Sambad
ରାୟଗଡ଼ା: କଂସାରିଗୁଡ଼ାରେ ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୨୦ରୁ ଇତି ମଧ୍ୟରେ ସରକାର ଦୁଇ ଥର ପ୍ରତିଶୃତି ଦେଲେଣି। କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ନାଁ ଗନ୍ଧ ନଥିବା ବେଳେ ରିଫାଇନେରୀ ବଦଳରେ ଟେକ୍ସଟାଇଲ୍ ୟୁନିଟ୍ ପ୍ରତିଷ୍ଠା କରିବାକୁ କମ୍ପାନି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଯାହାକୁ ତୀବ୍ର ବିରୋଧ କରିଛନ୍ତି ବିସ୍ଥାପିତ। ରିଫାଇନେରୀ ପ୍ରତିଷ୍ଠା ନ ହେଲେ ଖଣି ଖନନ ବନ୍ଦ କରିବା ସହ ତୁରନ୍ତ ଜମି ଫେରାଇବାକୁ ଚେତାବନୀ ଦେଇଛନ୍ତି।
କଂସାରିଗୁଡା ପ୍ରକଳ୍ପକୁ ନେଇ ଆଜି ବିସ୍ଥାପିତ-କମ୍ପାନି କର୍ତ୍ତୃପକ୍ଷ-ପ୍ରଶାସନ ମଧ୍ୟରେ ଭର୍ଚୁଆଲ୍ ମୋଡ଼ରେ ତ୍ରିସ୍ତରୀୟ ଆଲୋଚନା ହୋଇଥିଲା। ଆଲୋଚନାରେ ରାୟଗଡ଼ା, କାଶୀପୁର ଓ ଲକ୍ଷ୍ମୀପୁର ବ୍ଲକର ୨୫ ଖଣ୍ଡ ଗ୍ରାମର ବିସ୍ଥାପିତ ଅଂଶଗ୍ରହଣ କରି କମ୍ପାନି ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ନିଯୁକ୍ତି ଆଶାରେ ବିସ୍ଥାପିତ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜମି ଟେକି ଦେବା ପରେ ଏବେ ବେରୋଜଗାରୀ ହୋଇ ପଡିଛନ୍ତି। ବହୁ ବିସ୍ଥାପିତ ପରିବାର ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କମ୍ପାନି ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିସ୍ଥାପିତ ଉପକୃତ ହେବେ ବୋଲି ବିସ୍ଥାପିତ ସଂଘର ଡଉଲ ଚୌଧୁରୀ କହିଥିଲେ।
ବୈଠକରେ ହିଣ୍ଡାଲକୋ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ଅରବିନ୍ଦ ମହାପାତ୍ର, ଏସ୍. କେ. ମିଶ୍ର କଂସାରି ଗୁଡାରେ ଟେକ୍ସଟାଇଲ୍ ୟୁନିଟ୍ ପ୍ରତିଷ୍ଠା ହେବ ବୋଲି ସୂଚନା ଦେବା ପରେ ବିସ୍ଥାପିତ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ଓ କମ୍ପାନି କର୍ତ୍ତୃପକ୍ଷ ମିଥ୍ୟା ପ୍ରତିଶ୍ରୁତି ଦେଇ ବିସ୍ଥାପିତଙ୍କୁ ଭୂୂଆଁ ବୁଲାଉଛନ୍ତି ବୋଲି ବିସ୍ଥାପିତ ଅଭିଯୋଗ କରିଥିଲେ। ୧୫ ଦିନ ମଧ୍ୟରେ ସରକାର ଓ କମ୍ପାନି କର୍ତ୍ତୃପକ୍ଷ ରିଫାଇନେରୀ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନ ନେଲେ ଖଣି ଖନନ ବନ୍ଦ କରିଦେବୁ ବୋଲି ବିସ୍ଥାପିତ ସୁରେନ୍ଦ୍ର ବାଘ, ମୋହନ ମାଝି ପ୍ରମୁଖ ଚେତାବନୀ ଦେଇଥିଲେ।
ପ୍ରଶାସନ ପକ୍ଷରୁ ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ। ତ୍ରିସ୍ତରୀୟ ବୈଠକ ବିଫଳ ହେବା ପରେ ହିଣ୍ଡାଲକୋ ଜମି ଦେଇଥିବା ୨୫ ଖଣ୍ଡ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। କଂସାରୀ ଗୁଡାରେ ଆଲୁମିନା ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ କାଶୀପୁର, ଲକ୍ଷ୍ମୀପୁର ଓ ରାୟଗଡ଼ା ତହସିଲରୁ ୨ ହଜାରରୁ ଉର୍ଦ୍ଧ ଜମି ଅଧିଗ୍ରହଣ କରିଥିଲା। ଜମି ଅଧିଗ୍ରହଣ ପରେ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋ କମ୍ପାନି ୨୦୦୫ ମସିହାରେ ଏମଓୟୁ ସ୍ବାକ୍ଷର କରିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଦର୍ଶାଇ କମ୍ପାନି କନଷ୍ଟ୍ରକସନ୍ କାମ ବିଳମ୍ବ କରିବାରୁ ସରକାର ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ। ଏହା ସତ୍ତ୍ବେ କମ୍ପାନି ନ ହେବାରୁ ବିସ୍ଥାପିତ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ୨୦୨୦ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରିଗୁଡା ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରିବା ସହ କମ୍ପାନି ଦ୍ବାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୨୦୨୧ ଏପ୍ରିଲରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନିଙ୍କ ସହ ବିସ୍ଥାପିତ ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ସାକ୍ଷାତ କରିଥିଲେ। ସରକାର କମ୍ପାନି ପ୍ରତିଷ୍ଠା ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ଶ୍ରୀ ଦାଶ ପ୍ରକାଶ କରିଥିଲେ। ହେଲେ ଆଜି ସୁଦ୍ଧା କୌଣସି ଅଗ୍ରଗତି ହୋଇ ପାରିନି।
Follow Us