ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଆଦୌ ନାହିଁ: ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ

ରୁଦ୍ଧଦ୍ବାର ବୈଠକରେ କିନ୍ତୁ ଦୁଇ ଗୋଷ୍ଠୀଙ୍କୁ ନେଇ ଜରୁରୀ ଆଲୋଚନା

ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଆଦୌ ନାହିଁ: ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ

Sambad

ରାୟଗଡା: ରାୟଗଡା ଜିଲ୍ଳା ବିଜୁ ଜନତା ଦଳ ମଧ୍ୟରେ ଥିବା ଗୋଷ୍ଠୀ କଳନ୍ଦ ଆସନ୍ତା ସାଧାରଣ ନିର୍ବାଚନରେ ଦଳ ପାଇଁ କଣ୍ଟା ସାଜିବା କଥା ସମଗ୍ର ଜିଲ୍ଳା ତଥା ରାଜ୍ୟ ବିଜେଡି ଶିବିରରେ ଲୁଚି ରହି ନ ଥିବା ବେଳେ ବେଳ ଥାଉ ଥାଉ ଏହି ସମସ୍ୟାର ସମାଧାନ କରି ଦଳକୁ ପୁର୍ନବାର ଏକ ଶିବିର ତଳେ ଜିଲ୍ଳାର ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଏକାଠି କରିବା ପାଇଁ ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ ରାୟଗଡା ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଦିନିକିଆ ରାୟଗଡା ଜିଲ୍ଳା ଗସ୍ତ କରି ରୁଦ୍ଧ ଦ୍ୱାର ବୈଠକ ମାଧ୍ୟମରେ କୌଣସି ଏକ ବଡ ନିଷ୍ପତି କରି ଯାଇଥିବା ଜଣାପଡିଛି।

ପ୍ରଥମେ ହେଲିକେପ୍ଟର ଯୋଗେ ମନ୍ତ୍ରୀ ଶ୍ରୀ ନାୟକ ରାୟଗଡାରେ ପୂର୍ବାହ୍ନରେ ପହଞ୍ଚି ରାୟଗଡାସ୍ଥିତ ସର୍କିଟ ହାଉସ ଠାରେ ପଞ୍ଚିଚିଥିଲେ। ସେଠାରେ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାସ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଏସିଏସଟି ବିଭାଗର ପଛୁଆବର୍ଗ ବ୍ୟାପାରର ଉପଦେଷ୍ଟା ପୃଥ୍ୱୀରାଜ ସାହୁ ଏବଂ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ମନ୍ତ୍ରୀ ଶ୍ରୀ ନାୟକ ଦୀର୍ଘ ସମୟ ଧରି ଜିଲ୍ଳା ବିଜେଡିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ ସେଠାରେ କଣ ନିଷ୍କର୍ସ ବାହାରିଛି ତାହା ଜଣାପଡି ନ ଥିବା ବେଳେ ମନ୍ତ୍ରୀ ଶ୍ରୀ ନାୟକ ଏବଂ ଉପସ୍ଥିତ ସମେସ୍ତ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଳା ଯୋଜନା କମିଟି ବୈଠକକୁ ଚାଲି ଯାଇଥିଲେ। ପରେ ସେଠାରୁ ସମସ୍ତେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଳାପାଳଙ୍କ ପ୍ରକୋଷ୍ଠରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ବେଳେ ସେଠାରେ ରାଜ୍ୟ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ ଯୋଗ ଦେଇ ଆଲୋଚନା କରିଥିଲେ।

publive-image Sambad

ଏହି ରୁଦ୍ଧ ଦ୍ୱାର ବୈଠକରେ ଆସନ୍ତା ଜୁନ୍ ୭ ତାରିଖରେ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ରାୟଗଡା ଗସ୍ତ ସମ୍ବନ୍ଧରେ ଆଲୋଚନା କରାଯାଇଥିବା ଜଣାପଡିଛି। ୫ଟି ସଚିବଙ୍କ ଗସ୍ତ ସମୟରେ ଯେମିତି ଅନେକ ଲୋକଙ୍କ ସମାଗମ ହୋଇ ପାରିବା ସହ ଲୋକେ କିପରି ଭାବେ ନିଜର ସମସ୍ୟା ନେଇ ୫ଟି ସଚିବଙ୍କୁ ଅଭିଯୋଗ ଜଣାଇ ପାରିବେ ତଥା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଏବଂ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଜିଲ୍ଳା ବିଜେଡିରେ କେବେ ବି ଗୋଷ୍ଠୀ କନ୍ଦଳ ହୋଇ ନାହିଁ ଏଠାରେ ବିଜେଡିର କୌଣସି ଦୁଇ ଗୋଷ୍ଠୀ ନାହାନ୍ତି, ସମସ୍ତଙ୍କ ନେତା ନବୀନ ପଟ୍ଟନାୟକ ଏବଂ ଆମେ ସବୁ ତାଙ୍କ ସୈନିକ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯାହା ସବୁ ନିର୍ଦ୍ଦେଶ ଦେବେ ତାଙ୍କୁ ଆମେ ଅନୁସରଣ କରି ପାଳନ କରିବୁ।ବିଜେଡି ଏକ ବଡ ପରିବାର। ଆଉ ପରିବାର ମଧ୍ୟରେ ହୋଇଥିବା ମନାନ୍ତରକୁ ଆମେ ଆପୋଷ ବୁଝାମଣାରେ ସମାଧାନ କରି ପୁଣି ସମସ୍ତେ ଏକଜୁଟ୍ ହୋଇ ଦଳ ପାଇଁ କାର୍ଯ୍ୟ କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟ କରି ନବୀନଙ୍କ ହାତମୁଠାକୁ ଟାଣ କରିବୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ। ଆଗାମୀ ନିର୍ବାଚନରେ ଆମେ ଜିଲ୍ଲାର ତିନୋଟି ବିଧାୟକ ଆସନକୁ ହାତେଇବୁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ମନ୍ତ୍ରୀ ଶ୍ରୀ ନାୟକ। ତେବେ ଗୋଷ୍ଠୀ କନ୍ଦଳ କିନ୍ତ ଜଳ ଜଳ ଦିଶୁଥିଲା। ତେବେ ମନ୍ତ୍ରୀ ଏବଂ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏହି ଗସ୍ତ ଦୁଇ ଗୋଷ୍ଠୀକୁ ଏକତ୍ର କରି ପାରୁଛି କି ନାହିଁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe