁମାନଙ୍କ ମୋତିଆ ବିନ୍ଦୁ ଆଦି ଚକ୍ଷୁ ସମସ୍ୟା ରହିଛି ସେମାନଙ୍କୁ ଆଶାକର୍ମୀଙ୍କ ସହଯୋଗରେ ଚିହ୍ନଟ କରାଯାଇ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯିବ। ଏହି ବୈଠକରେ ଜିଲ୍ଲାର ସମସ୍ତ ସିଏଚ୍ସି, ପିଏଚ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us